ଆନ୍ତର୍ଜାତିକ ଅଭିଲେଖ ଦିବସ; ଜିଲ୍ଲାସ୍ତରରେ ହେବ ଅଭିଲେଖାଗାର

ଭୁବନେଶ୍ୱର,୯ ।୬(ବ୍ୟୁରୋ): ଐତିହାସିକ ତଥ୍ୟ ଆଧାରିତ ସମସ୍ତ ଦସ୍ତାବିଜ୍ ମୂଲ୍ୟବାନ୍ । ଯାହାକି ପରପିଢ଼ି ପାଇଁ ଅଭିଲେଖାଗାରରେ ସଂରକ୍ଷିତ ହୋଇ ରହିବା ଦରକାର । ଏଭଳି ଦସ୍ତାବିଜ୍କୁ ସଂରକ୍ଷିତ କରିବାର ଦାୟିତ୍ୱ ଆମ ସମସ୍ତଙ୍କର ବୋଲି କହିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।
ଆନ୍ତର୍ଜାତିକ ଅଭିଲେଖ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏକବିଂଶ ଶତାବ୍ଦୀରେ ଅଭିଲେଖାଗାରର ରୂପରେଖ କିପରି ହେବା ଉଚିତ ଓ କ’ଣ କଲେ ଆମେ ବର୍ତ୍ତମାନର ଚାହିଦା ପୂରଣ କରିପାରିବା ସେ ଉପରେ ଆଲୋକପାତ କରିଥିଲେ । ଅଭିଲେଖାଗାରର ଉନ୍ନତ ରୂପରେଖ ପାଇଁ ବୈଷୟିକ ତଥା ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଅପରିହାର୍ଯ୍ୟ । ଆଗାମୀ ଦିନରେ ଏଥିପାଇଁ ଅଭିଲେଖାଗାର କର୍ମଚାରୀମାନଙ୍କ ଦକ୍ଷତା ବିକାଶ ଓ ପାରଦର୍ଶିତାର ଅଭିବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଫେସର ସଂଘମିତ୍ରା ମହାନ୍ତି କହିଲେ ଏବେ ଆମେ ଡିଜିଟାଇଜେନ୍କୁ ଗୁରୁତ୍ୱ ଦେଉଛୁ । ଏହା ପରବର୍ତ୍ତୀ ପିଢ଼ି ପାଇଁ ଜରୁରି ମଧ୍ୟ । ହେଲେ ଏହି ଟେକ୍ନୋଲୋଜି ଦ୍ୱାରା ଯେପରି ଆମର ଐତିହ୍ୟ ଓ ପ୍ରାମାଣିକ ମୂଲ୍ୟଥିବା ଦସ୍ତାବିଜ୍ ଚୋରି ନହୁଏ ସେ ଉପରେ ଧ୍ୟାନ ଦେବାକୁ ପଡିବ । ଏଥିପାଇଁ ଅଭିଲେଖାଗାରରେ ବ୍ୟବହାର ହୋଇପାରୁଥିବା ରେଡିଓ ଫ୍ରିକ୍ୟୁଏନ୍ସି ଟେକ୍ନୋଲୋଜି ଉପରେ ସେ ଆଲୋକପାତ କରିଥିଲେ । ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କରି ଅଭିଲେଖାଗାରର ସମାଗ୍ରିକ ଅଭିବୃଦ୍ଧି ଏବଂ ଜନସାଧାରଣଙ୍କ ସହିତ ଏହାର ସମ୍ପର୍କ ଉପରେ ପ୍ରଫେସର ସଂଘମିତ୍ରା ମହାନ୍ତି ବର୍ଣ୍ଣନା କରିଥିଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ସ୍ଥାପନ ନିମନ୍ତେ ପରାମର୍ଶ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅଧ୍ୟକ୍ଷତା କରି କହିଥିଲେ ଆଗାମୀ ଦିନରେ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ଶାଖା ଅଭିଲେଖାଗାର ପ୍ରତିଷ୍ଠା କରାଯିବ । ଯାହାଦ୍ୱାରା ଜିଲ୍ଲାସ୍ତରରୁ ନଥିପତ୍ର ସଂଗ୍ରହ କାମ ଆରମ୍ଭ ହେବ । ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ସହ ଏହି ଦିବସ ପାଳନର ଉଦ୍ଦେଶ୍ୟ ବାବଦରେ ଅବଗତ କରିଥିଲେ ।
ଏହି ଅବସରରେ ଅଭିଲେଖାଗାର ପରିସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଓଡ଼ିଆ ଚଳଚ୍ଚିତ୍ର ଗ୍ରାମଫୋନ୍ ରେକର୍ଡର ପ୍ରଚ୍ଛଦ ଆଧାରିତ ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉଦ୍ଘାଟନ କରିଥିଲେ । ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ନିର୍ଦ୍ଦେଶିକା ଲିପ୍ସା ଦାସଙ୍କ ସମେତ ବହୁ ଗବେଷକ, ଐତିହାସିକ ଓ ସଂସ୍କୃତିପ୍ରେମୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।