ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଆଧାର ଅପଡେଟ୍ ପାଇଁ ଲାଗୁ ଥିବା ଶୁଳ୍କ ଉପରେ ୨୫ ଟଙ୍କା ବୃଦ୍ଧି କରିଛି । ଅକ୍ଟୋବର ୧ ତାରିଖରୁ ଲାଗୁ ହୋଇଥିବା ନୂତନ ଶୁଳ୍କ ୩୦ ସେପ୍ଟେମ୍ବର ୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ତା'ପରେ ଏକ ସମୀକ୍ଷା କରାଯିବ ଏବଂ ଶୁଳ୍କ ସଂଶୋଧନ କରାଯିବ। ନୂତନ ଆଧାର କାର୍ଡ ପାଇବା ସମସ୍ତଙ୍କ ପାଇଁ ମାଗଣା ହେବ । କିନ୍ତୁ ନାମ, ଠିକଣା ଏବଂ ଡକ୍ୟୁମେଣ୍ଟ ପରିବର୍ତ୍ତନ କରିବା ଭଳି ସେବା, ଯାହା ପୂର୍ବରୁ ୫୦ ଟଙ୍କା ଲାଗୁଥିଲା, ଏବେ ୭୫ ଟଙ୍କା ଦେବାକୁ ହେବ ।
ସେହିପରି ବାୟୋମେଟ୍ରିକ୍ ଅପଡେଟ୍ ଭଳି ସେବା ପାଇଁ ୧୦୦ ବଦଳରେ ୧୨୫ ଟଙ୍କା ଦେବେ ଉପଭୋକ୍ତା । ପିଲାମାନଙ୍କ ଆଧାର କାର୍ଡ ଅପଡେଟ୍ ମାଗଣାରେ ହେବ। ୫-୭ ବର୍ଷ ଏବଂ ୧୫-୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ବାୟୋମେଟ୍ରିକ୍ ଅପଡେଟ୍ ବିନା ଶୁଳ୍କରେ ହୋଇପାରିବ । ୭-୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ମଧ୍ୟ ବାୟୋମେଟ୍ରିକ୍ ଅପଡେଟ୍ ୩୦ ସେପ୍ଟେମ୍ବର, ୨୦୨୬ ପର୍ଯ୍ୟନ୍ତ ମାଗଣା ରହିବ। ଅନ୍ୟାନ୍ୟ ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ୧୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ସେପଟେ ବାୟୋମେଟ୍ରିକ୍ ଅପଡେଟ୍ ସହିତ ନାମ, ଲିଙ୍ଗ, ଜନ୍ମ ତାରିଖ, ଠିକଣା କିମ୍ବା ଯୋଗାଯୋଗ ବିବରଣୀ ଭଳି ଅପଡେଟ୍ କରାଯାଏ, ତେବେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ମାଇ ଆଧାର ପୋର୍ଟାଲ୍ ମାଧ୍ୟମରେ ପରିଚୟ ଏବଂ ଠିକଣା ଅପଡେଟ୍ କରିବା ୧୪ ଜୁନ୍, ୨୦୨୬ ପର୍ଯ୍ୟନ୍ତ ମାଗଣା । କିନ୍ତୁ ଏନରୋଲମେଣ୍ଟ ସେଣ୍ଟରରେ ଏହି ଅପଡେଟ୍ ପାଇଁ ଏବେ ୭୫ ଟଙ୍କା (ପୂର୍ବରୁ ୫୦ ଟଙ୍କା) ଖର୍ଚ୍ଚ ହେବ।
ଅନ୍ୟପଟେ ୧ ଅକ୍ଟୋବର, ୨୦୨୮ ଠାରୁ ୭୫ ଟଙ୍କାରେ ହୋଇପାରୁଥିବା କାର୍ଯ୍ୟ ଲାଗି ୯୦ ଟଙ୍କା ଦେବାକୁ ହେବ । ୧୨୫ ଟଙ୍କାରେ ମିଳୁଥିବା ସେବା ଲାଗି ଉପଭୋକ୍ତା ୧୫୦ ଟଙ୍କା ଦେବେ । ଆଧାର ଅପଡେଟ୍ କରିବା ପାଇଁ, ଉପଭୋକ୍ତାମାନେ UIDAIର ଅଫିସିଆଲ୍ ୱେବସାଇଟ୍ myAadhaarକୁ ଯାଇପାରିବେ । ଆପଣ ୱେବସାଇଟକୁ ଯାଇ ନିଜେ ଆପଣଙ୍କର ବିବରଣୀ ଅପଡେଟ୍ କରିପାରିବେ।
ଆପଣ ଆପଣଙ୍କର ବାୟୋମେଟ୍ରିକ୍ ସୂଚନା, ଯେପରିକି ଆପଣଙ୍କର ଫିଙ୍ଗରପ୍ରିଣ୍ଟ କିମ୍ବା ଆଇରିସ୍ ସ୍କାନ UIDAI ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଅପଡେଟ୍ କରିପାରିବେ ନାହିଁ। ଆପଣଙ୍କୁ ଆପଣଙ୍କର ନିକଟସ୍ଥ ଆଧାର ପଞ୍ଜିକରଣ କେନ୍ଦ୍ର କିମ୍ବା ଆଧାର ସେବା କେନ୍ଦ୍ରକୁ ଯିବାକୁ ପଡିବ। ପ୍ରତ୍ୟେକ ବିବରଣୀ ଅପଡେଟ୍ କରିବା ପାଇଁ ୭୫ ଟଙ୍କାରୁ ୧୨୫ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡିବ।