ରେଢ଼ାଖୋଲ, ୨୦/୧୧ : ମରଣଜନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ। ୨୪ ଘଣ୍ଟା ନପୂରୁଣୁ ରେଢ଼ାଖୋଲ ଭୀମଭୋଇ ଛକରେ ପୁଣି ଦୁର୍ଘଟଣା। ଟ୍ରକ୍ ଧକ୍କାରେ ଜଣେ ବ୍ୟବସାୟୀ ଗୁରୁତର। ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର। ବୁଧବାର ଏକ ପାଉଁଶ ବୋଝେଇ ଗାଡି ଧକ୍କାରେ ଜଣେ ସାଧୁ ବାବାଙ୍କର ମୃତ୍ୟୁ ହୋଇଥିଲା।
ସୂଚନାନୁଯାୟୀ, ଗୁରୁବାର ସକାଳ ପ୍ରାୟ ୯ଟା ବେଳେ ରେଢ଼ାଖୋଲ ସହର ଡ଼ିମିରିକୁଦା ଗ୍ରାମର ସୁବାଷ ଖିଲାରୀ (୬୦ ବର୍ଷ) ଏକ ସାଇକେଲରେ ସହରର କଇଥ ସାହି ପଟରୁ ଭୀମ ଭୋଇ ଛକ ଆଡକୁ ଆସୁଥିଲେ। ଏତିକିବେଳେ ଭୀମଭୋଇଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ହେଲେ ତାଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଭୀମଭୋଇ ଛକରେ ୫୫ନଂ ଜାତୀୟ ରାଜପଥ ଓ ରାଞ୍ଚି ବିଜୟୱାଡା ରାଜପଥକୁ ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି।