ରାୟଗଡ଼ା,୦୮।୦୨: ବରିଷ୍ଠ ଗବେଷକ ଶ୍ରୀରଙ୍ଗ ନାୟକ । ବଳିଷ୍ଠ ସାଧନା ଦ୍ୱାରା ସାଇତି ରଖିଛନ୍ତି ୧୫ ଶହ ବର୍ଷ ତଳର ଇତିହାସ, ବିଭିନ୍ନ ପୁରାତନ ମନ୍ଦିରର ଲିପି ଓ ରାଜବଂଶାବଳୀ । ବିଷମକଟକର ଏହି ଗବେଷକ ଏକାଧାରରେ ଜଣେ ସୁପରିଚିତ ଗବେଷକ, ସାହିତ୍ୟିକ, ସଂଗ୍ରହକ, ସୁବକ୍ତା, ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ, ଆଦର୍ଶ ଶିକ୍ଷକ, ଆଲୋଚକ, ବହୁ ଅନୁଷ୍ଠାନର ଉପଦେଷ୍ଟା, ସମ୍ପାଦକ, ତନ୍ତ୍ର ଏବଂ ଯୋଗଶାସ୍ତ୍ରଜ୍ଞ । ସେ ଜିଲ୍ଲା ତଥା ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି । ନିଜ ଗବେଷଣା ପାଇଁ ଦେଶବିଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅଥଚ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରିନି କୌଣସି ସ୍ୱୀକୃତି ।
ଗଞ୍ଜାମର ମୂଳନିବାସୀ ଶ୍ରୀରଙ୍ଗ ରାୟଗଡ଼ା ଜିଲ୍ଲାର ସଂସ୍କୃତି, ପରିବେଶ ଓ ସାହିତ୍ୟକୁ ଭଲପାଇ ବହୁବର୍ଷ ହେଲା ବିଷମକଟକରେ ରହି ଆସୁଛନ୍ତି । ଜୟପୁର, ରାୟଗଡ଼ା, ଗୁଣପୁର, ବିଷମକଟକ ଅଞ୍ଚଳର ରାଜବଂଶ, ଦେବାଦେବୀ ମନ୍ଦିର, ପର୍ବପର୍ବାଣୀ, ଯାନିଯାତ୍ରା ସହ ତାମ୍ର ଫଳକ, ମନ୍ଦିରର ଲିପି ସମ୍ପର୍କରେ ବହୁ ବହି, ପ୍ରବନ୍ଧ ଲେଖିବା ସହ ପ୍ରମାଣସଂଗ୍ରହ କରି ଅନେକ ତଥ୍ୟ ରଖିଛନ୍ତି । ଏ ଅଞ୍ଚଳର ରାଜବଂଶାବଳୀ, ଅପ୍ରକାଶିତ ପାଣ୍ଡୁଲିପିଗୁଡ଼ିକର ଉଦ୍ଦୃତ ଦାନଲିପି କରି ପ୍ରାମାଣିକ ଇତିହାସ ରଖିଛନ୍ତି । ବହୁ ସ୍ଥାନ ଓ ଅଞ୍ଚଳ ଭ୍ରମଣ କରି ବିଶିଷ୍ଟ ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି । ନିରବଚ୍ଛିନ୍ନ ଭାବେ ଗବେଷଣା କରି ବହୁ ତଥ୍ୟ ଏବଂ ବ୍ୟକ୍ତିତ୍ୱଙ୍କୁ ଲୋକଲୋଚନକୁ ଆଣିଛନ୍ତି । ତାଙ୍କ ସାରସ୍ୱତ କୃତି ଓ ବିଭିନ୍ନ ବିଷୟକୁ ନେଇ ବହୁ ଗ୍ରନ୍ଥ ସହ ଶହେରୁ ଅଧିକ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶିତ ହୋଇଛି। ଆହୁରି ପଢନ୍ତୁ-ଅଭିଜିତ୍ଙ୍କ ମୃତ୍ୟୁ ତଥ୍ୟକୁ ନେଇ ବିବାଦ, ଘରୋଇ ହସ୍ପିଟାଲ୍ର ତ୍ରୁଟିପୂର୍ଣ୍ଣ ଚିକିତ୍ସା କାରଣ କହିଲେ ପତ୍ନୀ
ବର୍ତ୍ତମାନ ସୁଦ୍ଧା ତାଙ୍କର ୮ ଖଣ୍ଡ ବହି ଓ ତନ୍ତ୍ର ଗବେଷଣା ଉପରେ ୫୦ରୁ ଅଧିକ ପ୍ରବନ୍ଧ ପ୍ରକାଶିତ ହୋଇଛି । ତାଙ୍କ ଜୀବନର ମୂଳ ଲକ୍ଷ୍ୟ ମାଟି ମା’ର ପ୍ରାଚୀନ ସଂସ୍କୃତି, କଳା ଭାସ୍କର୍ଯ୍ୟ, ସାହିତ୍ୟକୁ ବଞ୍ଚାଇ ରଖିବା । ପ୍ରାଚୀନତାକୁ ଅନ୍ୱେଷଣ କରି ତାକୁ ସାମ୍ମାନିତ କରିବା ବୋଲି କହିଛନ୍ତି ଶ୍ରୀରଙ୍ଗ । ୧୮୯୦ ମସିହାରେ ପ୍ରକାଶିତ ଦୁର୍ଲଭ ବହି ହେଉ କିମ୍ବା ୧୯୨୧ ମସିହାର ଗାନ୍ଧି ସମାଚାର(ଯାହାର ମୂଲ୍ୟ ସେତେବେଳେ ୨ ପଇସା ଥିଲା) । ଓଡ଼ିଶାରେ ଗୋଟିଏ ମାତ୍ର ଶ୍ରୀରଙ୍ଗଙ୍କ ପାଖରେ ଥିଲା । ତାହା ବର୍ତ୍ତମାନ ଜିଲ୍ଲା ସଂସ୍କୃତି ଭବନ ସଂଗ୍ରହାଳୟରେ ରହିଛି । ସେ ଏହାକୁ ଦାନ କରିଦେଇଛନ୍ତି । ସେଥିପାଇଁ ଦେଶବିଦେଶର ବହୁ ଗବେଷକ ମୂଲ୍ୟବାନ ତଥ୍ୟ ପାଇବା ପାଇଁ ଶ୍ରୀରଙ୍ଗଙ୍କ ନିକଟକୁ ଆସୁଛନ୍ତି । ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଶ୍ରୀରଙ୍ଗ । ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ, ଆଜି ପର୍ଯ୍ୟନ୍ତ ଏତେ ବଡ଼ ପ୍ରତିଭାଙ୍କୁ ସରକାରୀସ୍ତରରେ କୌଣସି ସ୍ୱୀକୃତି ମିଳିପାରିନି ।
ଆହୁରି ପଢନ୍ତୁ-ସରିଲା ଗୋଲାପ ଦିଆନିଆ, ଆଜି ପ୍ରେମ ନିବେଦନ
ମନ୍ଦିର ଲିପି, ରାଜବଂଶାବଳୀ ସମ୍ପର୍କରେ ଇତିହାସ ସାଉଁଟିଛନ୍ତି । ତାଙ୍କ ତଥ୍ୟ ସଂସ୍କୃତି ଭବନରେ ଧୂଳି ଚାଟୁଛି । ତଥାପି ସେ ନିଜ ସାଧନା ଜାରି ରଖିଛନ୍ତି । ମା' କାଳୀଙ୍କ ଭକ୍ତ ଏବଂ ନିଜ ମାଆଙ୍କୁ ସେ କାଳୀ ରୂପରେ ପାଇଛନ୍ତି ଓ ପୂଜା କରନ୍ତି ବୋଲି କହିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ପୁରାତନ ଇତିହାସ ସମ୍ପର୍କରେ ସେ ତତ୍କ୍ଷଣାତ ଅନର୍ଗଳ କହିପାରନ୍ତି । ତତ୍କାଳୀନ ଜିଲ୍ଲାପାଳ ଜଗନ୍ନାଥ ମହାନ୍ତିଙ୍କ ନିବେଦନକ୍ରମେ ଜୀବନତମାମ ଯାହାସବୁ ତଥ୍ୟ ସଂଗ୍ରହ କରିଥିଲେ, ତାହା ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ଶ୍ରୀରଙ୍ଗ ହସ୍ତାନ୍ତର କରିଥିବା ରାୟଗଡ଼ା ଜିଲ୍ଲାର ବହୁ ପୁରାତନ ଇତିହାସର ସଂଗୃହିତ ପ୍ରମାଣଗୁଡ଼ିକ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଏବେ ନଷ୍ଟ ହେବାରେ ଲାଗିଛି ।