ବେଜିଂ: ଚୀନରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି । ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ପୋଲ ଚୀନର ଏକ ପ୍ରମୁଖ ନଦୀ ଉପରେ ନିର୍ମାଣ କରାଯାଉଛି । ଶୁକ୍ରବାର ସକାଳେ ନିର୍ମାଣାଧୀନ ପୋଲର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା । ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଚାରି ଜଣ ଶ୍ରମିକ ନିଖୋଜ ଅଛନ୍ତି । ଚୀନ୍ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ଯେ, ଦୁର୍ଘଟଣା ସମୟରେ ପୋଲ ଉପରେ କେବଳ ୧୬ ଜଣ ଲୋକ ଥିଲେ । ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତଦେହ ମିଳିଛି । ବାକି ଚାରି ଜଣଙ୍କ ବଞ୍ଚିବାର ଆଶା ବହୁତ କମ୍ ବୋଲି ଆଶଙ୍କା କରାଯାଉଛି।
ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ରୋବଟ୍ ବ୍ୟବହାର କରାଯାଉଛି । ଦୁର୍ଘଟଣା ସ୍ଥଳର ଫଟୋ ପୁଲିସ ସେୟାର କରିଛି । ଏହି ଫଟୋଗୁଡ଼ିକରେ, ସେତୁର ମଧ୍ୟଭାଗର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ପୋଲର ଉଭୟ ପାର୍ଶ୍ୱ ଝୁଲି ରହିଛି । ଜିନହୁଆ ନ୍ୟୁଜ ଅନୁଯାୟୀ, ଶୁକ୍ରବାର ଭୋର ୩ଟାରେ ଉତ୍ତର-ପଶ୍ଚିମ ଚୀନର କିଙ୍ଗହାଇ ପ୍ରଦେଶରେ ଏହି ସେତୁ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ପୋଲ ଉପରେ ଥିବା ୧୬ ଜଣ ଶ୍ରମିକ ନଦୀକୁ ଖସିପଡ଼ିଥିଲେ । ଏହା ପରେ, ଶ୍ରମିକମାନଙ୍କୁ ଖୋଜିବା ପାଇଁ ଡଙ୍ଗା, ହେଲିକପ୍ଟର ଏବଂ ରୋବଟ୍ ବ୍ୟବହାର କରାଯାଇଥିଲା । ଏପର୍ଯ୍ୟନ୍ତ କେହି ବଞ୍ଚିଥିବାର କୌଣସି ଖବର ନାହିଁ ।
ଚୀନ୍ରେ ଦୁର୍ଘଟଣାର ଶିକାର ହୋଇଥିବା ସେତୁଟି ୧.୬ କିଲୋମିଟର ଲମ୍ବା । ଏହା ନଦୀ ପୃଷ୍ଠରୁ ୧୮୦ ଫୁଟ ଉଚ୍ଚ । ବଡ଼ ସେତୁ ନିର୍ମାଣ ପାଇଁ ଚୀନ୍ ସାରା ବିଶ୍ୱରେ ପ୍ରସିଦ୍ଧ । ଚୀନ୍ର ଇଞ୍ଜିନିୟରମାନେ ଏପରି ଅନେକ ସେତୁ ନିର୍ମାଣ କରିଛନ୍ତି । ସାରା ବିଶ୍ୱରେ ଏସବୁ ବ୍ରିଜ୍ର ସ୍ୱତନ୍ତ୍ର ପରିଚୟ ରହିଛି । ବିଶ୍ୱର ସବୁଠାରୁ ଉଚ୍ଚ ଏବଂ ଲମ୍ବା ସେତୁ ନିର୍ମାଣ କରିବାର ରେକର୍ଡ ମଧ୍ୟ ଚୀନ୍ର ପାଖରେ ଅଛି ।