କୋଲକାତା ୦୨/୧୧: କୋଲକାତାର ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଏବେ ସ୍ଥାନୀୟ ଅଞ୍ଚଳର ଧ୍ୟାନ ଆକର୍ଷଣ କରିଛନ୍ତି । ଲୋକଙ୍କ ମଧ୍ୟରେ ଖୁସି ବାଣ୍ଟିବାର ଏକ ନିଆରା ଉପାୟ ସେ ଅବଲମ୍ବନ କରିଛନ୍ତି । ୭୧ ବର୍ଷୀୟା ରତ୍ନାବଳୀ ଘୋଷ ଦୀପାବଳି ଓ କାଳୀପୂଜା ଅବସରରେ ଅପରିଚିତ ଲୋକଙ୍କ ଘର ସାମ୍ନାରେ ସୁନ୍ଦର ସୁନ୍ଦର ଝୋଟି ଆଙ୍କିଛନ୍ତି । ଘୋଷ ପ୍ରତିବର୍ଷ ବନ୍ଧୁ ମୁଦାର ପଥେରାଙ୍କ ସହ ମିଶି କାଳୀ ପୂଜା ଓ ଦୀପାବଳି ପୂର୍ବରୁ ଏହି କଳାକୃତି କରିଥାନ୍ତି । ଉଭୟ ମିଶି ଉତ୍ତର ଓ ଦକ୍ଷିଣ କୋଲକାତାର ଶତାଧିକ ଲୋକଙ୍କ ଘର ସାମ୍ନାରେ ଝୋଟି ଆଙ୍କି ସୁସଜ୍ଜିତ କରିଛନ୍ତି ।

ଏହି ପବିତ୍ର ପୂଜା ଅବସରରେ କୋଲକାତାର ପ୍ରତ୍ୟେକ ଲୋକଙ୍କ ଘରର ପ୍ରବେଶ ଦ୍ୱାର, ଅଗଣା ଚଟାଣରେ ଝୋଟି ଦେଖିବାକୁ ମିଳେ । ଏହା ସାଧାରଣତଃ ଚାଉଳ ଚୂନାର ଘୋଳରେ ପ୍ରସ୍ତୁତ ହୋଇଥାଏ । ଏଥିରେ ଦେବୀଙ୍କ ଆଗମନ, ଶୁଭ ସଙ୍କେତ, ଜୀବଜନ୍ତୁ, ଫୁଲ ଆଦି ବିଭିନ୍ନ ପ୍ରକାର ବସ୍ତୁର ଡିଜାଇନ୍ କରାଯାଏ । ଏହି ପରମ୍ପରା ବିଷୟରେ ଘୋଷ କହନ୍ତି, ସମସ୍ତେ କୃତ୍ରିମ ଡିଜାଇନ୍ ଓ ଷ୍ଟିକର୍ ବ୍ୟବହାର କରୁଥିବା ମୁଁ ଦେଖିଲି । ତେଣୁ ଏହି କଳାର ପୁନରୁଦ୍ଧାର ପାଇଁ ପ୍ରୟାସ ଲାଗି ନିଷ୍ପତ୍ତି ନେଲି । ଏହି ପାରମ୍ପରିକ କଳା ଆଦୌ ଲୋପ ପାଇବା ଉଚିତ୍ ନୁହେଁ । ସେଥିପାଇଁ ଆମେ ଅପରିଚିତ ଲୋକଙ୍କ ଘର ସାମ୍ନାରେ ଝୋଟି ଆଙ୍କିବାକୁ ନିଷ୍ପତ୍ତି ନେଲୁ । ମୁଦାର ସହ ମିଶି ଗତ ୩ ବର୍ଷ ହେଲା ମୁଁ ଏହା କରିଆସୁଛି ।