ବ୍ରହ୍ମପୁର,୦୮।୦୨:  ଗଞ୍ଜାମର ଅଧିଷ୍ଠ।ତ୍ରୀ ଦେବୀ ମା’ ତାରାତାରିଣୀ ପୀଠରେ ଆଜି ହୁଣ୍ଡି ଖୋଲାଯାଇଛି । ହୁଣ୍ଡିରୁ ଟଙ୍କା ଓ ଅଳଙ୍କାର ମିଳିଥିବାବେଳେ ଥିଲା ଖଣ୍ଡିଏ ହାତ ଲେଖା ଚିଠି । କାହାର ନାମ ଓ ଠିକଣା ଲେଖାଯାଇନି । ଜଣେ କୁନି ଭକ୍ତ ମାଆଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ପରିବାରକୁ ଘଣ୍ଟ ଘୋଡ଼ାଇ ରଖ । ମାଆଙ୍କ ହୁଣ୍ଡିରେ ମିଳିଥିବା କୁନି ଭକ୍ତର ଚିଠି ପଢ଼ି ସମସ୍ତେ ଠାକୁରାଣୀଙ୍କୁ ନିବେଦନ କରିଥିଲେ ଭକ୍ତର ମନସ୍କାମନା ପୂରଣ କରିବାକୁ ।

ଆହୁରି ପଢନ୍ତୁ-ସାଇତି ରଖିଛନ୍ତି ବହୁ ମୂଲ୍ୟବାନ ପୁରାତନ ପୋଥି, ପ୍ରାଚୀନ ସଂସ୍କୃତି, କଳା ଓ ସାହିତ୍ୟକୁ ବଞ୍ଚାଇବା ମୂଳ ଲକ୍ଷ୍ୟ

ଚିଠିରେ ଲେଖାଥିଲା, ହେ ମା’ ତାରାତାରିଣୀ ତୁ ତ ସବୁ କଥା ଜାଣୁ । ମୁଁ କେମିତି ଅଛି । ମୋ ପରିବାର କେମିତି ଅଛି । ମୁଁ ଯଦି ପିଲାବେଳୁ ଏତେ ଦୁଃଖ ସହିବି ବଡ଼ ହେଲେ ମୋ ଭାଗ୍ୟରେ କ’ଣ ଲେଖା ହୋଇନଥିବ । ମୁଁ ଏତେ ଦୂରରୁ ଆସିଛି ତତେ କିଛି ମାଗିବାକୁ । ଖାଲି ଏତିକି କହିବି, ମତେ ପାଠ ଓ ବୁଦ୍ଧି ଦେ । ମୋ ଭାଇନାଙ୍କୁ ବୁଦ୍ଧି ଦିଅ, ଭଲରେ ରଖ । ମୋ ବୋଉକୁ ଭଲରେ ରଖେ । ତା’ମନରେ କେବେ ଦୁଃଖ ଦେବୁନି । ମୋ ଜେଜେ ଓ ଜେଜୀଙ୍କୁ ଭଲରେ ରଖ । ତୁ ଜାଣୁ, ଆମ ପଛରେ ଗୋଟିଏ ଶତ୍ରୁ ଲାଗି ରହିଛି । ତାକୁ କେମିତି ଆମ ରାସ୍ତାରୁ ଦୂରେଇ ଦେ ମାଆ । ମୁଁ ଛୋଟ ପିଲା ହୋଇ ମଧ୍ୟ ମୋର ବହୁତ ଆଶା ରହିଛି । ହଉ ମାଆ ମୋ ମନସ୍କାମନା ପୂରଣ କରିବୁ । ଭଲରେ ଥା ଲୋ ମାଆ । ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ଓଏସ୍ଡି ବିନୋଦ ବେହେରା କହିଛନ୍ତି, ଚିଠିକୁ ସାଇତି ରଖାଯାଇଛି । ଭକ୍ତର ମନସ୍କାମନା ନିଶ୍ଚିତ ଭାବେ ମାଆ ପୂରଣ କରିବେ ବୋଲି ସେ କାମନା କରିଛନ୍ତି ।