ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ସୁଦୃଢ ହେବ ବାଣିଜ୍ୟ ସମ୍ପର୍କ। ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯଦି ଉଭୟ ଦେଶ ମଧ୍ୟରେ ଏହି ଚୁକ୍ତି ହୁଏ, ତେବେ ଭାରତୀୟ ସାମଗ୍ରୀ ରପ୍ତାନି ଉପରେ ବର୍ତ୍ତମାନ ଲାଗୁ ହେଉଥିବା ୫୦% ଶୁଳ୍କ କମି ୧୫% ରୁ ୧୬%କୁ ହ୍ରାସ ପାଇପାରେ। ଯାହା ଭାରତର ରପ୍ତାନି ଓ ଅର୍ଥନୀତି ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ମିଳିଥିବା ସୂଚନା ମୁତାବକ, ପ୍ରସ୍ତାବିତ ଚୁକ୍ତିନାମା ମୁଖ୍ୟତଃ ଶକ୍ତି ଏବଂ କୃଷି କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ତେବେ ଆମେରିକା ପକ୍ଷରୁ ଆଲୋଚନାର ପ୍ରମୁଖ ଉପାଦାନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଭାରତ ଋଷରୁ ଅଶୋଧିତ ତୈଳ ଆମଦାନୀକୁ ଧୀରେ ଧୀରେ ହ୍ରାସ କରିବ। ଯାହା ଋଷର ଶକ୍ତି ଯୋଗାଣ ଉପରେ ବିଶ୍ୱ ନିର୍ଭରଶୀଳତାକୁ ସୀମିତ କରିବା ପାଇଁ ୱାଶିଂଟନର ପ୍ରୟାସ ସହିତ ସମନ୍ୱିତ ରହିବ।

ଉଭୟ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରେ, ଶକ୍ତି ଏବଂ କୃଷି କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ଏହି ଦୁଇଟି କ୍ଷେତ୍ରକୁ ନେଇ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ହୋଇଥିଲା। ଚୁକ୍ତିନାମାର ଅଂଶ ସ୍ୱରୂପ, ଭାରତ ଅଣ-ଜେନେଟିକାଲି ପରିବର୍ତ୍ତିତ ମକା ଏବଂ ସୋୟାବିନ୍ ଭଳି କିଛି ଆମେରିକୀୟ କୃଷି ଉତ୍ପାଦର ଅଧିକ ଆମଦାନୀକୁ ଅନୁମତି ଦେଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଏହି ଆଲୋଚନାରେ ଭାଗନେଇଥିବା ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ପକ୍ଷ ଚଳିତ ମାସ ଶେଷରେ ହେବାକୁ ଥିବା ASEAN ସମ୍ମିଳନୀ ପୂର୍ବରୁ ଚୁକ୍ତି ସମାପ୍ତ କରିବା ଉପରେ କାମ କରୁଛନ୍ତି। ଯାହାଦ୍ୱାରା ଏହି ବୈଶ୍ୱିକ ସମ୍ମିଳନିରେ ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ଚଳିତ ସପ୍ତାହର ପ୍ରାରମ୍ଭରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପ ପରେ ଏହି ଆଲୋଚନା ଚର୍ଚ୍ଚାରେ ରହିଥିଲା। ଟ୍ରମ୍ପ ସାମ୍ବାଦିକମାନଙ୍କୁ ଏନେଇ କହିଥିଲେ ଯେ ଆଲୋଚନା ମୁଖ୍ୟତଃ ବାଣିଜ୍ୟ ଏବଂ ଶକ୍ତି ସହଯୋଗ ଉପରେ କେନ୍ଦ୍ରିତ ଥିଲା। ତେବେ ପିଏମ୍ ମୋଦି ଟ୍ରମ୍ପଙ୍କ ସହ କଥା ହୋଇଥିବା ଘୋଷଣା କରିଥିଲେ ମଧ୍ୟ କେଉଁ ବିଷୟ ବସ୍ତୁକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା ସେନେଇ କିଛି କହିନଥିଲେ। ଯାହା ଏହା ପଛରେ ଥିବା କୌତୁହଳକୁ ବୃଦ୍ଧି କରିବାରେ ଲାଗିଛି।

ଭାରତର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଓ ହ୍ୱାଇଟ୍ ହାଉସ୍ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଜାରି କରି ନାହାନ୍ତି। ଯେଉଁଥିପାଇଁ ଏହି ରିପୋର୍ଟରେ ସତ୍ୟତା ଥିବା ଅନୁମାନ କରାଯାଉଛି।