ପ୍ରୟାଗରାଜ : ଉତ୍ତର ପ୍ରଦେଶର ପ୍ରୟାଗରାଜର ଏକ ଘରେ ଚାଲୁ ଥିବା ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ ହୋଇଛି। ଏହି କୋଠା ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କର ଥିବା କୁହାଯାଉଛି। କୋଠାଟି ମାସକୁ ୧୫ ହଜାର ଟଙ୍କା ଭଡ଼ାରେ ନିଆ ଯାଇଥିଲା। ଭଡ଼ାରେ ଘରକୁ ନେଇ ଥିବା ଲୋକ ପରିବାର ସହ ରହିବା କଥା କହିଥିଲା , କିନ୍ତୁ ସେ ଏହାକୁ ଦେହ ବ୍ୟବସାୟ ପାଇଁ ବ୍ୟବହାର କରିବା ଆରମ୍ଭ କରି ଦେଇ ଥିଲା। ବିଲ୍ଡିଂରେ ପୁଲିସ ପହଞ୍ଚିବା କ୍ଷଣି ଆତଙ୍କ ଖେଳି ଯାଇଥିଲା। ପୁଲିସ ସେଠାରୁ ୪ଜଣ ଯୁବତୀ ଓ ୫ଜଣ ଯୁବକଙ୍କ ଧରି ନେଇଛି। ପୁଲିସର ଏହି କାର୍ଯ୍ୟାନୁଷ୍ଠାନରେ ସଂପୃକ୍ତ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ଘଟଣା ସ୍ଥଳରେ ଖୁବ୍ ଭିଡ଼ ଜମି ଯାଇଥିଲା।
ଉକ୍ତ ଘଟଣାଟି ପ୍ରୟାଗରାଜର କିଡଗଞ୍ଜ ଅଞ୍ଚଳରେ ଘଟିଛି । ଏହି ଘରକୁ ଦିନସାରା ଯୁବକ ଓ ଯୁବତୀଙ୍କ ବାରମ୍ଵାର ଯିବା ଆସିବା ଯୋଗୁଁ ପଡ଼ୋଶୀର କିଛି ବାସିନ୍ଦା ସନ୍ଦେହ କରି ପୁଲିସରେ ଅଭିଯୋଗ କରିଥିଲେ। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଇଥିଲା। ଘରମାଲିକ ତାଙ୍କ ପରିବାର ସହ ବାହାରେ ରୁହନ୍ତି। ଏହି ଘର ଭଡାରେ ଦେଇଥିଲେ। ରବିବାର ଦ୍ୱିପ୍ରହର ପ୍ରାୟ ସାଢ଼େ ୨ଟା ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଘରର କବାଟ ବାଡ଼େଇବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସର ଚଢାଉ ଦେଖି ପଡ଼ୋଶୀର ଲୋକମାନେ ମଧ୍ୟ ଘଟଣା ସ୍ଥଳରେ ଜମା ହୋଇ ଥିଲେ।
ଏହି ସମୟରେ, ପୁଲିସ ଚାରି ଜଣ ଯୁବତୀ ଓ ପାଞ୍ଚ ଜଣ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଗିରଫ କରିଥିଲା। କୋଠରୀରୁ କିଛି ଆପତ୍ତିଜନକ ଜିନିଷ ମଧ୍ୟ ମିଳିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାପଚରି କରୁଛି। ଗିରଫ ହୋଇଥିବା ଯୁବତୀଙ୍କୁ ମଧ୍ୟରୁ ଦୁଇ ଜଣ ପ୍ରୟାଗରାଜର, ଜଣେ ବାରାଣସୀର ଏବଂ ଜଣେ ପଶ୍ଚିମବଙ୍ଗର ଥିବା ଜଣାପଡ଼ିଛି।
ପୁଲିସର କହିବାନୁସାରେ , ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ତଦନ୍ତରୁ ଯାହା କିଛି ତଥ୍ୟ ବାହାରିବ ତାହା ଉପରେ ଆଧାର କରି ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।