ଗଞ୍ଜାମ, ୨।୬: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ଗାଁରେ ଚାଞ୍ଚଲ୍ୟକର ଘଟଣା । ସ୍ତ୍ରୀ ଓ ଶ୍ୱଶୁର ମିଶି ପୁଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା ଓ ଭାଇ । ଗୋବିନ୍ଦପୁର ଗାଁର କାଳିଆ ସେଠୀ ବିଗତ ୧୩ ବର୍ଷ ପୂର୍ବେ ପୋଲସରା ଥାନା ଡିମ୍ବିରିଆ ଗ୍ରାମର ମୋଚିରାମ ସେଠୀଙ୍କ ଝିଅ ପୂଜା ସେଠୀକୁ ଭଲ ପାଇ ବିବାହ କରିଥିଲେ । କିଛି ଦିନ ହେବ ପରିବାର ସୁରୁଖୁରରେ ଚଳିବା ପରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା ।
ସ୍ୱାମୀ କାମ କରିବାକୁ ବାହାରକୁ ଯିବା ପରେ ସ୍ତ୍ରୀ ଅନ୍ୟ କାହା ସହ ଫୋନରେ କଥା ହେଉଥିବା କାଳିଆ ଜାଣିବାକୁ ପାଇଥିଲେ । ଏଥିପାଇଁ ସ୍ତ୍ରୀଙ୍କୁ ବାରଣ ମଧ୍ୟ କରିଥିଲେ । କିନ୍ତୁ, ଏହା ପରଠାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହେଲା । ଫେବୃଆରୀ ମାସରେ ପୂଜା ବାପ ଘରକୁ ଯାଇ ଆଉ ଫେରିନଥିଲେ । କିନ୍ତୁ, କାଳିଆଙ୍କୁ ପୂଜା ଫୋନରେ ଧମକ ଦେଉଥିବା କାଳିଆଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ପୂଜାଙ୍କ ବାପା କାଳିଆକୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି । ହେଲେ ଗତ ରାତିରେ କାଳିଆ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଆସି ଛୁରୀରେ ଭୁସି, ହାତକୁ ହାଣି ଫେରାର ହୋଇଯାଇଛନ୍ତି । ଏନେଇ କାଳିଆଙ୍କ ବାପା ଓ ଭାଇ ଥାନାରେ ଏତଲା ଦେଇଛନ୍ତି । ଖବର ପାଇ କବିସୂର୍ଯ୍ୟନଗର ପୋଲସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଥାନା କେସ୍ ନଂ ୩୯୫/୨୫ରେ ମାମଲା ରୁଜୁ କରି BNS ଧାରା ୧୦୩ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟପଟେ ଘଟଣାସ୍ଥଳରେ ପୁରୁଷୋତ୍ତମପୁର SDPO ମଧ୍ୟ ପହଞ୍ଚିଥିବା ଜଣାପଡ଼ିଛି ।