ମୁମ୍ବାଇ ୧୫/୦୯: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜର ଅପ୍‌କମିଂ ଫିଲ୍ମ ‘ତୁ ମେରି ମେଁ ତେରା ମେଁ ତେରା ତୁ ମେରି’କୁ ନେଇ ବେଶ୍‌ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି । ଏବେ ଫିଲ୍ମକୁ  ନୂଆ ରିଲିଜ୍‌ ଡେଟ୍‌ ମିଳିଯାଇଛି ।

ସୂଚନା ଅନୁସାରେ ଫିଲ୍ମଟି ଚଳିତବର୍ଷ ଡିସେମ୍ବର  ୩୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ନିଜେ ଅନନ୍ୟା ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡଲରେ ଏହି ଖବର ଜଣାଇଛନ୍ତି । ଏଥିସହ ସେ ଏକ ଫଟୋ ପୋଷ୍ଟ କରିଛନ୍ତି । ସେଥିରେ ତାଙ୍କୁ  ଏକ ବାର୍‌ରେ ନାଚୁଥିବା ଦେଖିବାକୁ ମିଳୁଛି । ‘ତୁ ମେରି ମେଁ ତେରା ମେଁ ତେରା ତୁ  ମେରି’ରେ ଅନନ୍ୟାଙ୍କ ସହ ଯୋଡ଼ି ବାନ୍ଧିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ । ଫିଲ୍ମରେ ଅନନ୍ୟାଙ୍କ ଚରିତ୍ରର ନାମ ରୁମି ରହିଛି । କାର୍ତ୍ତିକ ରେ’ ମେହରା ଚରିତ୍ର  ନିର୍ବାହ କରୁଛନ୍ତି । ସେମାନଙ୍କ କେମିଷ୍ଟ୍ରି ଦର୍ଶକଙ୍କୁ ବାନ୍ଧିପାରିବ  ବୋଲି ନିର୍ମାତାମାନେ ଆଶା ପ୍ରକାଶ କରିଛନ୍ତି । ଏହି ରୋମାଣ୍ଟିକ କମେଡିକୁ ଜାତୀୟ ପୁରସ୍କାରପ୍ରାପ୍ତ ସମୀର ବିଦ୍ୱାନ୍‌ସ ନିର୍ଦ୍ଦେଶନା ଦେଇଛନ୍ତି । କରନ ଜୋହର, ଅଦାର ପୁନାୱାଲା ପ୍ରମୁଖ  ପ୍ରଯୋଜନାରେ ରହିଛନ୍ତି । ପୂର୍ବରୁ ଫିଲ୍ମଟି ୨୦୨୬ ଫେବ୍ରୁଆରୀ  ୧୩ ତାରିଖରେ ରିଲିଜ୍‌ ହେବ ବୋଲି କୁହାଯାଉଥିଲା ।  

ସେହିପରି ଏହି ଫିଲ୍ମ ମାଧ୍ୟମରେ ଅନନ୍ୟା-କାର୍ତ୍ତିକଙ୍କ  ଯୋଡ଼ିକୁ ଦ୍ୱିତୀୟ ଥର ଲାଗି ଦେଖିବାକୁ ମିଳିବ । ଏହା  ପୂର୍ବରୁ ସେମାନେ ‘ପତି ପତ୍ନୀ ଔର ୱ’ରେ ସ୍କ୍ରିନ୍‌  ସେୟାର କରିଥିଲେ । ତାହା ୨୦୧୯ରେ ରିଲିଜ୍‌  ହୋଇଥିଲା । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ  ଅନନ୍ୟାଙ୍କୁ ଏହି ଫିଲ୍ମ ବ୍ୟତୀତ ‘ଚାନ୍ଦ ମେରା  ଦିଲ୍‌’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ  ସହ ଲକ୍ଷ୍ୟ ଲାଲୱାନି ଯୋଡ଼ି ବାନ୍ଧିବେ । ‘ଚାନ୍ଦ  ମେରା ଦିଲ୍‌’ ଆସନ୍ତାବର୍ଷ ରିଲିଜ୍‌ ହେବ ।