ଫ୍ଲାଏଓଭରରୁ ଖସି ବାପା-ପୁଅ ମୃତ; ଯାଉଥିଲେ ହସ୍ପିଟାଲ, ଚାଲିଗଲେ ଆରପାରିକୁ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ବାପାଙ୍କ ଦେହ ଖରାପ ଥିଲା । ପୁଅ ତାଙ୍କୁ ବାଇକ୍ରେ ବସାଇ ହସ୍ପିଟାଲ୍ ନେଉଥିଲା । ହେଲେ ବିଧିର ବିଧାନ ଥିଲା ଅଲଗା । ସେମାନେ ହସ୍ପିଟାଲ୍ରେ ପହଞ୍ଚି ପାରିଲେ ନାହିଁ । ବାଟରେ ଟ୍ରକ୍ ଧକ୍କା ଦେଲା । ୩୦ ଫୁଟ ତଳକୁ ଖସି ବାପା-ପୁଅ ଆରପାରିକୁ ଚାଲିଗଲେ । ଏମିତି ଦୁଃଖଦ ଦୁର୍ଘଟଣା ଘଟିଛି ସହିଦ୍ନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାର ଫ୍ଲାଏ ଓଭରରେ । ସେମାନେ ହେଲେ ନୟାଗଡ଼ ଜିଲ୍ଲା ଦଶପଲ୍ଳା ମଧ୍ୟଖଣ୍ଡ ଗାଁର ଗଙ୍ଗାଧରା ମହାରଣା(୫୫) ଓ ତାଙ୍କ ପୁଅ ଲକ୍ଷ୍ମଣ ମହାରଣା(୨୫) । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
ପୁଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ଗଙ୍ଗାଧରଙ୍କ କିଛି ଦିନ ହେବ ହୃଦରୋଗ ଜନିତ କିଛି ସମସ୍ୟା ରହୁଥିଲା । ସେ ନିୟମିତ ବ୍ୟବଧାନରେ ଚିକିତ୍ସା ପାଇଁ କଟକ ଯାଉଥିଲେ । ସୋମବାର ଦିନ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତର ତାରିଖ ଦେଇଥିଲେ । ତେଣୁ ଆଜି ଭୋରରୁ ଗଙ୍ଗାଧର ଓ ତାଙ୍କ ପୁଅ ଲକ୍ଷ୍ମଣ ଘରୁ ବାହାରିଥିଲେ । ଲକ୍ଷ୍ମଣ ବାଇକ୍(ଓଡି୨୫ଏଚ୍୬୪୬୦) ଚଲାଉଥିଲେ ଓ ପଛର ବସିଥିଲେ ଗଙ୍ଗଧର । ଖଣ୍ଡଗିରି ପାର ହେବା ପରେ ସିଧା ଫ୍ଲାଏ ଓଭରରେ କଟକ ଆଡ଼କୁ ଯାଉଥିଲେ । ସମୟ ପ୍ରାୟ ସାଢ଼େ ୭ଟା ହେବ । ଆଚାର୍ଯ୍ୟବିହାର ଛକ ଠାରୁ ଫ୍ଲାଏଓଭର ଠାରେ ଏକ ଟ୍ରକ୍ ସେମାନଙ୍କ ବାଇକ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଦୁଇ ଜଣ ଫ୍ଲାଏଓଭର ଉପରୁ ତଳକୁ ଖସି ପଡ଼ିଥିଲେ । ଉଭୟଙ୍କ ମୁଣ୍ଡ ଫାଟି ଯାଇଥିଲା । ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଓଭରବ୍ରିଜ୍ ଉପରେ ବାଇକ୍ ପଡ଼ିଥିଲା । ଦୁର୍ଘଟଣା ଘଟାଇ ଟ୍ରକ୍ ସେଠାରୁ ଦ୍ରୁତବେଗରେ ପଳାଇଥିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବାପା-ପୁଅଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ତା’ପରେ ପୁଲିସ୍ ପରିବାର ଲୋକଙ୍କୁ ଖବର ଦେଇଥିଲା । ପରିବାର ଲୋକେ ପହଞ୍ଚିଲା ପରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ସେମାନଙ୍କୁ ହସ୍ତାନ୍ତର କରା ଯାଇଥିଲା ।
ସୂଚନା ଥାଉକି, ବରମୁଣ୍ଡା ଠାରୁ ଆଚାର୍ଯ୍ୟବିହାର ଭିତରେ ଗତ ୩ ଦିନ ମଧ୍ୟରେ ୫ ଜଣଙ୍କୁ ଜୀବନ ଗଲାଣି । ଆଜି ଦୁଇ ବାପା-ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଶନିବାର ଫାୟାର ଷ୍ଟେସନ ଓଭରବ୍ରିଜ ଉପରେ ଏକ ଟ୍ରକ୍ ଧକ୍କାରେ ସ୍କୁଟରରେ ଯାଉଥିବା ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ମୃତ ଦୁଇ ଛାତ୍ର ହେଲେ ବରମୁଣ୍ଡା ହାଉସିଂବୋର୍ଡ କଲୋନୀରେ ରହୁଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ହିମାଂଶୁ ପତି ମିଶ୍ରଙ୍କ ପୁଅ ଚନ୍ଦ୍ରାଂଶୁ ପତି ମିଶ୍ର(୧୯) ଓ ପାତ୍ରପଡ଼ା ଶ୍ରେୟା ପ୍ୟାଲେସରେ ରହୁଥିବା ବ୍ଲକ ଗ୍ରାଣ୍ଟ୍ ଅଧ୍ୟାପିକା ଅମୀୟବାଳା ପରିଡ଼ାଙ୍କ ପୁଅ ଗିରିଜା ଶଙ୍କର ବାଗ୍(୧୯) । ସେହିପରି ରବିବାର ରାତି ୮ଟାବେଳେ ବରମୁଣ୍ଡା ଓଭରବ୍ରିଜ ନିକଟରେ ଏକ ବସ୍ ଧକ୍କାରେ ବାଇକ୍ଆରୋହୀ ଧଉଳି ବସନ୍ତପୁରର ବାପୁଜୀ ନାୟକ(୪୦)ଙ୍କ ମୃତ୍ୟୁ ଘଟିଥିଲା ।