କଲମ୍ବୋ, ୧୬/୧୦: ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚଳିତ ବିଶ୍ୱକପ୍ର ୧୫ତମ ଲିଗ୍ ମୁକାବିଲାକୁ ବର୍ଷା ଧୋଇ ନେଇଛି । ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି । ପାକିସ୍ତାନ ଶୃଙ୍ଖଳିତ ପ୍ରଦର୍ଶନ କରି ପ୍ରଥମ ବିଜୟ ପାଇଁ ପଥ ପରିସ୍କାର କରିଥିଲେ ହେଁ ଭାଗ୍ୟ ସାଥ ଦେଇ ନଥିଲା । ତଥାପି ଦଳ ପଏଣ୍ଟ ଖାତା ଖୋଲିବାରେ ସଫଳ ହୋଇଥିଲା ।
ବୁଧବାର ପ୍ରେମଦାସା ଷ୍ଟାଡ଼ିୟମ୍ରେ ପାକିସ୍ତାନ ଘାତକ ବୋଲିଂ କରି ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା । ଇଂଲଣ୍ଡ ୨୫ଓଭର ଖେଳ ଶେଷ ସୁଦ୍ଧା ୭ୱିକେଟ୍ ବିନିମୟରେ ୭୯ ରନ କରିଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା । ୩ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଖେଳ ସ୍ଥଗିତ ରହିଥିଲା । ବର୍ଷା ଛାଡ଼ିବା ପରେ ମ୍ୟାଚ୍କୁ ୩୧ଓଭର ବିଶିଷ୍ଟ କରାଯାଇଥିଲା । ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୧୩୩ ରନ କରିଥିଲା । ଦଳ ପକ୍ଷରୁ ଚାର୍ଲି ଡିନ ସର୍ବାଧିକ ୩୩ ରନ କରିଥିବାବେଳେ ହିଥର ନାଇଟ ୧୮, ଆଲିସ କ୍ୟାପସି ୧୬ ଓ ଶୋଫିଆ ଡଙ୍କଲି ୧୧ ରନ କରିଥିଲେ । ପାକିସ୍ତାନ ପକ୍ଷରୁ ଫାତିମା ସାନା ୪ଟି ଓ ସାଦିଆ ଇକବାଲ୍ ୨ଟି ୱିକେଟ୍ ନେଇଥିଲେ । ଜବାବରେ ପାକିସ୍ତାନ ୬.୪ ଓଭରରେ ୩୪ ରନ ସଂଗ୍ରହ କରିଥିବା ବେଳେ ପୁନର୍ବାର ବର୍ଷା ହେବାରୁ ମ୍ୟାଚ୍କୁ ବାତିଲ ଘୋଷଣା କରାଯାଇଥିଲା ।