PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଆଦିବାସୀ ମେଳା: ସଞ୍ଜ ନଇଁଲେ ମନ ଥୟ ଧରୁନି

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ଖାଣ୍ଟି ଜଙ୍ଗଲିଆ ଜିନିଷ ସାଙ୍ଗକୁ ପାହାଡ଼ିଆ ଲୋକଙ୍କ ସରଳିଆ ଜୀବନଶୈଳୀ । ପୁଣି ଭଳିକି ଭଳି ପଥର କାରୁକାର୍ଯ୍ୟ । ଆଉ ବିଭିନ୍ନ ରକମର ଘରକରଣା ଜିନିଷ । ତା’ ସାଙ୍ଗକୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ । ଏଭଳି ଏକ ସଙ୍ଗମକୁ ହାତ ଛଡ଼ା କରିବାକୁ ନାରାଜ ରାଜଧାନୀବାସୀ । ଏଥିପାଇଁ ସଞ୍ଜ ନଇଁବା ପୂର୍ବରୁ ସବୁ କାମ ସାରି ସିଧା ହେଉଛନ୍ତି ଘରମୁହାଁ । ଆଉ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହିତ ବାହାରି ପଡ଼ୁଛନ୍ତି ପ୍ରଦର୍ଶନୀ ପଡ଼ିଆକୁ ।
ଆୟୋଜକମାନେ ବି ମେଳାରେ ଦର୍ଶକଙ୍କ ପାଇଁ ଖଞ୍ଜି ଦେଇଛନ୍ତି ସବୁ ବ୍ୟବସ୍ଥା । ଗାଁ ପରିବେଶ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ ଆଉ ଭଳିକି ଭଳି ମନୋଲୋଭା ଜିନିଷ ସବୁ କିଛି ଯୋଗାଇ ଦିଆଯାଇଛି ହାତ ପାହାନ୍ତାରେ । ଯାହାର ଭରପୂର ମଜା ଉଠାଉଛନ୍ତି ଦର୍ଶକ ।
ମେଳାରେ ସବୁଠୁ ଅଧିକ ଭିଡ଼ ଜମୁଛି ଆଦିବାସୀ ହାଟରେ । ଏଠାରେ ବିକ୍ରି ହେଉଥିବା ବାସୁମତି ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି, ମହୁ, ଲାଖ, ଝୁଣା, ହରିଡ଼ା, ବାହାଡ଼ା, ଅଁଳା ଭଳି ଜିନିଷ ଲୋକଙ୍କ ବେଶି ପସନ୍ଦ ଆସୁଛି । ରାସାୟନମୁକ୍ତ ଏସବୁ ଜିନିଷ କିଣିବାକୁ ବର୍ଷ ତମାମ ଅପେକ୍ଷା କରିଥାନ୍ତି ରାଜଧାନୀବାସୀ । ତେଣୁ ଏହାକୁ ଯଥେଷ୍ଟ ପରିମାଣରେ ସମସ୍ତେ କିଣି ନେଉଛନ୍ତି ।
ଏହାଛଡ଼ା ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ବି ଚାହିଦାରେ ରହିଛି । ଆକର୍ଷଣୀୟ ଜିନିଷ ସାଙ୍ଗକୁ ରିହାତି ଦର ସମସ୍ତଙ୍କ କିଣିବାକୁ ବାଧ୍ୟ କରୁଛି । ଏସବୁ ବ୍ୟତୀତ ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀମାନେ ପ୍ରସ୍ତୁତ କରିଥିବା ନୂଆ ମଡେଲ୍‌ ବି ନଜର ଟାଣୁଛି । ଏଥର ଫୁଲଛାଡ଼ୁ ଓ ହଳଦୀର ବି ଆଦର ରହିଥିବା ଦେଖିବାକୁ ମିଳିଛି ।
କେବଳ ସେତିକି ନୁହେଁ, ଆଦିବାସୀମାନେ ତିଆରି କରିଥିବା ଝାଟିମାଟି ଘର, ଦୁଆର ମୁହଁରେ ଚାଷ ହୋଇଥିବା ବନ୍ଧା କୋବି ଆଉ ଅଗଣାରେ ତୁଳସୀ ଚଉରା ଦେଉଛି ଭିନ୍ନ ଏକ ଅନୁଭୂତି । ଯୁବପିଢ଼ିମାନେ ଏଭଳି ଦୃଶ୍ୟକୁ ସ୍ମୃତି ଭାବେ ସାଇତି ରଖିବାକୁ ମନସ୍ଥ କରୁଛନ୍ତି । ଏଥିପାଇଁ ସାଙ୍ଗସାଥୀଙ୍କ ଗହଣରେ ବିଭିନ୍‌ ପୋଜ୍‌ରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି ।