ଯୁବକଙ୍କୁ ଚପଲରେ ପିଟି ଯୁବତୀ ହଟହଟା, ଭୁଲମାଗି ଦୌଡ଼ିଲେ ଯୁବତୀ

ପୁରୀ,୨ା୬(ବ୍ୟୁରୋ): ବଡ଼ଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା । ବୁଧବାର ବଡଶଙ୍ଖରେ ଜଣେ ଯୁବତୀ ଜଣେ ଯୁବକଙ୍କ ବାଇକ ଅଟକାଇ ଚପଲ୍ରେ ପିଟିଛନ୍ତି । ଯୁବତୀଙ୍କ ଫିଲ୍ମ ଷ୍ଟାଇଲ୍ ମାଡ ଦେଖି ଘଟଣା ସ୍ଥଳରେ ପରିସ୍ଥିତି ଜଟିଳ ହୋଇଛି । ଏଭଳି କ୍ଷେତ୍ରରେ ସମସ୍ତ ସ୍ଥାନରେ ଯୁବତୀଙ୍କୁ ସମର୍ଥନ ମିଳୁଥିବାବେଳେ ବଡ଼ଦାଣ୍ଡରେ ତାହା ସମ୍ପୂର୍ଣ୍ଣ ଓଲଟା ହୋଇଛି । ଶତାଧିକ ଯୁବକ ରୁଣ୍ଡ ହୋଇ ମାଡ଼ ଖାଇଥିବା ଯୁବକଙ୍କୁ ସମର୍ଥନ ଦେଇଛନ୍ତି । ଶେଷରେ ଯୁବତୀ କରିଥିବା କର୍ମ ପାଇଁ ଭୁଲ୍ ସ୍ୱୀକାର କରିବା ପରେ କାନ୍ଦି କାନ୍ଦି ଦୌଡିଛନ୍ତି ।
ଖାଲି ସେତିକି ନୁହେଁ । ଏହି ଘଟଣା ପାଇଁ ବିଚରା ପୁଲିସ ବି ଯେଉଁ କଲବଲ ହୋଇଛି ତାହା ବି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ପାଇବା ପରେ ନାଲିନେଳି ବତି ଜଳାଇ ପିସିଆର୍ ସିନା ଘଟଣା ସ୍ଥଳରେ ପହଞ୍ଚିଯାଇଛି । ହେଲେ ବାବୁମାନେ ନାକେଦମ୍ ହୋଇ ଫେରିଛନ୍ତି । ମାଡ଼ ଖାଇଥିବା ଯୁବକଙ୍କୁ ଧରିଥିଲେ ମଧ୍ୟ ଥାନାକୁ ନେଇ ପାରି ନାହାନ୍ତି । କାରଣ ବାବୁମାନେ ଲେଡି ପୁଲିସଙ୍କୁ ସାଥୀରେ ନଆଣି ଆସିଥିବାରୁ ହଡବଡ ହୋଇ ଯୁବକଙ୍କୁ ଛାଡି ଚାଲି ଯାଇଛନ୍ତି ।
ଘଟଣା ଥିଲା ଏହିଭଳି । ଯୁବକ ଜଣକ ଲୋକନାଥ ରୋଡ ହାତୀଶାଳ ଅଞ୍ଚଳର । ସେ ଗୁଣ୍ଡିଚା ମନ୍ଦିର ପଟୁ ଡାକ୍ତରଖାନା ଛକଆଡକୁ ବାଇକ ଯୋଗେ ଯାଉଥିଲେ । ବାଇକ ଧୀରେ ଚାଲୁଥିବାବେଳେ ସେ ମୋବାଇଲ୍ରେ କଥା ହୋଇ ଯାଉଥିଲେ । ବିପରୀତ ଦିଗରୁ ଚାଲି ଚାଲି ଆସୁଥିଲେ ଜଣେ ଯୁବତୀ । ଯୁବକ ଜଣକ ତାଙ୍କ ବନ୍ଧୁଙ୍କୁ ମୋବାଇଲ ନମ୍ବର ମାଗୁଥିବାବେଳେ ଯୁବତୀଙ୍କ ମୁଣ୍ଡକୁ ଚଢି ଯାଇଥିଲା ପିତ୍ତ । ହଠାତ୍ ବାଇକକୁ ଅଟକାଇ ଦେଇଥିଲେ ଯୁବତୀ । ପାଦରୁ ଖୋଲିଥିଲେ ଚପଲ । ଢୋ ଢୋ କରି ଯୁବକଙ୍କ ଗାଲରେ ଲଗାଇଦେଲେ ପ୍ରହାର । ଭାବିଥିଲେ ଦେଖୁଥିବା ଲୋକେ ତାଙ୍କୁ ଯୁବତୀ ବୋଲି ସମର୍ଥନ କରିବେ । ହେଲେ ଫଳ ହେଲା ଓଲଟା । ଯୁବତୀଙ୍କ ମାତ୍ରାଧିକ ରିଆକ୍ସନ୍ ଦେଖି ବିଗିଡି ଗଲେ ଦେଖଣାହାରୀ । ତଥାପି ବୁଝାଇଥିଲେ ବି ବୁଝି ନଥିଲେ ଯୁବତୀ । ତେଣୁ ଯୁବକଙ୍କ ମୋବାଇଲ ଚେକ୍ କରିବାବେଳେ ସେ ଜଣେ ବନ୍ଧୁଙ୍କ ସହ ଫୋନ୍ ଲାଇନ୍ରେ ଥିଲେ ।
ଏହାପରେ ଶତାଧିକ ଲୋକଙ୍କ ଭିଡ ଜମିଯାଇଥିଲା । ଯୁବତୀ କିଛି ନବୁଝି ଜଣେ ଯୁବକଙ୍କୁ ହଠାତ୍ ଚପଲରେ ମାରିବା ଅନୁଚିତ୍ ବୋଲି ଲୋକେ କହିଥିଲେ । ଏହାପରେ ଯୁବକଙ୍କୁ ଭୁଲ୍ ମାଗିବା ପାଇଁ ସମସ୍ତେ ଯୁବତୀଙ୍କୁ ବାଧ୍ୟ କରିଥିଲେ । ଭୟଭୀତ ହୋଇ ଯୁବତୀ ଶେଷରେ ଭୁଲ୍ ମାଗିଥିଲେ । ଏହାପରେ ଯୁବତୀଙ୍କ ତାଉ ମଧ୍ୟ କମି ନଥିଲା । ତାଙ୍କ ବନ୍ଧୁମାନଙ୍କୁ ଫୋନ୍ ମାଧ୍ୟମରେ ଡାକିଥିଲେ । ଏହାପରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢିଥିଲା । ଖବର ପାଇ ପିସିଆର୍ ଭ୍ୟାନ୍ ପହଞ୍ଚିଥିଲା । ଯୁବତୀଙ୍କ ମୌଖିକ ଅଭିଯୋଗକ୍ରମେ ଯୁବକଙ୍କୁ ନେଇ ପୁଲିସ ଭ୍ୟାନ୍ରେ ବସାଇଲା । କିନ୍ତୁ ସାଥୀରେ ନଥିଲେ ଲେଡି ପୁଲିସ । ତେଣୁ ପୁରୁଷ ପୁଲିସ ଯୁବତୀଙ୍କୁ ଭ୍ୟାନ୍ରେ ବସାଇପାରି ନଥିଲେ ।
ସେପଟେ ଯୁବତୀଙ୍କୁ ନନେଲେ ନିର୍ଦ୍ଦୋଷ ଯୁବକଙ୍କୁ ଥାନାକୁ ନେଇ ପାରିବ ନାହିଁ ବୋଲି ଜିଦ୍ ଧରିଥିଲେ ଲୋକେ । ଏହି ମୌକାରେ ଯୁବତୀ କାନ୍ଦି କାନ୍ଦି ଦୌଡିଥିଲେ । ତାଙ୍କ ପଛରେ ଉପସ୍ଥିତ ଲୋକଙ୍କ ସହ ପୁଲିସ ମଧ୍ୟ କିଛି ବାଟ ଗୋଡାଇଥିଲେ ବି ଅଟକାଇ ପାରି ନଥିଲେ । ପ୍ରାୟ ଏକ ଘଣ୍ଟା କାଳ ଉତ୍ତେଜନା ଲାଗି ରହିଥିଲା । ବଡଦାଣ୍ଡ ଜାମ୍ ହୋଇଥିଲା । ଘଣ୍ଟାଏ ପରେ ପହଞ୍ଚିଲେ ଲେଡି ପୁଲିସ । ସେତେବେଳେ ଯୁବତୀ ଖସି ପଳାଇଥିବାରୁ ଯୁବକଙ୍କୁ ଛାଡ ବୋଲି ଦାବି କରି ଭ୍ୟାନ୍ ସମ୍ମୁଖରେ ହୋହଲ୍ଲା କରିଥିଲେ ଲୋକେ । ତେଣୁ ଯୁବକଙ୍କୁ ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲା ପୁଲିସ ।