ନୂଆଦିଲ୍ଲୀ ୧୭\୭ : ବର୍ଷା ଋତୁରେ ପରିବେଶର ଆର୍ଦ୍ରତା ଓ ବର୍ଷାରେ ଭିଜିବା କାରଣରୁ କେଶର ବହୁତ କ୍ଷତି ହୋଇଯାଏ । ଏହି ଋତୁରେ କେଶ ଶୁଷ୍କ, ଚିପଚିପା ଏବଂ ଦୁର୍ବଳ ହୋଇଯାଏ। ଏଥିପାଇଁ ଚୁଟି ପ୍ରଚୁର ମାତ୍ରାରେ ଉପୁଡିବା ସହ ଋପି ଏବଂ ସଂକ୍ରମଣ ମଧ୍ୟ ବଢ଼ିଥାଏ । ଯାହା ଫଳରେ କେଶ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଏ । ତେଣୁ ମନସୁନରେ କେଶକୁ ଅଧିକ ଯତ୍ନ ଦରକାର ହୁଏ । ଯଦି ଆପଣ ଠିକ୍ ଭାବରେ କେଶର ଯତ୍ନ ନେବେ, ତେବେ କେଶ ସୁସ୍ଥ ରହିପାରିବ । କେଶକୁ ପୋଷଣ ମିଳିବ ଏବଂ ଚୁଟି ଝଡିବା ମଧ୍ୟ  କମିବ । ଆସନ୍ତୁ ଜାଣିବା ବର୍ଷା ଋତୁରେ କିପରି ନେବେ କେଶର ଯତ୍ନ । 

କେଶ ମୂଳକୁ ସଫା ରଖନ୍ତୁ - ବର୍ଷା ଋତୁରେ କେଶ ମୂଳକୁ ଠିକ୍ ଭାବରେ ସଫା କରିବା ଅତ୍ୟନ୍ତ ଜରୁରୀ । କାରଣ ଏହି ସମୟରେ ଆର୍ଦ୍ରତା ଅଧିକ ଥିବାରୁ କେଶ ମୂଳରେ ଧୂଳି ଓ ମଇଳା ସହଜରେ ଜମିଯାଏ । ତେଣୁ ମୁଣ୍ଡ କୁଣ୍ଡେଇ ହୁଏ । ଯାହାଦ୍ୱାରା ସଂକ୍ରମଣ ଏବଂ ଋପି ହେବାର ସମ୍ଭାବନା ରହେ । ତେଣୁ ସପ୍ତାହକୁ ଥରେ କିମ୍ବା ଦୁଇଥର ମୁଣ୍ଡ ସଫା କରିବା ଉଚିତ । ଗରମ ପାଣିରେ ସଫା ନ କରି ଥଣ୍ଡା ପାଣି ବ୍ୟବହାର କରିବା ଫଳରେ କେଶ ଉପୁଡିବା କମ୍ ହୋଇଥାଏ ।

କେଶକୁ ଶୁଖାଇ ରଖନ୍ତୁ - ବର୍ଷା ଋତୁରେ ଓଦା କେଶ ସହିତ ବାହାରକୁ ଯାଆନ୍ତୁ ନାହିଁ। ଓଦା କେଶରେ ଧୂଳି ଓ ମାଟି ସହଜରେ ଲଗିଯାଏ, ଯାହା ଫଳରେ କେଶ ଶୀଘ୍ର ମଇଳା ହୋଇଯାଏ । ତେଣୁ ବର୍ଷା ଋତୁରେ କେଶ ଧୋଇବା ପରେ ଭଲ ଭାବେ ଶୁଖାଇବା ଉଚିତ। କେଶ ଶୁଖାଇବା ପାଇଁ କପଡା ବ୍ୟବହାର କରନ୍ତୁ । ହେୟାର ଡ୍ରାୟର୍ ବ୍ୟବହାରକୁ ଏଡାନ୍ତୁ। କାରଣ ଏହା ଚୁଟିକୁ ବେଶୀ ଖରାପ କରେ ।

ତେଲର ବ୍ୟବହାର କମ୍ କରନ୍ତୁ - ବର୍ଷା ଋତୁରେ କେଶରେ ଅଧିକ ତେଲ ଲଗାଇବା ଉଚିତ୍ ନୁହେଁ । ଆପଣ ସପ୍ତାହକୁ ଗୋଟିଏ ଥର ତେଲ ଲଗାଇପାରନ୍ତି । କେଶରେ ତେଲ ଲଗାଇବା କେଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ , କିନ୍ତୁ ଆର୍ଦ୍ର ପାଣିପାଗରେ ଅତ୍ୟଧିକ ତେଲ ବ୍ୟବହାର କଲେ କେଶ ମୂଳ ତେଲିଆ ହୋଇଯାଏ । 

ସୁସ୍ଥ ଆହାର ଗ୍ରହଣ କରନ୍ତୁ- ବର୍ଷା ଋତୁରେ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ସୁସ୍ଥ ଆହାର ଗ୍ରହଣ କରିବା ଆବଶ୍ୟକ । ସୁସ୍ଥ ଆହାର କେଶର ସ୍ୱାସ୍ଥ୍ୟକୁ ମଧ୍ୟ ଉନ୍ନତ କରେ । କେଶକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍, ଭିଟାମିନ୍ ଓ ମିନେରାଲ୍ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ । ଏହା ଦ୍ୱାରା କେଶ ମଜବୁତ ହୋଇଥାଏ ଏବଂ ଚୁଟି ଝଡିବା ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ସବୁଜ ପନିପରିବା, ଗରମ ଖାଦ୍ୟ ଓ ତଟକା ମାଛ ମାଂସ ଖାଆନ୍ତୁ ।