ନୂଆଦିଲ୍ଲୀ ୩୧/୦୩: ଯୁଦ୍ଧର ଧ୍ୱଂସଲୀଳା କେବଳ ସୀମା ଆରପଟେ ସୀମିତ ରହେନାହିଁ । ତା’ର ପରିଣତି ସମଗ୍ର ମାନବ ସମାଜକୁ ଭୋଗିବାକୁ ପଡ଼େ । କିନ୍ତୁ ଏହି ଯନ୍ତ୍ରଣାକୁ କମ୍ କରିବାକୁ କିଛି ଲୋକ ଆଗେଇ ଆସନ୍ତି । ଇରାନ ଯୁଦ୍ଧରେ ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳୁଛି । ଭାରତର ବିଭିନ୍ନ କୋଣରୁ ମାନବିକତାର ହୃଦୟସ୍ପର୍ଶୀ କାହାଣୀ ସାମ୍ନାକୁ ଆସୁଛି । ଲଦାଖର ଲେହଠୁ ଜମ୍ମୁ-କାଶ୍ମୀର ଚନ୍ଦରକୋଟ ଓ ବଡ଼ଗାମ, ଲୋକେ ଯୁଦ୍ଧଗ୍ରସ୍ତ ଇରାନ ପାଇଁ ମନଖୋଲି ସାହାଯ୍ୟ କରୁଛନ୍ତି ।
ଲେହର ଏକ ଦୃଶ୍ୟ ମାନବିକତାର ଜ୍ୱଳନ୍ତ ଉଦାହରଣ ହୋଇଛି । ଲୋକେ ଟଙ୍କା, ମୂଲ୍ୟବାନ ବସ୍ତୁ, ଗହଣା ଓ ଜରୁରି ସାମଗ୍ରୀ ଦାନ କରୁଛନ୍ତି । ଏକ ଭିଡିଓରେ ଜଣେ ଛୋଟ ଝିଅ ନିଜ କୁମ୍ପି ଭାଙ୍ଗି ସେଥିରେ ଜମା କରିଥିବା ଟଙ୍କା ଦାନ କରିଛନ୍ତି । ସେତିକି ନୁହେଁ, ଅନେକ ପିଲା ନିଜ ନିଜ ସାଇକେଲ ବି ଦାନ କରିଛନ୍ତି । ଲଦାଖରେ ଗତ ୩୦ ଦିନ ହେଲା ନିରନ୍ତର ଦାନ ଅଭିଯାନ ଚାଲିଛି । ଇରାନକୁ ସାହାଯ୍ୟ ପଠାଇବା ଲାଗି ଲୋକେ ନିୟମିତ ଉପଷମ ସାମଗ୍ରୀ ଏକତ୍ର କରୁଛନ୍ତି । କାରଗିଲରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆୟୋଜିତ ଦାନ ଅଭିଯାନରେ ଏକ କୁକୁଡ଼ା ୧.୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଏହାକୁ ଇରାନ ରିଲିଫ୍ ଫଣ୍ଡକୁ ଦାନ କରାଯାଇଛି ।
ଏହା ପୂର୍ବରୁ ସମାନ ଦୃଶ୍ୟ ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାର ଚନ୍ଦରକୋଟରେ ଦେଖିବାକୁ ମିଳିଥିଲା । ଏଠାରେ ଲୋକେ ନିଜ ସାମର୍ଥ୍ୟଠୁ ଆଗକୁ ବଢ଼ି ଦାନ କରିଥିଲେ । କିଏ ଟଙ୍କା, କିଏ ବାସନ ତ ଆଉ କିଏ ସୁନା-ରୁପା ବି ଦାନ କରିବାକୁ ପଛାଇ ନ ଥିଲେ । ଏଠାରେ ବି ଇରାନ ପାଇଁ କୁନି କୁନି ପିଲା କୁମ୍ପି ଭାଙ୍ଗିଥିଲେ । ମହିଳା ନିଜ ଗହଣା-ଚୁଡ଼ି ଓ କାନ ଝୁମୁକା ଉତାରି ଦାନ କଲେ । ଏମିତିକି କିଛି ଲୋକ ନିଜ ପିଲାଙ୍କ ଗହଣା ମଧ୍ୟ ଦାନ ଦେଲେ । ଜଣେ ବ୍ୟକ୍ତି ନିଜ ଗୃହପାଳିତ ପଶୁ ଦାନ କରିଥିଲେ । ଏହି ଭାବନାକୁ ଦେଖି ଭାରତରେ ଅବସ୍ଥାପିତ ଇରାନ ଦୂତାବାସ ଭାବୁକ ହୋଇପଡ଼ିଥିଲା । ଗତ ୨୨ ତାରିଖରେ ଦୂତାବାସ କହିଥିଲା, ଆମେ ଆପଣଙ୍କ ଦୟା ଓ ମାନବିକତାକୁ କଦାପି ଭୁଲିବୁ ନାହିଁ । ଧନ୍ୟବାଦ ଭାରତ ।
ଆହୁରି ପଢ଼ନ୍ତୁ...‘ପିଏମ ମୋଦୀ ହିଁ ରୋକି ପାରିବେ ଇରାନ-ଆମେରିକା ଯୁଦ୍ଧ’, କାହିଁକି ଏଭଳି କହିଲେ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ?