ନୂଆଦିଲ୍ଲୀ,୧୮\୭ : ଭାରତରେ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣ ମିଳୁଥିଲେ ମଧ୍ୟ, ଏତେ ବଡ଼ ଜନସଂଖ୍ୟା ଭିତରେ ଭିଟାମିନ୍ 'ଡି' ଅଭାବରେ ଅନେକ ପୀଡିତ । ଏହି ନ୍ୟୁଟ୍ରିସନର ଅଭାବ ପ୍ରାରମ୍ଭରେ ଚିହ୍ନଟ ହୋଇପାରେ ନାହିଁ, କିନ୍ତୁ ସମୟ ସହିତ ଏହା ବିଭିନ୍ନ ସମସ୍ୟା ସୃଷ୍ଟି କରେ । ଲୋକମାନେ ପ୍ରାୟତଃ ଥକ୍କାପଣ, ଶରୀର ଯନ୍ତ୍ରଣା କିମ୍ବା ମାଂସପେଶୀ ଯନ୍ତ୍ରଣାକୁ ଦୈନନ୍ଦିନ ସମସ୍ୟା ବୋଲି ଭାବନ୍ତି। କିନ୍ତୁ କ'ଣ ଆପଣ ଜାଣନ୍ତି ଯେ ଭିଟାମିନ୍ 'ଡି' ଅଭାବ ସହିତ ଏହି ସବୁ ଲକ୍ଷଣର ସିଧା ସମ୍ପର୍କ ରହିଛି ?  । ଏହା କେବଳ ହାଡ଼କୁ ଦୁର୍ବଳ କରେ ନାହିଁ ବରଂ ପୁରା ଶରୀରକୁ ଦୁର୍ବଳ କରିବାରେ ଲାଗିଥାଏ । ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ଏଣ୍ଡୋକ୍ରାଇନୋଲୋଜି ଆଣ୍ଡ୍ ମେଟାବୋଲିଜିମ୍ ରେ ଗବେଷଣାରୁ ଜଣାପଡିଛି ଯେ ପ୍ରାୟ ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କ ଭିତରେ ଭିଟାମିନ୍ 'ଡି' ଅଭାବ ରହିଛି ।

ବିଶେଷଜ୍ଞମାନେ କୁହନ୍ତି ଯେ , ଆଜିକାଲି ଅଧିକାଂଶ ଲୋକ ଘରେ କିମ୍ବା ଅଫିସରେ ଅଧିକ ସମୟ ବିତାଉଛନ୍ତି । ଅନଲାଇନ୍ କ୍ଲାସ, ୱାର୍କ ଫର୍ମ ହୋମ୍ କଲଚର୍ ଏବଂ ଆପ୍ ମାଧ୍ୟମରେ ସପିଂ ଦୈନନ୍ଦିନ ଜୀବନର ଅଙ୍ଗ ପାଲଟିଲାଣି । ଫଳରେ ଲୋକେ ବାହାରକୁ ଖୁବ୍ କମ୍ ବାହାରୁଛନ୍ତି ।ସୂର୍ଯ୍ୟକିରଣ ହେଉଛି ଭିଟାମିନ୍ ଡିର ଏକ ପ୍ରମୁଖ ଉତ୍ସ। ଘରୁ ନ ବାହାରିବା ଫଳରେ ଶରୀର ସୂର୍ଯ୍ୟକିରଣରୁ ବଞ୍ଚିତ ହେଉଛି । ଏବେ ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ ଭିଟାମିନ୍ 'ଡି' ଅଭାବ ଆମ ସମଗ୍ର ଶରୀରକୁ କିପରି ପ୍ରଭାବିତ କରେ । 

ଅର୍ଥୋପେଡିକ ସର୍ଜନ ଡାକ୍ତର ଅନୁଜ ଅଗ୍ରୱାଲଙ୍କ ମତରେ ସମସ୍ତେ ଭାବନ୍ତି ଯେ ଭିଟାମିନ୍ 'ଡି' କେବଳ ହାଡ଼ ପାଇଁ ଜରୁରୀ। କିନ୍ତୁ ଏହାର ଭୂମିକା ସେତିକିରେ ସୀମିତ ନୁହେଁ। ପ୍ରଥମତଃ, ଏହା ଆମ ଶରୀରକୁ ଖାଦ୍ୟରୁ ମିଳୁଥିବା କ୍ୟାଲସିୟମକୁ ସଠିକ୍ ଭାବରେ ବ୍ୟବହାର କରିବା ଉପଯୋଗୀ କରେ, ହାଡ଼ ଏବଂ ଦାନ୍ତକୁ ମଜବୁତ ରଖେ। ଏହା ବ୍ୟତୀତ, ଏହା ଆମର ମାଂସପେଶୀକୁ ସଠିକ୍ ଭାବରେ କାର୍ଯ୍ୟ କରିବାରେ ମଧ୍ୟ ସାହାଯ୍ୟ କରେ । 

ଯଦି କୌଣସି କାରଣରୁ ଶରୀରରେ ଭିଟାମିନ୍ 'ଡି'ର କମି ହୁଏ ତେବେ ଦେହରେ ଅକଥନୀୟ ଯନ୍ତ୍ରଣା, ମାଂସପେଶୀ ଦୁର୍ବଳତା ଏବଂ ଥକ୍କାପଣ ସୃଷ୍ଟି କରିପାରେ । ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସଠିକ୍ ଭାବରେ କାର୍ଯ୍ୟ କରିବାରେ ଏବଂ ରୋଗ ସହିତ ଲଢ଼ିବାରେ ମଧ୍ୟ ସାହାଯ୍ୟ କରେ ।  ଏବେ ଆସନ୍ତୁ ଜାଣିବା କିଛି ଭୁଲ ଧାରଣା ବିଷୟରେ ।

ଆଜିକାଲି ଲୋକେ କାହାର ପରାମର୍ଶ କିମ୍ବା ସୋସିଆଲ ମିଡିଆରେ ଭିଟାମିନ୍ 'ଡି' ବଟିକା ବିଷୟରେ ଦେଖି ନିଜେ ମେଡିସିନ୍ ଖାଇବା ଆରମ୍ଭ କରିଦେଉଛନ୍ତି । କିନ୍ତୁ ସମସ୍ତଙ୍କୁ ଏହାର ଆବଶ୍ୟକତା ନାହିଁ । ଯଦି ଶରୀରରେ ଏହାର ଅଭାବ ଦେଖାଯାଏ, ତେବେ ଡାକ୍ତରଙ୍କ ପରାମର୍ଶରେ ପରୀକ୍ଷା କରିବା ଉଚିତ୍ । ପରୀକ୍ଷା ପରେ ହିଁ ଔଷଧ ଆବଶ୍ୟକ କି ନାହିଁ ତାହା ନିର୍ଣ୍ଣୟ କରାଯାଇ ପାରିବ । କିଛି ଲୋକ ଏପରି ବି ଭାବନ୍ତି ଯେ ଅଧିକ ଭିଟାମିନ୍ 'ଡି' ନେଲେ ଶରୀରକୁ ଲାଭ ମିଳିବ ।  ଯାହା ଆଦୌ ଠିକ୍ ନୁହେଁ । 

ଅଧିକ ଭିଟାମିନ୍ 'ଡି' ସେବନ ଦ୍ବାରା ଶରୀରରେ ଅତ୍ୟଧିକ କ୍ୟାଲସିୟମ୍ ଜମା ହୋଇପାରେ । ଏହା ବାନ୍ତି ଏବଂ ବୃକକ୍ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ତେଣୁ, କେବଳ ଡାକ୍ତରଙ୍କ ମାର୍ଗଦର୍ଶନରେ ଭିଟାମିନ୍ 'ଡି'କୁ ଔଷଧ ଭାବରେ ବ୍ୟବହାର କରନ୍ତୁ । ଏହାକୁ ଆବଶ୍ୟକ ପରିମାଣରେ ସେବନ କରିବା ହିଁ ପ୍ରକୃତ ଲାଭଦାୟକ ।