ସାପ କାମୁଡ଼ାରେ ୨ ବର୍ଷର ଶିଶୁ ପୁତ୍ର ମୃତ

Representative image
ଖଲ୍ଲିକୋଟ – ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିଏନପୁର ପଞ୍ଚାୟତରେ ଏକ ଦୁଃଖଦ ଘଟଣା ଘଟିଛି। ଗୋପାଳପୁର ଗ୍ରାମରେ ନାଗ ସାପ ଦଂଶନରେ ଜଣେ ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ , ଗୋପାଳପୁର ଗ୍ରାମର ରଞ୍ଜିତ ଦାସଙ୍କ ଦୁଇ ବର୍ଷର ଶିଶୁପୁତ୍ର ଖଗେଶ୍ୱର ଦାସ ଆଜି ସମୟ ସକାଳ ୮ଟାରେ ଘର ବାରଣ୍ଡାରେ ଖେଳୁଥିଲେ । ଏତିକି ବେଳେ ଏକ ଅଖା ବସ୍ତା ତଳେ ଥିବା ନାଗ ସାପଟି ଖଗେଶ୍ୱରକୁ ଚୋଟ ମାରିଥିଲା।
ପିଲାଟିର ଚିତ୍କାର ଶୁଣି ଘର ଭିତରୁ ପରିବାର ଲୋକେ ଦୌଡି ଆସି ସାପଟିକୁ ପଳେଇ ଯାଉଥିବାର ଦେଖିଥିଲେ । ଖବର ପାଇ ସ୍ଥାନୀୟ ଜଣେ ସାପ ଧରାଳି ଆସି ନାଗସାପଟିକୁ ଧରିଥିଲେ। ତୁରନ୍ତ ଖଗେଶ୍ୱରକୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। କିନ୍ତୁ ଡାକ୍ତର ଏଠାରେ ମୃତ ଘୋଷଣା କରିଥିଲେ।
ଖବର ପାଇ ତୁରନ୍ତ ପୁରୁଷୋତ୍ତମପୁର ଥାନା ପୋଲିସ ଖଲ୍ଲିକୋଟ ମେଡ଼ିକାଲରେ ପହଞ୍ଚି ଥିଲେ । ଏ ସମ୍ପର୍କରେ ପୁରୁଷୋତ୍ତମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ରଞ୍ଜିତ ଦାସ ଜଣେ ଦିନ ମଜୁରିଆ ହୋଇଥିବା ବେଳେ , ଗାଁ ଠାକୁରାଣୀ ମନ୍ଦିରରେ ମାନସିକ କରି ଠାକୁରାଣୀଙ୍କ ଦୟାରୁ ମାତ୍ର ଦୁଇ ବର୍ଷ ଦୁଇ ମାସ ତଳେ ପାଇଥିଲେ ପୁତ୍ର ସନ୍ତାନ। ଆଜି ଏଭଳି ଅଚାନକ ଭାବେ ସର୍ପାଘାତରେ ପୁତ୍ରକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ।