କ'ଣ ଗୋଟିଏ ଗୀତର ଏତେ ଶକ୍ତି ଅଛି ? ଜଣେ ସଂଗ୍ରାମୀ ଏହି ଗୀତକୁ ଖୁସିରେ ଗାଇ ଗାଇ ମୃତ୍ୟୁଦଣ୍ଡ ଭୋଗିବା ପାଇଁ ଫାଶୀଖୁଣ୍ଟରେ ଝୁଲିପଡ଼ିବ? କ'ଣ ଗୋଟିଏ ଗୀତର ଏତିକି ତାକତ ଅଛି, ଯାହାର ଶବ୍ଦର ପ୍ରେରଣା ନିଜ ଜୀବନକୁ ତିଳତିଳ ଦଗ୍ଧ କରି ନିଜ ଦେଶମାତୃକାର ଚରଣକମଳରେ ସମର୍ପି ଦେବ? ସ୍କୁଲ କଲେଜରେ ପଢ଼ୁଥିବା ବେଳେ ଖୁଦିରାମ ବୋଷଙ୍କ ବଳିଦାନ କାହାଣୀ ମୋତେ ବେଶ୍ ଆକର୍ଷିତ କରୁଥିଲା । ଖୁଦିରାମ ବୋଷ ‘ବନ୍ଦେ ମାତରମ୍’ ଗାଇଗାଇ ନିଜ ଜୀବନକୁ ମୋ ଭାରତୀର ପାଦପଦ୍ମରେ ସମର୍ପି ଦେବାର କଥା ଇତିହାସ କହେ । ହୁଏତ ଆମ ଦେଶର ମହାନ ସ୍ୱାଧୀନତା ସଂଗ୍ରାମର ଶ୍ରେୟ କେବଳ କେତୋଟି ପରିବାରରେ ସୀମିତ କରିବା ପାଇଁ ଅପଚେଷ୍ଟା କରାଯାଇଥାଇପାରେ । ମାତ୍ର ଆମର ସ୍ୱାଧୀନତା ସଂଗ୍ରାମ ଥିଲା ବିରାଟ ଜନଆନ୍ଦୋଳନ । କେତୋଟି ପରିବାର ନୁହେଁ ଆମ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନର ଭିତ୍ତିଭୂମି ଉପରେ ଠିଆହୋଇଛି ଆମର କଷ୍ଟଲବ୍ଧ ସ୍ୱାଧୀନତା ।
ମୋର ମନେଅଛି ୩ ଅକ୍ଟୋବର ୨୦୧୪, ଏହି ଦିନ ଥିଲା ପବିତ୍ର ବିଜୟା ଦଶମୀ । ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ତାଙ୍କର ରେଡିଓଭିତ୍ତିକ ଜନସମ୍ବାଦର କାର୍ଯ୍ୟକ୍ରମ "ମନ୍ କୀ ବାତ୍' । ପ୍ରଥମ ଅଧ୍ୟାୟକୁ ସଦ୍ୟତମ ୧୨୭ତମ ଅଧ୍ୟାୟ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଏମିତି କୌଣସି "ମନ୍ କୀ ବାତ୍' ନାହିଁ ଯାହାକୁ ମୁଁ ମନଧ୍ୟାନ ଦେଇ ଶୁଣିନାହିଁ । ମୋଦିଜୀ ତାଙ୍କ "ମନ୍ କୀ ବାତ୍'ରେ ଉଠାଉଥିବା ଅନେକ ପ୍ରସଙ୍ଗ ମୋ ଭଳି ଦେଶର କୋଟି କୋଟି ସାଧାରଣ ଜନତାଙ୍କୁ ବେଶ୍ ପ୍ରଭାବିତ କରିଛି । ମାତ୍ର ତାଙ୍କର ସଦ୍ୟତମ "ମନ୍ କୀ ବାତ୍'ରେ ଆମର ରାଷ୍ଟ୍ର ଗୀତ "ବନ୍ଦେ ମାତରମ୍'ର ୧୫୦ବର୍ଷ ପୂର୍ତ୍ତି ନଭେମ୍ବର ୭ ତାରିଖ ଦିନ ପାଳନ କରାଯିବ ବୋଲି କହିଥିଲେ । ଏହା ସହ "ବନ୍ଦେ ମାତରମ୍'ର ବିଶେଷତା, ଭାରତୀୟ ସଭ୍ୟତା, ସଂସ୍କୃତି ଏବଂ ଦେଶ ପାଇଁ ନିଜକୁ ସମର୍ପି ଦେବାର ପ୍ରେରଣା ପ୍ରସଙ୍ଗରେ କହିଥିଲେ । ଏହି ସମୟରେ ମୋ ମନ ଭିତରେ ପିଲାଦିନୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ କାମରୁ ଶିଶୁ ମନ୍ଦିରରେ ଗୁରୁଜୀରୁ ରାଜନୀତିର ସାର୍ବଜନୀନ ଜୀବନରେ, ବ୍ୟକ୍ତି-ସମାଜ ଓ ରାଷ୍ଟ୍ର ପାଇଁ କାର୍ଯ୍ୟକର୍ତ୍ତାମାନଙ୍କ ମନରେ ଭାବନା ଜାଗରଣ କରିବାପାଇଁ ଆମେ କରୁଥିବା ଉଦ୍ୟମ ସବୁ ମୋ ମନରେ ନାଚି ଉଠୁଥିଲା ।
ମୋଦିଜୀଙ୍କ ସଦ୍ୟତମ ‘ମନ୍ କୀ ବାତ୍’ର କିଛିଦିନ ପରେ ଆମ ଦେଶର ମହିଳା କ୍ରିକେଟ ଦଳ ପ୍ରଥମଥର ପାଇଁ ବିଶ୍ୱକପ ଜିତି ରେକର୍ଡ କଲା । ଦିନ ଥିଲା ୨ ନଭେମ୍ବର ୨୦୨୫, ଡିୱାଇ ପାଟିଲ ଷ୍ଟାଡିୟମ । ଠିକ୍ ମଧ୍ୟରାତ୍ରିରେ ଆମ ଝିଅମାନେ ମ୍ୟାଚ୍ ଜିତି ଆମ ଛାତିକୁ କୁଣ୍ଢେମୋଟ କରିଥିଲେ । ଏହି ସମୟରେ ସାରା ଷ୍ଟାଡିୟମରେ ସମବେତ ହଜାର ହଜାର ଜନତା ଏକସ୍ୱରରେ ‘ବନ୍ଦେ ମାତରମ୍’ ସାଂଘିକ ଭାବରେ ଗାନ କରୁଥିଲେ । ମୋ ଭଳି ଆପଣମାନେ ବି ସେ ମୁହୂର୍ତ୍ତର ଗୌରବ ମନେମନେ ଅନୁଭବ କରିଥିବେ । ମୋର ମନେଅଛି ୨୦୧୧ ମସିହାରେ ୱାଙ୍ଖଡ଼େ ଷ୍ଟାଡିୟମରେ ଭାରତ ଶ୍ରୀଲଙ୍କାକୁ ହରାଇ ବିଶ୍ୱକପ୍ କ୍ରିକେଟ୍ ଜିତିଥିଲା । କ୍ରିକେଟପ୍ରେମୀ ଭାବରେ ଉତ୍କଣ୍ଠାର ସହ ଏହି ଖେଳକୁ ଉପଭୋଗ କରୁଥିଲି । ପୂରା ଷ୍ଟାଡିୟମର ହଜାର ହଜାର ଦର୍ଶକଙ୍କ ‘ବନ୍ଦେ ମାତରମ୍’ ସାଂଘିକ ସ୍ୱରରେ କମ୍ପି ଉଠୁଥିଲା । ଅନୁଭବ ହେବା ସ୍ୱାଭାବିକ ଏ ଗୀତ ଗୀତ ନୁହେଁ, ଏହା ଭାରତର ହୃଦୟର ସ୍ପନ୍ଦନ । ଆପଣମାନେ ୟୁଟ୍ୟୁବକୁ ଯାଆନ୍ତୁ ସଦ୍ୟ ମହିଳା ଦଳର ବିଜୟ ଓ ଭାରତର ବିଶ୍ୱକପ୍ ବିଜୟର ଅବ୍ୟବହିତ ପୂର୍ବରୁ ‘ବନ୍ଦେ ମାତରମ୍’ ହଜାର ହଜାର ଭାରତୀୟଙ୍କ ସାଂଘିକ ଗାନକୁ ପୁଣି ଥରେ ଶୁଣନ୍ତୁ । ଦେଖନ୍ତୁ ଭାରତୀୟ ଭାବରେ ଆପଣମାନଙ୍କ ମନରେ କିପରି ଭାବନା ସୃଷ୍ଟି ହେଉଛି ।
ମୋଦିଜୀଙ୍କ ୨୬ ଅକ୍ଟୋବର "ମନ୍ କୀ ବାତ୍'ରେ "ବନ୍ଦେ ମାତରମ୍'ର ଅବରତାରଣା ଓ ପରେ ୨ ନଭେମ୍ବରରେ ଆମ ମହିଳା କ୍ରିକେଟ୍ ଟିମରେ ମଧ୍ୟରାତ୍ରିରେ ବିଜୟ ଅବସରରେ ହଜାର ହଜାର ଦର୍ଶକଙ୍କ ମିଳିତ ‘ବନ୍ଦେ ମାତରମ୍’ ଗାନ ମୋତେ ‘ବନ୍ଦେ ମାତରମ୍’ର ମହନୀୟତାକୁ ନେଇ ମୋର ଭାବନାକୁ ବ୍ୟକ୍ତ କରିବାକୁ ପ୍ରେରଣା ଯୋଗାଇଲା । ମୋଦିଜୀ ତାଙ୍କ ‘ମନ୍ କୀ ବାତ୍’ରେ କହିଥିଲେ ‘ବନ୍ଦେ ମାତରମ୍’ ଆମ ଦେଶ ଭକ୍ତି ଓ ରାଷ୍ଟ୍ରୀୟ ଗୌବର ଚିରନ୍ତନ ପ୍ରତୀକ । ଦେଶପାଇଁ କଠିନ ସମୟରେ ‘ବନ୍ଦେ ମାତରମ୍’ରେ ଉଦ୍ଘୋଷଣ ୧୪୦କୋଟି ଭାରତୀୟଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ । ହୁଏତ ମହାନ ଦେଶଭକ୍ତ ସାରସ୍ୱତ ସାଧକ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଊନବିଂଶ ଶତାବ୍ଦୀରେ ‘ବନ୍ଦେ ମାତରମ୍’ ରଚନା କରିଯାଇଛନ୍ତି । ମାତ୍ର ଏହି ଗୀତ ହଜାର ହଜାର ବର୍ଷର ଆମର ସଭ୍ୟତା, ସଂସ୍କୃତି ଓ ପରମ୍ପରାର ପ୍ରତିନିଧିତ୍ୱ କରେ । ବେଦରେ ଲିଖିତ ‘ମାତା ଭୂମିୟାଃ ପୁତ୍ରୋହମ୍ ପୃଥିବ୍ୟାଃ' ଅର୍ଥାତ୍- ଏହି ଭୂମି ଆମର ମାତା ଏବଂ ଆମେ ସମସ୍ତେ ତାଙ୍କର ସନ୍ତାନ । ଏହା ଭାରତର ମୂଳ ବିଚାର ଏବଂ ଏହି ବିଚାର ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ତାଙ୍କର ‘ବନ୍ଦେ ମାତରମ୍’ ସଙ୍ଗୀତରେ ପ୍ରତିଫଳନ ବୋଲି ମୋଦିଜୀ ବ୍ୟାଖ୍ୟା କରିଥିଲେ ।
ତଥ୍ୟ କହୁଛି ନଭେମ୍ବର ୭ ତାରିଖ ୧୮୭୫ ମସିହା, ଏହା ଥିଲା ଦୁର୍ଗାପୂଜାର ମହାସପ୍ତମୀ ତିଥି । ଏହିଦିନ ଏହି ମହାନ ସଙ୍ଗୀତ ରଚନା କରିଥିଲେ ବଙ୍କିମ ଚନ୍ଦ୍ର । ୧୯୦୫ରେ ବ୍ରିଟିଶ୍ ଡିଭାଇଡ୍ ଆଣ୍ଡ୍ ରୁଲ ନୀତିରେ ବଙ୍ଗ ଭାଷାଭାଷୀ ଅଞ୍ଚଳକୁ ବିଭାଜିତ କଲେ । ବଙ୍ଗ ଭଙ୍ଗ ବିରୋଧରେ ଆରମ୍ଭ ହୋଇଥିବା ବ୍ରିଟିଶବିରୋଧି ଜନଆନ୍ଦୋଳନର ସୂତ୍ରଧର ସାଜିଥିବା ବଙ୍କିମ ଚନ୍ଦ୍ରଙ୍କର ‘ବନ୍ଦେ ମାତରମ୍’ ସଙ୍ଗୀତ । ଏହି ଆନ୍ଦୋଳନ ଜାତି, ବର୍ଣ୍ଣ, ଧର୍ମ, ଭାଷା, ଅଞ୍ଚଳ ଭିତ୍ତିରୁ ଉପରକୁ ଉଠି ସମସ୍ତଙ୍କୁ ଏକ କରିବାରେ ଉତ୍ପ୍ରେରକର ଭୂମିକା ନେଲା, ଇତିହାସ ଏହାର ସାକ୍ଷୀ । ଆଜି ଯେତେବେଳେ ଆମେ ଏହି ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛେ, ନୂଆ ଭାରତର ନୂଆ ପିଢ଼ି ପାଖରେ ଏହି ସଙ୍ଗୀତର ମହନୀୟତାକୁ ପହଞ୍ଚାଇବା ଏକ ରାଷ୍ଟ୍ରୀୟ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କୀ ବାତ୍’ରେ କରିଥିବା ବ୍ୟାଖ୍ୟାକୁ ନେଇ ସାରାଦେଶ ତଥା ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ‘ବନ୍ଦେ ମାତରମ୍’ର ମହିମାମଣ୍ଡନର ଆବଶ୍ୟକତା ଅଛି । ଆମ ରାଜ୍ୟବାସୀ ବିଶେଷ ଭାବରେ ଯୁବପିଢ଼ି ଏଥିରେ ସାମିଲ ହେବାପାଇଁ ମୁଁ ଆହ୍ୱାନ ଜଣାଉଛି ।
ବଙ୍କିମଚନ୍ଦ୍ରଙ୍କ ରଚିତ ‘ବନ୍ଦେ ମାତରମ୍’କୁ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ୧୮୯୬ ମସିହାରେ ପ୍ରଥମଥର ପାଇଁ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ଗାନ କରିଥିଲେ । ଏହା ପରଠାରୁ ଦେଶର ରାଷ୍ଟ୍ରବାଦୀ ଆନ୍ଦୋଳନର ଯୁଦ୍ଧଂ ଦେହୀର ସ୍ୱର ହୋଇଥିଲା ‘ବନ୍ଦେ ମାତରମ୍’ । ୧୯୦୫ ମସିହାରେ ବଙ୍ଗ ଭଙ୍ଗ ବିରୋଧରେ ସାରା ସମାଜକୁ ଏକ କରିବାର ମନ୍ତ୍ର ଏହି ସଙ୍ଗୀତ ଏହାର ପ୍ରଭାବର ପରାକାଷ୍ଠା ଦେଖାଇଥିଲା । ‘ବନ୍ଦେ ମାତରମ୍’ର ଗ୍ରହଣୀୟତାର ବିବାଦ ଭିତରକୁ ଯିବା ମୋର ବିଷୟବସ୍ତୁ ନୁହେଁ । ମାତ୍ର ‘ବନ୍ଦେ ମାତରମ୍’କୁ ନେଇ ବିବାଦ ଅଯଥା ଏବଂ ଧର୍ମୀୟ ଭାବନା ଆହତ ହେବାର ଯୁକ୍ତିକୁ ନେଇ ଦୀର୍ଘଦିନ ବିବାଦର ଅନ୍ତ ହେବା ମଧ୍ୟ ଜରୁରି । ଆମେ ଭାରତୀୟ ସମାଜ ଗଙ୍ଗା, ଗୀତା ଓ ଗୋମାତାର ପୂଜାରୀ । ଆମ ସଭ୍ୟତା ସଂସ୍କୃତି ଅନାଦି ଅନନ୍ତକାଳରୁ ରହିଆସିଛି ଏବଂ ଦୃଢ଼ ନିଶ୍ଚିତତାର ସହ କହିପାରିବା ଯେ ଏହା ଅନାଦି ଅନନ୍ତକାଳ ପର୍ଯ୍ୟନ୍ତ ତିଷ୍ଠିରହିବ । ଦୁନିଆର ଅନେକ ସଭ୍ୟତା ଧ୍ୱଂସ ପାଇଯାଇଛି । ଧ୍ୱଂସ ପଛରେ ମୂଳ ବିଷୟ କାଳକ୍ରମେ ସେଠାକାର ପୁତ୍ରରୂପୀ ସମାଜ ସେମାନଙ୍କର ସଭ୍ୟତା ଓ ସଂସ୍କୃତିଠାରୁ ଦୂରେଇ ଯିବା । ଆଜି ମିଶର ସଭ୍ୟତା ନାହିଁ, ମିଶର ଇଜିପ୍ଟ ହୋଇଯାଇଛି । ସେଠାକାର ସ୍ଫିଙ୍କସ୍ ଓ ପିରାମିଡ୍ ଶ୍ରଦ୍ଧା, ସମ୍ମାନ ଓ ପ୍ରାଣର କେନ୍ଦ୍ର ନୁହେଁ, ସଂଗ୍ରହାଳୟ ବସ୍ତୁ ପାଲଟି ଯାଇଛନ୍ତି । ଅପରପକ୍ଷରେ ଆମ ଭାରତୀୟ ସଭ୍ୟତା ବଞ୍ଚିଛି କାରଣ ଆମ ପାଇଁ ଆମ ମାତୃଭୂମି ଜୀବନ୍ତ ରାଷ୍ଟ୍ର ପୁରୁଷ । ସଂସ୍କୃତିର ପ୍ରବହମାନ ଧାରା ପ୍ରତିରୋଧର ସାମନା କରି ଆଗକୁ ବଢ଼ିଛି ।
ଯଦି ଆମ ସଭ୍ୟତାର ଧାରା ଯୁଗ ଯୁଗ ଧରି ସଶକ୍ତ ହୋଇ ପ୍ରବାହିତ ହୁଏ, ତାହେଲେ ବିଶ୍ୱରେ ଆହ୍ୱାନର ସମ୍ମୁଖୀନ ହେଉଥିବା ସବୁ ମତ, ପନ୍ଥ ଓ ବିଚାର ବଞ୍ଚି ରହିପାରିବ । ଆମ ଦଳର ଜଣେ ତଥ୍ୟ ଆଧାରିତ ତର୍କର ପ୍ରବକ୍ତା ଓ ସାଂସଦ ସୁଧାଂଶୁ ତ୍ରିବେଦୀ । ତାଙ୍କ ଏକ ଟିଭି ଆଲୋଚନାରେ ମତ ରଖିଥିବା କିଛି କଥାକୁ ମୁଁ ଉଦ୍ଧୃତ କରୁଛି । ଭାରତ ଧର୍ମନିରପେକ୍ଷ, କାରଣ ଭାରତ ହିନ୍ଦୁବହୁଳ ଦେଶ । ହିନ୍ଦୁ ସଂଖ୍ୟା ଯଦି କମିଯିବ ତାହେଲେ ଭାରତର ଧର୍ମନିରପେକ୍ଷତା କବର ନେବ । ପୃଥିବୀରେ ୫୬ଟି ମୁସଲିମ୍ ରାଷ୍ଟ୍ର ଅଛି । ମାତ୍ର ଭାରତ ହେଉଛି ପୃଥିବୀର ଏକମାତ୍ର ରାଷ୍ଟ୍ର ଯେଉଁଠି ଇସଲାମର ୭୦ରୁ ଊଦ୍ଧ୍ୱର୍ ପ୍ରକାରର ସମ୍ପ୍ରଦାୟ ସୁଖ ଓ ସ୍ୱାଚ୍ଛନ୍ଦ୍ୟରେ ନିଜର ବିଶ୍ୱାସକୁ ପାଳନ କରିଆସୁଛନ୍ତି ।
ଏହା କହିବାର ଉଦ୍ଦେଶ୍ୟ, ମୋଦିଜୀଙ୍କ ମନ୍ କୀ ବାତ୍’ର ‘ବନ୍ଦେ ମାତରମ୍’ ଗୀତର ୧୫୦ ବର୍ଷ ପୂର୍ତ୍ତିର ପାଳନ ନଭେମ୍ବର ୭, ଏହା ଚିରନ୍ତନ ଭାରତୀୟ ଭାବଧାରାକୁ ଜାଗ୍ରତ କରିବ । ଭାରତୀୟ ସଭ୍ୟତା ଓ ସଂସ୍କୃତିର ଜୟ ଜୟକାର କରିବ । ଯାହା ଭିତରେ ବିଶ୍ୱ ମଙ୍ଗଳ, ବସୁଧୈବ କୁଟୁମ୍ବକମ୍ର ଚିରନ୍ତନ ବାର୍ତ୍ତା ଜନ ଜନ ପର୍ଯ୍ୟନ୍ତ ପହଞ୍ଚାଇବ । ଆସନ୍ତୁ ଆମେ ସବୁ ଭାରତବାସୀ ମା’ କହି ଭାରତ ମାତା ପାଖରେ ମୁଣ୍ଡ ନୁଆଁଇବା । ଆଉ ଗର୍ବର ସହିତ କହିବା ‘ବନ୍ଦେ ମାତରମ୍’ । ସଗର୍ବରେ ବଙ୍କିମଚନ୍ଦ୍ରଙ୍କ ଦୁର୍ଗାପୂଜାର ପବିତ୍ର ମହାସପ୍ତମୀରେ ରଚିତ ଏହି ସଙ୍ଗୀତର ପଦ "ତୁହି ଦୁର୍ଗା ଦଶ ପ୍ରହରଣ ଧାରିଣୀ, କମଲା କମଲଦଲ ବିହାରିଣୀ, ବାଣୀ ବିଦ୍ୟା ଦାୟିନୀ, ନମାମୀ ତ୍ୱମ୍'କୁ ଦୋହରାଇବା । "ବନ୍ଦେ ମାତରମ୍' ଯୁଗ ଯୁଗ ଧରି ଭାରତୀୟ ସମାଜକୁ ପିଢ଼ି ପରେ ପିଢ଼ି ପ୍ରେରଣା ଦେଉ । ଏହା ଭିତରେ ହିଁ ସମଗ୍ର ମାନବ ଜାତିର ସୁରକ୍ଷା ଓ ସମୃଦ୍ଧିର ବାର୍ତ୍ତା ଅଛି । ମା’ ଭାରତୀଙ୍କ ଆଶୀର୍ବାଦ କାମନା କରୁଛି । ‘ବନ୍ଦେ ମାତରମ୍’ । ‘ଭାରତ ମାତା କୀ ଜୟ’ ।