ATM ଭିତରେ ପଶିଲା ନାଗ, ଦେଢ ଘଣ୍ଟା ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ

ଭୁବନେଶ୍ଵର, ୩୦/୧୧ : ଏଟିଏମ୍ ଭିତରେ ପଶିଲା ନାଗ। ମଙ୍ଗଳବାର ସନ୍ଧ୍ୟା ୭ଟା ବେଳେ ଭୁବନେଶ୍ଵର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମ୍ ଭିତରେ ଏକ ନାଗ ସାପ ପଶି ଆସିଥିଲା। ଜଣେ ବ୍ୟକ୍ତି ଟଙ୍କା ଉଠାଉଥିବା ବେଳେ ରାଜେଶ୍ ହାଁସଦା ନାମକ ଅନ୍ୟ ଜଣେ ବ୍ୟକ୍ତି ଏଟିଏମ୍ ବାହାରେ ଅପେକ୍ଷା କରିଥିଲେ। ଏହି ସମୟରେ ସାପଟି ଏଟିଏମ୍ ଭିତରକୁ ପଶି ଆସିଥିଲା। ରାଜେଶ୍ ପାଟି କରିବାରୁ ଏଟିଏମ୍ ଭିତରେ ଥିବା ବ୍ୟକ୍ତି ବାହାରକୁ ଚାଲି ଆସିଥିଲେ ଏବଂ ସାପଟି ଏଟିଏମ୍ ମେସିନ୍ ପଛପଟକୁ ଚାଲିଯାଇଥିଲା।
ରାଜେଶ ବ୍ୟାଙ୍କର ମ୍ୟାନେଜରଙ୍କୁ ଫୋନ୍ କରି ଜଣାଇବା ସହିତ ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦେଇଥିଲେ। ଶୁଭେନ୍ଦୁଙ୍କ ନିର୍ଦ୍ଦେଶ ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ସତର୍କତାର ସହିତ ATM ପଛପଟୁ ସାପଟିକୁ ଉଦ୍ଧାର କରିଥିଲେ। ସାପଟି ପ୍ରାୟ ୪ ଫୁଟ ଲମ୍ଵର ହେବ ବୋଲି ସୂଚନା ମିଳିଛି। ଦୀର୍ଘ ଦେଢ ଘଣ୍ଟା ପରେ ସାପଟିକୁ ଉଦ୍ଧାର କରାଯାଇଥିଲା। ସେତେ ପର୍ଯ୍ୟନ୍ତ ରାଜେଶ୍ ହାଁସଦା ATM ବାହାରେ ଠିଆ ହୋଇ ଅନ୍ୟମାନଙ୍କୁ ସତର୍କ କରାଥିଲେ।
ସାପଟିକୁ ସହର ବାହାରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ “ଆମେ ଆଗରୁ ମଧ୍ୟ ATM ଭିତରୁ ସାପ ଉଦ୍ଧାର କରିଛୁ । ଏଠି ରାଜେଶ୍ ହାଁସଦାଙ୍କ ଉଦ୍ୟମ ପ୍ରଶଂସନୀୟ । ସେ ATM ବାହାରେ ରହି ଘଣ୍ଟାଏ କାଳ ଲୋକମାନଙ୍କୁ ସଚେତନ କରାଇଥିଲେ । ଯାହା ଫଳରେ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା”।