ଅଜବ ଘଟଣା: ମୃତ ବ୍ୟକ୍ତି ଥାନାକୁ ଯାଇ କହିଲା- ସାର୍ ମୁଁ ବଂଚିଛି, ହେଲେ ମୋତେ ମାରି ଦିଆଯାଇଛି…

ପିପଲିଆ ଗାଁର ଏକ ବସ୍ତିରେ ଶନିବାର ଦିନ ନିଆଁ ଲାଗିଥିଲା । ଏହି ନିଆଁରେ ଜଣେ ସାଧୁଙ୍କର ମୃତ୍ୟୁ ହୋଇଛି ବୋଲି ଗାଁ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଉକ୍ତ ସ୍ଥାନକୁ ଯାଇ ମୃତ ବ୍ୟକ୍ତିକୁ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଖବର କାଗଜରେ ଏହି ମୃତ୍ୟୁ ଖବର ମଧ୍ୟ ପ୍ରକାଶିତ ହୋଇଛି । ଆଶ୍ଚର୍ଯ୍ୟର କଥା, ଯାହାକୁ ମୃତ ବୋଲି ଘୋଷଣା କରାଯାଇଥିଲା ସେହି ବ୍ୟକ୍ତି ନିଜେ ଯାଇ ପୁଲିସ ଥାନାରେ ରବିବାର ଦିନ ପହଂଚିଛନ୍ତି । ଆଉ ପୁଲିସକୁ କହିଛନ୍ତି, ସାର୍! ମୁଁ ସାଧୁ ଉମାଶଙ୍କର । ମୁଁ ବଂଚିଛି । ମାତ୍ର ମୋତେ ମାରି ଦିଆଯାଇଛି । ଯାହାକୁ ଦେଖି ପୁଲିସ ବିଭାଗ ପୁରା ଚକିତ ହୋଇପଡ଼ିଛି ।
ଖବର କାଗଜରେ ନିଜର ମୃତ୍ୟୁ ଖବର ପଢ଼ି ଉମାଶଙ୍କର (ସାଧୁ) ସଙ୍ଗେ ସଙ୍ଗେ କୋତବାଲିରେ ପହଂଚିଥିଲେ । ଉମାଶଙ୍କର କହିଛନ୍ତି ଯେ, ମୁଁ ଦୁଇ ତିନି ମାସ ହେଲା ଗାଁରେ ନ ଥିଲି । ଆଧାର କାର୍ଡ କରିବା ପାଇଁ ଉତ୍ତରପ୍ରଦେଶ ଯାଇଥିଲି । ପରେ କୁମ୍ଭ ମେଳା ଯିବି ବୋଲି ଗଦପୁରରେ ଭିକ୍ଷା ମାଗି ଟଙ୍କାର ବ୍ୟବସ୍ଥା କରୁଥିଲି । ମାତ୍ର ସେହି ନିଆଁରୁ ପୁଲିସ ଉଦ୍ଧାର କରିଥିବା ମୃତ ବ୍ୟକ୍ତି ଜଣକ କିଏ? ତାର ଘର କେଉଁଠି? ଏହାର ସତ୍ୟତା ଜାଣିବା ଏବେ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି । ଏମିତି କି ଉମାଶଙ୍କର ନାଁରେ ଶବ ବ୍ୟବଚ୍ଛେଦ ବି ହୋଇସାରିଥିଲା ।
ଶବ ଉଦ୍ଧାର କରିବା ସମୟରେ ଗାଁ ଲୋକେ ପୁଲିସକୁ ସୂଚନା ଦେଇଥିଲେ କି, ୬୦ ବର୍ଷ ବୟସ୍କ ଜଣେ ସାଧୁ ଏହି ଗାଁରେ ବସବାସ କରୁଥିଲେ । ତାଙ୍କ ନାମ ଉମାଶଙ୍କର। ସେ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଛନ୍ତି। ପୁଲିସ ମଧ୍ୟ ଉମାଶଙ୍କରଙ୍କ ନାଁରେ ଶବ ବ୍ୟବଚ୍ଛେଦ କରିସାରିଛି । ଶବକୁ ନେଇ ଗ୍ରାମବାସୀ ଅନ୍ତିମ ସଂସ୍କାର କରିଦେଇଛନ୍ତି । ଯେଉଁ ଲୋକକୁ ମୃତ ଭାବି ଶବ ବ୍ୟବଚ୍ଛେଦ କରିଦେଇଥିଲେ ଆଜି ସେହି ଲୋକକୁ ପୁଲିସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି ।
ଏବେ ପୁଲିସ ପାଇଁ ଏକ ବଡ଼ ପ୍ରଶ୍ନ ଯେ, ସେହି ନିଆଁ ଭିତରେ ଥିବା ମୃତ ବ୍ୟକ୍ତି ଜଣକ କିଏ? ପୂର୍ବରୁ ଏହି ବ୍ୟକ୍ତିକୁ ମାରି କିଏ ପକାଇ ଦେଇନି ତ! ଏଭଳି ନାନା ରକମର ପ୍ରଶ୍ନ ଏବେ ପୁଲିସ ମନରେ ଉଙ୍କି ମାରୁଛି । କୋଲକତା ଫାର୍ମ ଚୈାକି ପ୍ରଭାରୀ ଳକ୍ଷ୍ମଣ ସିଂହ ଜଗବାଣ କହିଛନ୍ତି, ପୁଲିସ ଯାହା ବି କରିଛି ଗ୍ରାମବାସୀଙ୍କୁ ପଚରାଉଚାର କରିବା ପରେ କରିଛି । ଏଥିପାଇଁ ଶବ ବ୍ୟବଚ୍ଛେଦ କରାଯାଇଥିଲା ବୋଲି ସେ କହିଛନ୍ତି ।