ନୂଆଦିଲ୍ଲୀ ୩୧/୦୩: ସ୍ୱିଜରଲାଣ୍ଡର ବିଶ୍ୱପ୍ରସିଦ୍ଧ ଫୁଡ୍ ବ୍ରାଣ୍ଡ ନେଷ୍ଟଲେର ବିପୁଳ ପରିମାଣର ଚକଲେଟ୍ ଚୋରି ହୋଇଛି । ଏକ ବିବୃତ୍ତିରେ କମ୍ପାନି କହିଛି, ୟୁରୋପରେ ଏକ ଟ୍ରକ୍‌ରେ ଯାଉଥିବା ୪୧୩,୭୯୩ ଚକଲେଟ୍ ବାର୍ ରାସ୍ତାରୁ ଚୋରି ହୋଇଛି, ଯାହାର ଓଜନ ୧୨ ଟନ୍ । ଗତ ସପ୍ତାହ ଚକଲେଟ୍ ପରିବହନ ସମୟରେ ଉତ୍ପାଦନ ଓ ବିତରଣ ସ୍ଥଳୀ ମଧ୍ୟରେ ଚୋରି ହୋଇଥିଲା । ଏହି ଘଟଣା ଇଷ୍ଟର ପୂର୍ବରୁ ଚକଲେଟ୍ ଯୋଗାଣରେ ବାଧକ ହୋଇପାରେ ବୋଲି କମ୍ପାନି କହିଛି ।

କମ୍ପାନି ଅନୁସାରେ, ସେଣ୍ଟ୍ରାଲ ଇଟାଲିରୁ ଚକଲେଟ୍ ଟ୍ରକ୍ ପୋଲାଣ୍ଡ ଅଭିମୁଖେ ଯାତ୍ରା କରୁଥିଲା । ମାର୍ଗରେ ଅନେକ ୟୁରୋପୀୟ ଦେଶରେ ଚକଲେଟ୍ ବିତରଣ ଏହାର ଯୋଜନା ଥିଲା । ତେବେ ଚୋରି ହୋଇଥିବା ସ୍ଥାନ ବିଷୟରେ କମ୍ପାନି ସୂଚନା ଦେଇନାହିଁ । ଉଭୟ ଟ୍ରକ୍ ଓ ଉତ୍ପାଦ ମଧ୍ୟ ଚିହ୍ନଟ ହୋଇପାରି ନାହିଁ । ସ୍ଥାନୀୟ ଅଧିକାରୀ ଓ ଯୋଗାଣ ଶୃଙ୍ଖଳା ଭାଗିଦାରୀମାନେ ମିଳିତ ଭାବେ ଚୋରି ମାମଲାର ଯାଞ୍ଚ କରୁଛନ୍ତି ।

ଇତିମଧ୍ୟରେ ଚୋରି ମାଲ୍‌କୁ ଟ୍ରାକ୍ କରିବାର ଏକ ଉପାୟ କମ୍ପାନି କହିଛି । ପ୍ରତ୍ୟେକ ଚକଲେଟ୍ ବ୍ୟାଚ୍‌ରେ ଏକ ସ୍ୱତନ୍ତ୍ର କୋଡ୍ ରହିଛି । ଯଦି କେହି ଏହି କୋଡ୍ ସ୍କାନ୍ କରେ, ତେବେ ତାକୁ ସିଧା କମ୍ପାନି ସହ ସମ୍ପର୍କ କରିବାକୁ ନିର୍ଦ୍ଦେଶ ମିଳିବ । ଏହା ଦ୍ୱାରା ଚୋରି ଉତ୍ପାଦ ଚିହ୍ନଟ କରିବା ସହଜ ହେବ । ଖାସ୍ କଥା ହେଉଛି କିଟ୍‌କାଟ୍ ଏହି ଘଟଣା ସମ୍ପର୍କରେ ମଜାଳିଆ ଅନ୍ଦାଜ୍‌ରେ ଟିପ୍ପଣୀ ଦେଇଛି । କହିଛି, ଆମକୁ ମାନିବାକୁ ପଡ଼ିବ ଯେ ଚୋରମାନଙ୍କର ପସନ୍ଦ ପ୍ରକୃତରେ ଚମତ୍କାର । କିନ୍ତୁ କାର୍ଗୋ ଚୋରି ଏବେ ସବୁ ପ୍ରକାର ବ୍ୟବସାୟ ପାଇଁ ବଡ଼ ସମସ୍ୟା ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ...ଇରାନ ପ୍ରତି ଭାରତର ସହୃଦୟତା: ପିଲା ସାଇକେଲ ଦେଲେ, କୁମ୍ପି ଭାଙ୍ଗିଲେ