ନୂଆଦିଲ୍ଲୀ ୨୯/୦୪: ବିହାର ଛପରାରେ ଜଣେ ଯୁବତୀ ବୟଫ୍ରେଣ୍ଡଙ୍କୁ ବିବାହ ଜିଦ୍ରେ ଜୀବନକୁ ବିପଦରେ ପକାଇଛନ୍ତି । ସେ ଯାହା କରିଛନ୍ତି, ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସେ ୨୦୦ ଫୁଟ ଉଚ୍ଚ ଏକ ମୋବାଇଲ ଟାୱାରରେ ଚଢ଼ି ରିଲ୍ କଲେ ଏବଂ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କଲେ । ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କ ପୋଷ୍ଟକୁ ପ୍ରାୟ ୧୧ ହଜାର ୟୁଜର ଦେଖିଲେ ।
ମାମଲା ଏମିତି । ୟୁପିର ଆଜମଗଡ଼ ବାସିନ୍ଦା ଅଞ୍ଜଳି ରାଜଭର (୨୮) ଗତ ୩ ବର୍ଷ ହେଲା ଅଜୟ ମାନ୍ଝୀ ନାମକ ଜଣେ ଯୁବକଙ୍କ ସହ ସମ୍ପର୍କରେ ଥିଲେ । ଅଜୟଙ୍କ ଘର ଲୋକ ଯେତେବେଳେ ଉଭୟଙ୍କ ସମ୍ପର୍କ ବିଷୟରେ ଜାଣିଲେ, ବିବାହକୁ ସିଧା ସିଧା ମନା କରିଦେଲେ । କହିଲେ ଯେ ଅଜୟ ଯଦି ବିବାହ କରିବେ, ତେବେ ତାଙ୍କୁ ପରିବାର ଛାଡ଼ିବାକୁ ପଡ଼ିବ । ଏହା ପରେ ଅଜୟ ଅଞ୍ଜଳିଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଲେ । ଏଥିରେ ମର୍ମାହତ ଅଞ୍ଜଳି ସିଧା ଛପରା ପହଞ୍ଚିଗଲେ ଏବଂ ୨୦୦ ଫୁଟ ଉଚ୍ଚ ଟାୱାରରେ ଚଢ଼ିଗଲେ ।
ସେଠାରୁ ଭିଡିଓ କରି କହିଲେ, ଅଜୟଙ୍କୁ ବିବାହ ନ କଲେ ସେ ତଳକୁ ଡେଇଁପଡ଼ିବେ । ସେ ପ୍ରଥମେ ଏକ ଚିଠି ଲେଖିଲେ, ଯେଉଁଥିରେ ନିଜ ମୃତ୍ୟୁ ପାଇଁ ଅଜୟ ଓ ତାଙ୍କ ପରିବାରକୁ ଦାୟୀ କଲେ । ତାଙ୍କ ଭିଡିଓ କିଛି ସମୟ ମଧ୍ୟରେ ଭାଇରାଲ ହୋଇଗଲା । ଘଟଣାସ୍ଥଳରେ ପ୍ରାୟ ୫ ହଜାର ଲୋକ ଜମା ହୋଇଗଲେ । ୬ ଘଣ୍ଟା ଧରି ଲୋକେ ଅଞ୍ଜଳିଙ୍କୁ ବୁଝାଇଲେ, କିନ୍ତୁ ସେ ତଳକୁ ଓହ୍ଲାଇଲେ ନାହିଁ । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ଟିମ୍ ପହଞ୍ଚିଲେ । ଜଣେ ପୁଲିସ ଓ ଟାୱାର ଷ୍ଟାଫ୍ ଉପରକୁ ଚଢ଼ିଲେ । ଅଞ୍ଜଳିଙ୍କୁ ପାଣି ପିଇବାକୁ ଦେଲେ ଏବଂ ସୁରକ୍ଷିତ ତଳକୁ ଓହ୍ଲାଇଲେ ।
ଆହୁରି ପଢ଼ନ୍ତୁ...ଆପଣଙ୍କ ପରେ କିଏ ଚଲାଇବ ଡିଜିଟାଲ ଆକାଉଣ୍ଟ? ସରକାର ଆଣିବେ ଇଚ୍ଛାପତ୍ର