କାଳବୈଶାଖୀ ପ୍ରଭାବ : ଟ୍ରେନ ଉପରେ ପଡ଼ିଲା ଗଛ

ରାୟଗଡ଼ା ,୨୪।୫ ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ ରେଳ ଷ୍ଟେସନ ନିକଟରେ ବିଶାଖାପାଟଣା ଠାରୁ କୋରାପୁଟ ଯାଉଥିବା ଟ୍ରେନ ଉପରେ ପଡ଼ିଲା ଗଛ। କାଳବୈଶାଖୀ ଯୋଗୁଁ ହଠାତ୍ ଗଛ ଉପୁଡ଼ି ରେଳ ଯାଉଥିବା ସମୟରେ ବଗି ଉପରେ ପଡ଼ିଥିଲା। ଏଭଳିକି ବିଦ୍ୟୁତ ତାର ଛିଣ୍ଡି ତଳେ ପଡିଥିଲା। କିଛି ସମୟ ଧରି ସ୍ପାର୍କ ମଧ୍ୟ ହୋଇଥିଲା। ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ଘଟିନାହିଁ।
ଟ୍ରେନ ଉପରେ ଗଛ ପଡିବାରୁ କୋରାପୁଟ – ରାୟଗଡ଼ା ରେଳପଥରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। କୌଣସି ରେଳ ବର୍ତ୍ତମାନ ଚଳାଚଳ କରୁନାହିଁ। ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ରେଳ ଚଳାଚଳ ବନ୍ଦ ରଖାଯାଇଛି। ରାୟଗଡ଼ା ଠାରୁ ଦୁର୍ଘଟଣା ଉଦ୍ଧାରକାରୀ ଦଳ ପହଞ୍ଚି ଗଛ କାଟିବା କାର୍ଯ୍ୟରେ ଲାଗିଛନ୍ତି। ଗଛ କଟାଯିବା ପରେ ବିଦ୍ୟୁତ ଲାଇନ ଯାଞ୍ଚ ସହ ରେଳ ଧାରଣା ଅନୁଧ୍ୟାନ କରି ଚଳାଚଳ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି।