କୁଜଙ୍ଗ,୦୬/୦୧: ଆଳି ପିଙ୍ଗଳ ଜେଲ୍ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ପାରୋଲ୍ରେ ଯାଇ ଦୀର୍ଘ ଏବ ବର୍ଷରୁ ଅଧିକହେବ ଆଉ ଫେରି ନାହାନ୍ତି । ଏନେଇ ଆଳିପିଙ୍ଗଳ ଜେଲ୍ର ଅଧୀକ୍ଷକ ଅଭିଯୋଗ କରିବା ପରେ ଘଟଣାଟି ପଦାକୁ ଆସିଛି । କଏଦୀ ଫେରାର ହେବା ନେଇ କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଆଲୋଚନାର ବିଷୟ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, କୁଜଙ୍ଗଥାନା ଅଧୀନ ମଙ୍ଗରାଜପୁର ଗ୍ରାମର ଗଙ୍ଗାଧରମଲ୍ଲିକଙ୍କ ପୁଅ ଛବିନ୍ଦ୍ର ମଲ୍ଲିକ(୩୭) ୨୦୧୩ରେ ଘଟିଥିବା ଏକ ହତ୍ୟା ମାମଲାରେ ଗିରଫହୋଇଥିଲା । ଆଳି ପିଙ୍ଗଳ କାରାଗାରରେଆଜୀବନ ସଜା କାଟୁଥିଲା । ୨୦୧୫ ଅଗଷ୍ଟ୨୧ରେ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଛବିନ୍ଦ୍ରକୁ ଆଜୀବନ କାରାଦଣ୍ଡ ହୋଇଥିଲା । ସେବେଠାରୁ ଛବିନ୍ଦ୍ର ଆଳି ପିଙ୍ଗଳ ଜେଲ୍ରେ ଥିଲା । ୨୦୨୪ସେପ୍ଟେମ୍ବର ୨୭ରେ ଅଭିଯୁକ୍ତ ଛବିନ୍ଦ୍ର ୨୧ ଦିନପାଇଁ ସ୍ୱତନ୍ତ୍ର ଅନୁମତି(ପାରୋଲ୍)ରେ ଘରକୁ ଆସିଥିଲା । ୨୧ ଦିନ ପରେ ସେ ଜେଲ୍ରେ ହାଜର ହେବା କଥା ହେଲେ ଆଜିକୁ ୧ ବର୍ଷ ୩ମାସ ହେବ ସେ ଆଉ ଜେଲ୍କୁ ଫେରିନାହିଁ । ଏ ସଂକ୍ରାନ୍ତରେ ଜେଲ୍ ଅଧୀକ୍ଷକ ମଦନ ମୋହନମାରାଣ୍ଡି ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ । ପର ମୁହୂର୍ତ୍ତରେ ଏହି ମାମଲାଟି କୁକୁଜଙ୍ଗ ଥାନାକୁ ସ୍ଥାନାନ୍ତର ହୋଇଥିଲା । ଶ୍ରୀମାରାଣ୍ଡିଙ୍କ ଏତଲା କ୍ରମେ କୁଜଙ୍ଗ ପୁଲିସ ମାମଲା ଏକ ରୁଜୁ କରି ତନାଘନା ଆରମ୍ଭ କରିଛି ।
ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ଜାଣିବାକୁ ପାଇଛି ଛବିନ୍ଦ୍ର ଅନ୍ୟ ଜିଲ୍ଲାର ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କ ଥିଲା । ତାଙ୍କ ସହିତ ରାଜ୍ୟ ବାହାରେ କେଉଁଠାରେ ରହୁଛନ୍ତି । ଏଠାରେ ପ୍ରଶ୍ନଉଠିଛି, ପାରେଲ୍ ଅବଧି ସରିବା ପରେ ଛବିନ୍ଦ୍ର ଜେଲ୍ ନ ଫେରିବା ପରେ ଅଧୀକ୍ଷକ ତୁରନ୍ତ ଏନେଇ ଅଭିଯୋଗ ନ କରି ଏତେ ଦିନ ବିଳମ୍ବରେ କାହିଁକି ଅଭିଯୋଗ କଲେ । ଯଦି ଆଗରୁ ଏ ସଂକ୍ରାନ୍ତରେ ଜାଣିଥିଲେ ତେବେ କାହିଁକି ଚୁପ୍ ରହିଥିଲେ । ଜେଲ୍ ବିଭାଗର ଅପାରଗତାକୁ ନେଇ ପ୍ରଶ୍ନ ଉଠିଛି ।