ମାଲକାନଗିରି,୨୫/୦୨: ଦୁର୍ଗମ ଆଦିବାସୀ ଗାଁରେ ତାଙ୍କ ଜନ୍ମ । ଶିକ୍ଷାଗତ ଯୋଗ୍ୟତା ମାତ୍ର ଅଷ୍ଟମ । ତଥାପି ସରପଞ୍ଚ ଭାବେ କାମ କରିଛନ୍ତି ୫ ବର୍ଷ । ନିଜ ପଞ୍ଚାୟତର ବିକାଶମୂଳକ କାମରେ ନିଜକୁ ସାମିଲ କରିଛନ୍ତି । ତଥାପି ଭୁଲିନାହାନ୍ତି ନିଜ କଳା ଓ ସଂସ୍କୃତିକୁ । କୋୟା ପରମ୍ପରା ଓ ସଂସ୍କୃତିର ସୁରକ୍ଷା ପାଇଁ ମାତ୍ର ୧୫ ବର୍ଷ ବୟସରୁ ଜାରି ରଖିଛନ୍ତି ସଂଘର୍ଷ । ନିଜ ସମ୍ପ୍ରଦାୟର ୨୦ ମହିଳା ଓ ୧୦ ଜଣ ପୁରୁଷଙ୍କୁ ନେଇ ଗଢ଼ିଛନ୍ତି ଦୁଇଟି ନୃତ୍ୟଦଳ । ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ବେଶ୍ ସ୍ୱାବଲମ୍ବୀ କରାଇଛନ୍ତି । ଏବେ ଏହି ଦଳ ଜାତୀୟସ୍ତରରେ ସୁନାମ ଅର୍ଜନ କରିସାରିଲାଣି । ଏହାକୁ ନେଇ ଏବେ ଚର୍ଚ୍ଚାରେ କୋୟା ଆଦିବାସୀ ମହିଳା ଶାନ୍ତି କବାସୀ ।

କୋରୁକୋଣ୍ଡା ବ୍ଲକ୍ ମାଟାପେକା ପଞ୍ଚାୟତର ପାହାଡ଼, ଜଙ୍ଗଲ ଘେରା କୋୟାଗିରି ଗାଁରେ ଶାନ୍ତିଙ୍କ ଜନ୍ମ । ମାତ୍ର ୧୫ ବର୍ଷ ବୟସରେ ହରାଇଥିଲେ ବାପା ଗଙ୍ଗାଧର କବାସୀଙ୍କୁ । କିନ୍ତୁ ବାପାଙ୍କଠାରୁ ଶିଖିଥିବା କଳାକୁ ଆଜିଯାଏଁ ଭୁଲିନାହାନ୍ତି । ଗଙ୍ଗାଧର ପତ୍ନୀ ଭୀମେ କବାସୀଙ୍କ ସହ ମିଶି କୋୟା ସଂସ୍କୃତିକୁ ବଞ୍ଚାଇ ରଖିବା ଲାଗି ଅନେକ ପ୍ରୟାସ କରିଥିଲେ । ବିଭିନ୍ନ ସ୍ଥାନରେ ନୃତ୍ୟଗୀତ କରି ପଇସା ରୋଜଗାର କରୁଥିଲେ । ସମ୍ପ୍ରଦାୟର ଅନ୍ୟ କେତେକ ଲୋକଙ୍କୁ ଏଥିରେ ସାମିଲ କରାଇ ସେମାନଙ୍କ ପେଟକୁ ଦାନା ଯୋଗାଉଥିଲେ । ତାଙ୍କ ମୃତ୍ୟୁ ପରେ ଶାନ୍ତି ଏହି କଳାକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରିଥିଲେ । ଆର୍ଥିକ ଅନଟନ ଯୋଗୁ ପାଠରେ ଡୋରି ବାନ୍ଧିଥିଲେ । ଗଙ୍ଗାଧରଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଅଣ୍ଟା ଭିଡି଼ଥିଲେ ।

କୋୟା ନୃତ୍ୟକୁ ଦେଶ ବିଦେଶରେ ପରିଚିତ କରାଇବା ପାଇଁ ଏକାଠି କରିଥିଲେ ନିଜ ସମ୍ପ୍ରଦାୟର ପ୍ରାୟ ୩୦ ଜଣଙ୍କୁ । ୨୦ ମହିଳା ଓ ୧୦ ପୁରୁଷଙ୍କୁ ନେଇ ଗଢ଼ିଲେ ୨ଟି ନୃତ୍ୟଦଳ । ପୁରୁଷମାନଙ୍କ ମୁଣ୍ଡରେ ରହିଲା କଉଡ଼ିମାଳ ଓ ଗୟଳ ଶିଙ୍ଗର ମୁକୁଟ । ହାତରେ ଢୋଲ ଓ ମର୍ଦ୍ଦଳ(ଡେଗା) । ଏଭଳି ବେଶରେ ସଜ୍ଜିତ ହୋଇ ବାଦ୍ୟର ତାଳେତାଳେ ନାଚ କରିବା ସମୟରେ ମହିଳାମାନେ ବିଭିନ୍ନ ଅଳଙ୍କାର ପରିଧାନ କରି ହାତରେ ଲୁହା ଝୁମୁକା ଧରି ସାଥ୍ ଦେଇଥାନ୍ତି । ଏହି ନୃତ୍ୟଦଳ ଏବେ ଜିଲ୍ଲାରୁ ଆରମ୍ଭ କରି ରାଜ୍ୟ ଓ ଜାତୀୟସ୍ତରରେ ପହଞ୍ଚିଛନ୍ତି । ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଏହାକୁ ପ୍ରତ୍ୟେକ ସଦସ୍ୟଙ୍କ ଭିତରେ ଭାଗବଣ୍ଟା କରୁଛନ୍ତି ଶାନ୍ତି । ଏଥିସହ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ୫ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।

ଏହି ନୃତ୍ୟ ଦଳ ରାଜ୍ୟ ଓ ଜାତୀୟସ୍ତରରେ ବହୁବାର ପୁରସ୍କୃତ ହୋଇଛନ୍ତି ଏବଂ ପ୍ରମାଣପତ୍ର ହାସଲ କରିଛନ୍ତି । କେବଳ ସେତିକି ନୁହେଁ, ଶାନ୍ତିଙ୍କ ଉଦ୍ୟମରେ ତାଙ୍କ ଦଳର ସମସ୍ତ ୩୦ ସଦସ୍ୟ କଳାକାର ଭତ୍ତା ବି ପାଉଛନ୍ତି । ୨୦୦୨ ପଞ୍ଚାୟତ ନିର୍ବାଚନରେ ମାଟାପେକା ପଞ୍ଚାୟତ ଆସନ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିଲା । ଶାନ୍ତି ଗାଁର ଏକମାତ୍ର ଶିକ୍ଷିତା ଥିବାରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏଥିରେ ବିଜୟୀ ହୋଇ ଶାନ୍ତି ପଞ୍ଚାୟତର ଭଲମନ୍ଦ ସବୁକଥା ବୁଝିଥିଲେ । ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୨୫ ବର୍ଷ । ଲୋକପ୍ରତିନିଧି ଭାବେ କାମ କରୁଥିଲେ ହେଁ ନିଜ କଳାକୁ ଭୁଲି ନ ଥିଲେ ।

ଆହୁରି ପଢନ୍ତୁ-କିଶୋରୀ ଓ ମହିଳାଙ୍କୁ ମାଗଣାରେ ମିଳିବ ଜରାୟୁ କ୍ୟାନ୍ସର ସଞ୍ଜିବନୀ, ୨୮ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

୨୦୦୩ ମସିହା ପରଠୁ ନିଜ ନୃତ୍ୟଦଳକୁ ସାଥୀରେ ନେଇ ଜାତୀୟସ୍ତରରେ ପହଞ୍ଚାଇଥିଲେ । ପରବର୍ତ୍ତୀ ସମୟରେ ଆଉ ପଞ୍ଚାୟତ ନିର୍ବାଚନରେ ଭାଗ ନ ନେଇ ନିଜ ସଂସ୍କୃତି ସୁରକ୍ଷାରେ ଲାଗି ପଡ଼ିଛନ୍ତି । ୨୦୧୧ ମସିହାରେ ଜିଲ୍ଲା ସଦର ମହକୁମାର ସମାଜସେବୀ ସନ୍ତୋଷ କୁମାର ଜେନାଙ୍କୁ ବିବାହ କରିଛନ୍ତି । ସେବେଠାରୁ ସନ୍ତୋଷ ମଧ୍ୟ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି । ଏବେ ଶାନ୍ତି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ତାଙ୍କ ପ୍ରଚେଷ୍ଟାରୁ କୋୟା ଶିଙ୍ଗ ନୃତ୍ୟ ପାଇଛି ସ୍ୱତନ୍ତ୍ର ପରିଚୟ । ୩୦ ପରିବାରକୁ ମିଳିଛି ରୋଜଗାର ।