ସୁନ୍ଦରଗଡ଼, ୨୬/୦୨ (ଜୟକୃଷ୍ଣ ସେଠ୍‌) : ଲୋକଲଜ୍ଜାରେ ବୁଦାମୂଳେ ଛାଡ଼ି ଚାଲିଯାଇଥିବା କୁଆଁରୀ ମା’ର ସଦ୍ୟଜାତ ଶିଶୁକୁ କୋଳେଇଛନ୍ତି । ଆନାଥାଶ୍ରମ ପ୍ରାଙ୍ଗଣରେ ପରିଚୟ ଖୋଜୁଥିବା ଶିଶୁକନ୍ୟାଙ୍କୁ ଆଦରି ନେଇଛନ୍ତି । ଗଢ଼ିଛନ୍ତି ଅନେକ ଅନାଥ ପିଲାଙ୍କ ଭବିଷ୍ୟତ । ନିଜ ନାଁକୁ ସାଙ୍ଗିଆ କରି ପରିଚିତ କରାଉଛନ୍ତି ସେମାନଙ୍କୁ । ୧୮ ଯୁବତୀଙ୍କ କନ୍ୟାଦାନ କରି ଦେଇଛନ୍ତି ବାତ୍ସଲ୍ୟ ମମତାର ଅନନ୍ୟ ଉଦାହରଣ । ଅସହାୟ, ନିରାଶ୍ରୟଙ୍କ ପ୍ରତି ଏଭଳି ମମତା ଭାରତୀ ନାହାକଙ୍କୁ ଭିନ୍ନ ଜଣେ ଯଶୋଦା ଭାବେ ପରିଚିତ କରାଇଛି ।

ଗଞ୍ଜାମ ଜିଲ୍ଲା ଆସିକାର ମୂଳନିବାସୀ ଭାରତୀଙ୍କୁ ଏବେ ୪୭ ଟପିଲାଣି । ବାଲ୍ୟାବସ୍ଥାରୁ ଦୁର୍ଦ୍ଦିନକୁ ଅତି ନିକଟରୁ ଦେଖିଥିଲେ ସେ । ମାତ୍ର ୩ ବର୍ଷର ହୋଇଥିବା ବେଳେ ଭାରତୀଙ୍କ ମୁଣ୍ଡ ଉପରୁ ହଟିଗଲା ବାପାଙ୍କ ହାତ । ବାପାଙ୍କ ଦେହାନ୍ତ ପରେ ପରିବାରକୁ ମାଡ଼ିବସିଲା ଦୁର୍ଯୋଗ। ମା’ଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା । ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗୁଲଠାରେ ରହୁଥିବା ବିବାହିତା ବଡ଼ଭଉଣୀ ଓ ଭିଣୋଇ ତାଙ୍କୁ ପାଖକୁ ନେଇଆସିଲେ । ସୁନ୍ଦରଗଡ଼ରେ ଗଢ଼ାହେଲା ଭାରତୀଙ୍କ ଭବିଷ୍ୟତ । କଳାରେ ଡିଗ୍ରୀ, ଏଏନ୍‌ଏମ୍‌ ନର୍ସିଂ, ଏମ୍‌ବିଏ, ଏମ୍‌ଏସ୍‌ଡବ୍ଲୁ ଭଳି ପାଠ୍ୟକ୍ରମ ସଫଳତାର ସହ ସମ୍ପୂର୍ଣ୍ଣ କରିଥିଲେ । କିନ୍ତୁ ବାପାଙ୍କୁ ହରାଇଥିବା ଭାରତୀଙ୍କୁ ଅନାଥ, ଅସହାୟ ପିଲାଙ୍କ ଯନ୍ତ୍ରଣା କଲବଲ କରୁଥିଲା ।

୧୯୯୬ରେ ବେଲସରାରେ ସମାଜସେବୀ ନରସିଂହ ରଣାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ‘ ଜୟଶଙ୍କର ଅନାଥାଶ୍ରମ’ ର ଯୋଡ଼ିହେବା ପରେ ଲକ୍ଷ୍ୟ ପଥରେ ଆଗକୁ ବଢ଼ିବା ପାଇଁ ଭାରତୀଙ୍କୁ ମିଳିଥିଲା ପ୍ରେରଣା । ଆଶ୍ରମରେ ପାଦ ରଖିବା ଦିନରୁ ଭାରତୀ ସମସ୍ତଙ୍କୁ ନିଜର କରି ନେଇଥିଲେ । ଏପରିକି ଅନେକ ଶିଶୁଙ୍କ ନାମକରଣ କରି ସାଙ୍ଗିଆ ନିଜ ନାମ ଅନୁସାରେ ‘ଭାରତୀ’ ରଖୁଥିଲେ । ଭାରତୀଙ୍କ ବଳିଷ୍ଠ ଉଦ୍ୟମରେ ଅନାଥାଶ୍ରମର କଳେବର ବଦଳିଛି । ୨୦୦୯ରୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏଠାକାର ୫୦ଜଣ ଅନ୍ତେବାସୀଙ୍କୁ ଅନୁଦାନ ଯୋଗାଇ ଦିଆଯାଉଛି । ଏଠାରେ ୧୧୦ରୁ ଊଦ୍ଧ୍ୱର୍ ପିଲା ରହୁଥିବାରୁ ଅନ୍ୟମାନଙ୍କ ଖର୍ଚ୍ଚ ଯୋଗାଡ଼ କରିବାକୁ ସଂଘର୍ଷ କରିବାକୁ ପଡୁଛି । ତଥାପି ଦାୟିତ୍ୱରୁ ପଛକୁ ହଟିନାହାନ୍ତି ଭାରତୀ । ଭାରତୀଙ୍କ ବିବାହ ହୋଇଛି ଏବଂ ସେ ଦୁଇ ସନ୍ତାନର ଜନନୀ । ସ୍ୱାମୀ ସୁଶୀଲଙ୍କ ସହ ମିଶି ଆଶ୍ରମର ୧୮ ଜଣ ଯୁବତୀଙ୍କ ବିବାହ ରୀତିନୀତି ଅନୁଯାୟୀ କରାଇଛନ୍ତି । ସେମାନେ ଏବେ ପ୍ରତିଷ୍ଠିତ ପରିବାରର ବୋହୂ । ହସଖୁସିରେ ଜୀବନ ବିତାଉଛନ୍ତି । ସେମାନେ କହନ୍ତି, ଭାରତୀ ମା’ଙ୍କ କୋଳରେ ବଢ଼ିଛୁ । ଭଲ ପାଠ ପଢ଼ି ମଣିଷ ହୋଇଛୁ । ତାଙ୍କ ଦିଗ୍‌ଦର୍ଶନ ଆମକୁ ନୂଆ ପରିଚୟ ଦେଇଛି । ଭାରତୀ କହନ୍ତି, ଏଭଳି ପିଲାମାନେ ଭଲ ମଣିଷ ହୋଇ ବାହାରିବାର ଦେଖିଲେ ଆତ୍ମସନ୍ତୋଷ ମିଳେ । ଜୀବନ ଥିବା ଯାଏ ଅସହାୟଙ୍କ ସେବା ଜାରି ରଖିବେ ବୋଲି କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- କୋୟା ସଂସ୍କୃତି ସୁରକ୍ଷାରେ ଶାନ୍ତି; ଗଢ଼ିଛନ୍ତି ୨ ଦଳ, ରାଜ୍ୟ ଓ ଜାତୀୟସ୍ତରରୁ ମିଳିଲାଣି ସ୍ୱୀକୃତି