ଭୁବନେଶ୍ଵର, ୨୨/୯: ରାଜ୍ୟରେ ସୁରକ୍ଷିତ ନୁହଁନ୍ତି ମହିଳା। ୧୪ ମାସ ଭିତରେ ବଢିଛି ନାରୀ ନିର୍ଯାତନା । ୨୦୨୪ ଜୁନ୍ ମାସରୁ ୨୦୨୫ ଜୁଲାଇ ଶେଷ ପର୍ଯ୍ୟନ୍ତ ୩୭,୬୧୧ ମହିଳାଙ୍କ ଉପରେ ହୋଇଛି ଅତ୍ୟାଚାର। ବିଜେଡି ବିଧାୟକ ଅରୁଣ ସାହୁ ଏହି ତଥ୍ୟ ଦେଇ ସରକାରଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ମହିଳାମାନେ ଏବେ ଘରୁ ବାହାରକୁ ଗୋଡ଼ କାଢିପାରୁ ନାହାଁନ୍ତି । ତେଣୁ ସରକାର ତୁରନ୍ତ ଗାଦି ଛାଡ଼ନ୍ତୁ।
ଅରୁଣ ସାହୁ କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କୁ ଦୁଷ୍କର୍ମ, ଅପହରଣ, ଯୌତୁକ ନିର୍ଯାତନା, ଘରୋଇ ହଂସା ଓ ଦୁର୍ବ୍ୟବହାର ଭଳି ୩୭,୬୧୧ ମାମଲା ସାମ୍ନାକୁ ଆସିଛି। ଗତ ୧୪ ମାସ ଭିତରେ ସରକାର ଏକ ଅଲୋଡ଼ା ରେକର୍ଡ ତିଆରି କରିଛନ୍ତି। ସାରା ଦେଶରେ ଓଡ଼ିଶାର ମୁଣ୍ଡ ତଳକୁ ହୋଇଯାଇଛି। ଏହାକୁ ଆମେ କଡ଼ା ନିନ୍ଦା କରୁଛୁ। ସରକାର ଏହାର ଜବାବ ଦିଅନ୍ତୁ।
୧୪ ମାସରେ ରାଜ୍ୟରେ ଦୁଷ୍କର୍ମ ମାମଲା ପାଖାପାଖି ୩ ହାଜର । ସ୍ପଷ୍ଟ ଭାବେ କହିବାକୁ ଗଲେ ୨,୯୩୩ଜଣ ନାରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହାଛଡ଼ା ବିଭିନ୍ନ ସ୍ଥାନରେ ମହିଳାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଛି । ଏହି ମାମଲା ପାଖିପାଖି ୧୦ ହଜାର ହେବ । ସେହିପରି ଅପହରଣ କେସ୍ ୮ ହଜାର ଉପରେ। ଯୌତୁକ ନିର୍ଯାତନା ଏବଂ ନିର୍ଯାତନା ମାମଲା ୧୨ ହଜାରରୁ ଅଧିକ ହେବ । ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଘରୁ ଗୋଡ଼ି କାଢ଼ିକି ଯିବା ସ୍ଥିତିରେ ନାହାନ୍ତି ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି ।...