ଗୋଲ୍ଡେନ୍ ବାବାଙ୍କ ନାଁରେ ଆଉ ଏକ ମାମଲା

source:m.dailyhunt.in
ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଗୋଲ୍ଡେନ୍ ବାବା ଓରଫ୍ ଜ୍ୟୋତିରଞ୍ଜନ ବେଉରାଙ୍କ ଅଡୁଆ ବଢ଼ି ଚାଲିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଠକାମିର ତାଲିକା ଲମ୍ବି ଚାଲିଛି । ପୁଣି ଏକ ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି ଗୋଲ୍ଡେନ୍ ବାବା । ଜଣେ ଖଣି ମାଲିକଙ୍କୁ ୪ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡିଛି । କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟ) ଏନେଇ ତନାଘନା ଚଳାଇଛି ।
ଚେକ୍ ଜାଲିଆତି ମାମଲାରେ ଗିରଫ ଜ୍ୟୋତିରଞ୍ଜନଙ୍କ ଠକେଇ ତାଲିକା ଏବେ ଲମ୍ବି ଚାଲିଛି । ପୂର୍ବରୁ ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଥାନାରେ ହୋଇଥିବା ଚେକ୍ ଜାଲିଆତି ଓ ଠକେଇ ମାମଲାର ତଦନ୍ତ ଚାଲିଛି । ଏବେ ପୁଣି ଜଣେ ଖଣି ମାଲିକଙ୍କ ଠାରୁ ଠକେଇ କରିଥିବାର ଅଭିଯୋଗ ହୋଇଛି । କେନ୍ଦୁଝରର ଜଣେ ଖଣି ମାଲିକଙ୍କୁ ଅଧିକ ଫାଇଦା ଦେବାର ପ୍ରଲୋଭନ ଦେଖାଇ ୨ ବର୍ଷ ତଳେ ୪କୋଟି ଟଙ୍କା ଉଠାଇଥିଲେ । ପରେ ଆଉ ତାଙ୍କୁ ଧରା ଛୁଆଁ ଦେଉନଥିଲେ । ଜ୍ୟୋତିରଞ୍ଜନ ଗିରଫ ପରେ ଖଣି ମାଲିକ ଜଣକ ଏନେଇ ଅଭିଯୋଗ ଉଠାଇଛନ୍ତି । ଇଓଡବ୍ଲ୍ୟୁ ଅଧିକାରୀ ଏହି ଘଟଣାର ଖୋଳତାଡ଼ କରିପାରେ ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ୧୨.୫ କୋଟି ଟଙ୍କା ଚେକ୍ ଜାଲିଆତି ମାମଲାରେ ଡିସେମ୍ବର ୩୧ରେ ଗୋଲ୍ଡେନ୍ ବାବାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଥିଲା । ଏକ ଘରୋଇ ଲକ୍ରରୁ ୪୦ ଲକ୍ଷ ଟଙ୍କାର ସୁନା ଜବତ କରିଥିଲା । ଇଓଡବ୍ଲ୍ୟୁ ତଦନ୍ତ କରି ନୀଳାଦ୍ରିବିହାରସ୍ଥିତ ସିକ୍ରେଟ୍ ଚାମ୍ବରରୁ ପୁଳାପୁଳା ଜାଲ ଡକ୍ୟୁମେଣ୍ଟ, ନକଲି ରବରଷ୍ଟାମ୍ପ ଆଦି ପାଇଥିଲା । ଚନ୍ଦ୍ରଶେଖରପୁର, ପଟିଆ ଅଞ୍ଚଳର ୭ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଥିଲା । ଏଥିରୁ ୫୧ ଲକ୍ଷ ଟଙ୍କା ମିଳିଥିଲା ।