ବାସୁଦେବପୁର,୪।୬ : ବାସୁଦେବପୁର ଧାମରା ରାସ୍ତାର ପାରାପୋଖରୀ ଛକ ନିକଟରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଡ୍ରାଇଭରର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ବିହାର ରାଜ୍ୟର ଲାଲୁନଗର ଗ୍ରାମର ସଞ୍ଜୟ ଯାଦବ ବୋଲି ଜଣାପଡିଛି।

ବାସୁଦେବପୁର ଧାମରା ଅଭିମୁଖେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ଓ ଧାମରାରୁ ବାସୁଦେବପୁର ଅଭିମୁଖେ ଆସୁଥିବା ଟ୍ରକ କୌଣସି କାରଣ ବଶତଃ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଲୁହାପଥର ବୋଝେଇ ଟ୍ରକ ଡ୍ରାଇଭରର ଓ କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଲୁହାପଥର ବୋଝଇ ଟ୍ରକ ଡ୍ରାଇଭରକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନ ପଠାଇ ଦେଇଥିବା ବେଳେ ଏଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ସ୍ଥାନୀୟ ଲୋକେ କୋଇଲା ବୋଝେଇ ଡ୍ରାଇଭରକୁ ଉଦ୍ଧାର କରିନପାରି ଦମକଳ ବାହିନୀକୁ ଖବର କରିଥିଲେ।  ଦମକଳ ବାହିନୀ ପହଂଚି ଡ୍ରାଇଭରକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ପଠାଇଥିଲେ। ଉକ୍ତ ଡ୍ରାଇଭରର ପରିଚୟ ମିଳିପାରିନଥିଲେ ବି ଏଠାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତରଖାନା ପଠାଯାଇଥିଲା।