ଖୋର୍ଦ୍ଧା,୩୦।୧୦(ଆପ୍ର):ବାଲୁଗାଁ ଥାନା ଅନ୍ତର୍ଗତ ଗାନ୍ଧୀଛକରେ କମେଣ୍ଟମରାକୁ ନେଇ ଗୁରୁବାର ସକାଳେ କିନ୍ନର ଓ ଶ୍ରମିକଙ୍କ ମଧ୍ୟରେ ହାତାହାତି ହୋଇଛି। ଏଥିରେ ଜଣେ ଶ୍ରମିକ ଗୁରୁତର ହୋଇଥିବା ବେଳେ ୨ ଜଣ କିନ୍ନର ଆହତ ହୋଇଛନ୍ତି। ଗୁରୁତର ଶ୍ରମିକ ଜଣକ ହେଲେ ବାଣପୁର ବିଷରପାଟଣାରେ ରହୁଥିବା ନିରାକାରପୁର ଥାନା ଅଞ୍ଚଳର ଶ୍ରୀଜାନକୀ ବଲ୍ଲଭ ମିଶ୍ର(୪୦ )। ତାଙ୍କୁ ପ୍ରଥମେ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଶ୍ରମିକଙ୍କ ପାଲଟା ଆକ୍ରମଣରେ କିନ୍ନର କବିତା ଓ ପ୍ରିୟଙ୍କା କିନ୍ନର ଆହତହୋଇଛନ୍ତି।
ଏଠାରେ ଶ୍ରମିକ ଓ କିନ୍ନରହାତାହାତି ହେବା କାରଣ ସ୍ପଷ୍ଟ ହୋଇନଥିବା ବେଳେ କମେଣ୍ଟମରାକୁ ନେଇ ଏମିତି କାଣ୍ଡ ଘଟିଥିବାଅନୁମାନ କରାଯାଉଛି। ପ୍ରିୟଙ୍କାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ବାଲୁଗାଁ ଥାନା ଅଧିକାରୀ ଜୟକୃଷ୍ଣ ପରିଡ଼ା କହିଛନ୍ତି। କିନ୍ତୁ ଶ୍ରମିକଙ୍କ ପକ୍ଷରୁ କୌଣସି ଅଭିଯୋଗ ହସ୍ତଗତ ହୋଇନଥିବା ଥାନା ଅଧିକାରୀ ଶ୍ରୀପରିଡ଼ା ପ୍ରକାଶ କରିଛନ୍ତି।