ଭୋଗରାଇ,୩୦/୧୧: ଡିଜେଲ ପିଇ ଦେଢ ବର୍ଷ ଶିଶୁପୁତ୍ରର ମୃତ୍ୟୁ। ମୃତ ଶିଶୁପୁତ୍ର ଜଣକ ହେଲେ ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଖରିଦପିପଳ ପଞ୍ଚାୟତ ଅନ୍ତର୍ଗତ ଆରୁହାବୃତ୍ତି-୨ ଗ୍ରାମର ଅଜୟ କୁମାର ବେହରାଙ୍କ ପୁଅ। ସୂଚନା ମୁତାବକ, ଅଜୟ ଇଞ୍ଜିନ ରିକ୍ସା ଚଳାଇ ଜୀବିକା ନିର୍ବାହ କରନ୍ତି। ମଙ୍ଗଳବାର ସକାଳେ ସେ ଘର ପାଖରେ ନିଜ ଇଞ୍ଜିନ ରିକ୍ସାରେ ଡିଜେଲ ଭର୍ତ୍ତି କରିବା ପରେ ଏକ ଡବାରେ କିଛି ବଳକା ଡିଜେଲ ରିକ୍ସା ପାଖରେ ରଖିଥିଲେ।
ଅଜୟ ରିକ୍ସା ସଜାଡିବାରେ ବ୍ୟସ୍ତ ଥିଲା ବେଳେ ତାଙ୍କ ଅଜାଣତରେ ଡବାରେ ଥିବା ଡିଜେଲକୁ ତାଙ୍କର ପୁଅ ପିଇ ଦେଇଥିଲେ। ପୁଅ ଡିଜେଲ ପିଇଦେଇଥିବା ଜାଣିପାରି ଅଜୟ ତାଙ୍କୁ ତୁରନ୍ତ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଶିଶୁ ଭବନକୁ ନିଆଯାଇଥିଲା। ସେଠାରୁ ପୁଣି ଭୁବନେଶ୍ୱର ଆପୋଲ ହସ୍ପିଟାଲକୁ ନିଆଯାଇଥିଲା। ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକେ ମୃତ ଶିଶୁ ପୁତ୍ରଟିକୁ ଗାଁକୁ ଆଣି ଅନ୍ତିମ ସଂସ୍କାର କରିଛନ୍ତି। ଅଜୟଙ୍କ କ୍ରମାଗତ ତିନି ଜଣ ଝିଅ ଜନ୍ମ ହେବା ପରେ ବହୁ ଦେବାଦେବୀଙ୍କୁ ପୂଜା କରି ଏହି ପୁଅଟିକୁ ପାଇଥିଲେ। ହେଲେ ତା'ର ମୃତ୍ୟୁରେ ତାଙ୍କ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।