PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ଦିନକ ପରେ ଚନ୍ଦ୍ରଭାଗା ମାଘବୁଡ, ଆଜି ଜମିବେ ଶ୍ରଦ୍ଧାଳୁ

source:www.trawell.in

କୋଣାର୍କ,୧୦ା୨(ଆପ୍ର): ମଙ୍ଗଳବାର ଭୋର ୪ଟାରେ ପବିତ୍ର ଚନ୍ଦ୍ରଭାଗା ମାଘବୁଡ଼ । ଏଥି ପାଇଁ ସୋମବାରଠାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସି ଏହି ପବିତ୍ର ମୁହୂର୍ତ୍ତକୁ ଅପେକ୍ଷା କରିବେ । ତେଣୁ ପୂରା ରାତିଟା କାଟିବେ ମେଳା ପଡ଼ିଆରେ । ମେଳା ପଡ଼ିଆରେ ଶ୍ରଦ୍ଧାଳୁ ଅସ୍ଥାୟୀ କୁଡ଼ିଆ ତିଆରି କରି ସେଥିରେ ରାତି କାଟିବେ । କୁଡ଼ିଆ ପାଖରେ ଅସ୍ଥାୟୀ ଚୁଲି ତିଆରି କରି ମାଟି ହାଣ୍ଡିରେ ଭାତ, ଡାଲମା ରାନ୍ଧିବେ । ଡାଲମାରେ ଶୁଖୁଆ ପଡ଼ିବ । ଏହା ବୁଡ଼ ପୂର୍ବରୁ ଏକ ନିଆର ପରମ୍ପରା । ସନ୍ଧ୍ୟାରୁ ଶୁଖୁଆ ଡାଲମାରେ ମହକିବ ମେଳା ପଡ଼ିଆ । ହାଣ୍ଡିଭଙ୍ଗା ପୁଷ୍କରିଣୀରେ ହାଣ୍ଡି ଭାଙ୍ଗିବେ ଶ୍ରଦ୍ଧାଳୁ । ଭୋର ୩ଟା୫୦ରେ ଠାକୁରଙ୍କ ମହାସ୍ନାନ ପରେ ଅପେକ୍ଷାରତ ସାଧୁସନ୍ଥ, ଭକ୍ତ ପବିତ୍ର ବୁଡ଼ ପକାଇବେ ।

ସୁରକ୍ଷା ବ୍ୟବସ୍ଥା
ଚନ୍ଦ୍ରଭାଗା ମାଘବୁଡ଼ରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥି ନିମନ୍ତେ ୧୨ଜଣ ଡିଏସ୍‌ପି, ୪ଜଣ ଏଏସ୍‌ପି, ଡିଆଇବି ଡିଏସ୍‌ପି, ଆଇଆଇସି ୨୪, ଏସ୍‌ଆଇ ଓ ଏଏସ୍‌ଆଇ ୧୧୨, ହାବିଲଦାର ୩୩, କନଷ୍ଟେବଳ ୧୩୧, ହୋମଗାର୍ଡ ୩୦୦, ଟ୍ରାଫିକ ହାବିଲଦାର ଓ କନଷ୍ଟେବଳ ୧୮, ସାଦା ପୋଷାକଧାରୀ ପୁଲିସ, ବମ୍‌ ସ୍କ୍ୱାଡ୍‌, ଓଡ୍ରାଫ ଟିମ୍‌, ଲାଇଫ୍‌ ଗାର୍ଡ ୨୦ଜଣ, କ୍ୟୁଆର୍‌ଟି ଟିମ୍‌ ୨ ଓ ୩୦ ପ୍ଲାଟୁନ ପୁଲିସ ଫୋର୍ସ ସହିତ ୨୦୦ଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି ।

ଯାନବାହନ କଟକଣା
ସୋମବାର ସନ୍ଧ୍ୟା ୭ଟାରୁ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି । ଭୁବନେଶ୍ୱରରୁ କୋଣାର୍କ ଆସୁଥିବା ଯାତ୍ରୀବାହୀ ବସ ଜୁଣେଇ ଛକ, କାକଟପୁରରୁ ଆସୁଥିବା ଯାନବାହନ କୋଣାର୍କ ବସଷ୍ଟାଣ୍ଡ, ପୁରୀରୁ କୋଣାର୍କ ଆସୁଥିବା ବସ ରାମଚଣ୍ଡୀ ପୀଠରେ ଯାତ୍ରୀମାନଙ୍କୁ ଓହ୍ଲାଇ ରାମଚଣ୍ଡୀ ନିକଟରେ ପାର୍କିଂ କରିବ । ବାଇକ୍‌ଗୁଡ଼ିକ ବତୀ ଘର ନିକଟ ପାର୍କିଂସ୍ଥଳରେ ପାର୍କିଂ କରିବ । ସମସ୍ତ ୪ଚକିଆ ହାଲକା ଯାନ ଓ ଅଟୋ ହେଲିପ୍ୟାଡ୍‌ ନିକଟରେ ପାର୍କିଂ କରିବ ।

ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସ୍ଥା
ବୁଡ଼ ପାଇଁ ମେଳା ପଡିଆରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ବିଦ୍ୟୁତ୍‌, ଆଲୋକ, ପାନୀୟ ଜଳ ବ୍ୟବସ୍ଥା ହୋଇଛି । ମେଳା ପଡ଼ିଆର ବିଭିନ୍ନ ସ୍ଥାନରେ ୪୦ଟି ଷ୍ଟାଣ୍ଡ୍‌ ପୋଷ୍ଟ୍‌, ଅସ୍ଥାୟୀ ନଳକୂପ, ପାଣି ଟ୍ୟାଙ୍କର ବ୍ୟବସ୍ଥା ହୋଇଥିବା ବେଳେ ଅସ୍ଥାୟୀ ପାଇଖାନା ନିର୍ମାଣ ହୋଇଛି ।