ନୂଆଦିଲ୍ଲୀ, ୨୧/୧୧: ଆଗାମୀ ଡବ୍ଲ୍ୟୁପିଏଲ ନିଲାମ ପାଇଁ ଖେଳାଳି ତାଲିକା ପ୍ରକାଶ ପାଇଛି । ୫ଟି ଫ୍ରାଞ୍ଚାଇଜରେ ଖାଲି ପଡ଼ିଥିବା ୭୩ଟି ସ୍ଥାନ ପାଇଁ ୨୭୭ ଜଣ ଖେଳାଳି ନାମ ଦାଖଲ କରିଛନ୍ତି । ଏଥିରେ ରହିଛନ୍ତି ୮୩ ବିଦେଶୀ ଖେଳାଳି । ବିଦେଶୀ ଖେଳାଳିଙ୍କ ପାଇଁ ୨୩ଟି ସ୍ଥାନ ଫାଙ୍କା ରହିଛି । ଆସନ୍ତା ୨୭ ତାରିଖ ଦିନ ନୂଆ ଦିଲ୍ଲୀରେ ନିଲାମ ଅନୁଷ୍ଠିତ ହେବ । ମୋଟ୍ ୮ ଜଣ ମାର୍କି ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି । ଏଥିରେ ରହିଛନ୍ତି ମାତ୍ର ୨ ଜଣ ଭାରତୀୟ ଦୀପ୍ତି ଶର୍ମା ଓ ରେଣୁକା ସିଂହ । ଅନ୍ୟମାନଙ୍କ ମଧ୍ୟରେ ଶୋଫି ଡିଭାଇନ, ଶୋଫି ଏକ୍ଲେଷ୍ଟୋନ, ଆଲିସା ହିଲି, ମେଗ ଲ୍ୟାନିଂ, ଆମେଲିଆ କେର ଓ ଲୌରା ଉଲଭାର୍ଟ ମାର୍କି ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି । ଏମାନଙ୍କ ମଧ୍ୟରେ କେବଳ ରେଣୁକାଙ୍କ ବେସ ପ୍ରାଇସ ୪୦ ଲକ୍ଷ ଓ ଉଲଭାର୍ଟଙ୍କ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ରହିଛି । ବାକି ୬ଖେଳାଳିଙ୍କ ବେସ ପ୍ରାଇସ ସର୍ବାଧିକ ୫୦ ଲକ୍ଷ ଟଙ୍କା ରଖାଯାଇଛି।

ତାଲିକାରେ ଅଷ୍ଟ୍ରେଲିଆରୁ ସର୍ବାଧିକ ୨୩ ଖେଳାଳି, ଇଂଲଣ୍ଡରୁ ୨୨, ନ୍ୟୁଜିଲାଣ୍ଡରୁ ୧୩ ଓ ଦକ୍ଷିଣ ଆଫ୍ରିକାରୁ ୧୧ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଶ୍ରୀଲଙ୍କାରୁ ଚାମରି ଆଟ୍ଟାପଟୁ, ହର୍ଷିତା ସମରବିକ୍ରମା ଓ ଇନୋକା ରଣାବୀରା ସ୍ଥାନ ପାଇଥିବାବେଳେ ଥାଇଲାଣ୍ଡରୁ ଏକମାତ୍ର ଖେଳାଳି ଭାବେ ଥିପାଟଚା ପୁଥାୱଙ୍ଗ, ୟୁଏସଏରୁ ତାରା ନରିସ, ୟୁଏଇରୁ ଇଶା ଓଜା ଓ ତୀର୍ଥା ସତୀଶ ସାମିଲ ହୋଇଛନ୍ତି ।

ନିଲାମରେ ସର୍ବାଧିକ ଧନ ରାଶି ୧୪.୫୦ କୋଟି ଟଙ୍କା ସହ ୟୁପି ୱାରିୟର୍ସ ଖେଳାଳି କିଣିବାକୁ ଅପେକ୍ଷା କରିଛି । ସେହିପରି ଗୁଜରାଟ ଜାଏଣ୍ଟ୍ସ ନିକଟରେ ୯କୋଟି ଟଙ୍କା, ରୟାଲ୍ ଚ୍ୟାଲେଞ୍ଜର୍ସ ନିକଟରେ ୬.୧୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୫.୭୫କୋଟି ଓ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ୫.୭୦ କୋଟି ଟଙ୍କା ରହିଛି।