ଧରାକୋଟ,୨୪/୦୧: ଧରାକୋଟ ବ୍ଲକ ମୁଣ୍ଡମରାଇ ଗ୍ରାମରେ ଘଟିଛି ହୃଦୟ ବିଦାରକ ଘଟଣା। ଜଣେ ୪ ବର୍ଷର ଶିଶୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ। ମୃତକ ନାବାଳକ ଜଣକ ହେଲେ ଗ୍ରାମର ଗୋବିନ୍ଦ ପାତ୍ରଙ୍କ ପୁଅ ନିତେଶ ପାତ୍ର। ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ ନିତେଶ ଆଜି ସଂଧ୍ୟା ୪ ଟା ୩୦ ସମୟରୁ ଘରେ ନଥିଲେ। ପରିବାର ଲୋକେ ସେ କେଉଁଆଡେ ଚାଲି ଯାଇଛି ବୋଲି ଖୋଜା ଖୋଜି କରିଥିଲେ। ହେଲେ ତାଙ୍କର କୌଣସି ସୁରାଖ ପାଇ ନଥିଲେ। ପରେ ସାହିର କିଛି ପିଲାଙ୍କଠାରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ନିତେଶକୁ କ୍ରୀତନ ସେଠୀଙ୍କ ସାନ ପୁଅ ଶ୍ରୀକାନ୍ତ ଧରିଥିଲେ। ତେଣୁ ପରିବାର ଲୋକେ ଶ୍ରୀକାନ୍ତଙ୍କ ଘରକୁ ଯାଇଥିଲେ ସେଠାରେ ତାଙ୍କ ପୁଅ ନିତେଶଙ୍କ ଜୋତା ପଡ଼ିଥିବା ଦେଖିଥିଲେ। ତେଣୁ ସେମାନଙ୍କ ସନ୍ଦେହ ବଢିଥିଲା। ପରେ ସେମାନେ ନିତେଶର ରକ୍ତ ଜୁଡୁବୁଡୁ ମୃତଦେହକୁ ପାଇଥିଲେ। ଏବେ ପରିବାର ଲୋକେ ଶ୍ରୀକାନ୍ତଙ୍କୁ ହତ୍ଯାକାରୀ ବୋଲି ଅଭିଯୋଗ କରୁଥିବା ବେଳେ ପୋଲିସ ନାବାଳକ ନିତେଶର ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛି।