ପୁରୀ, ୨୪/୦୭ : ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡ଼ିବେ ବାହୁଡ଼ାବ୍ରହ୍ମ। ଗୁଣ୍ଡିଚା ଘରୁ ଆରମ୍ଭ ହେଲା ପହଣ୍ଡି ବିଜେ। ପ୍ରଥମେ ଆରମ୍ଭ ହେଲା ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି। କ୍ଷୀପ୍ର ଗତିରେ ଆସି ଦର୍ପଦଳନ ରଥାରୂଢ ହେଲେ ସୁଦର୍ଶନ। ତାଙ୍କ ପରେ ଆରମ୍ଭ ହୋଇଛି ରୋହିଣୀ ନନ୍ଦନ ବଳଭଦ୍ରଙ୍କ ପହଣ୍ଡି। ନାକଚଣା ଦ୍ଵାର ଦେଇ ରଥାରୂଢ ହେଉଛନ୍ତି ଠାକୁର। ତାଙ୍କ ପରେ ଆସିବେ ହଳଦୀ ମୁହିଁ ଦେବୀ ସୁଭଦ୍ରା। ଶେଷରେ ଆସିବେ କାଳିଆ ସାଆନ୍ତ। ଘଣ୍ଟ ଘଣ୍ଟା, ଶଙ୍ଖଧ୍ଵନି, ହରିବୋଲ, ହିଳହୁଳିରେ କମ୍ପୁଛି ଗଗନ ପବନ। ଶରଧାବାଲିରେ ଭକ୍ତିମୟ ପରିବେଶ।
ବାହୁଡ଼ା ଯାତ୍ରାର ପ୍ରାରମ୍ଭରେ ଶ୍ରୀଜିଉମାନଙ୍କ ସେନାପଟା ଲାଗି ନୀତି ପରେ ମଙ୍ଗଳାର୍ପଣ ହୋଇଥାଏ। ଏହାପରେ ଡୋରଲାଗି ନୀତି ହୋଇ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହୋଇଥାଏ। ବାହୁଡ଼ାଯାତ୍ରାରେ ଶ୍ରୀଜିଉମାନେ ଧାଡ଼ି ପହଣ୍ଡିରେ ଆସିଥାନ୍ତି। ପହଣ୍ଡି ବିଜେ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଏହାପରେ ନିର୍ଦ୍ଧାରିତ ସମୟରେ ତିନିରଥ ଟଣା ଆରମ୍ଭ ହେବ । ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବହୁ ସଂଖ୍ୟକ ପୁଲିସ ଫୋର୍ସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦାୟିତ୍ୱରେ ମୁତୟନ ରହିଛନ୍ତି ।
ଆହୁରି ପଢନ୍ତୁ- ଶ୍ରୀମନ୍ଦିର ପରମ୍ପରା ଓ ଐତିହ୍ୟ ସୁରକ୍ଷା ଦିଗରେ ବଡ଼ ସଫଳତା, ଆଉ ୫ ଶବ୍ଦକୁ ଟ୍ରେଡ୍ ମାର୍କ ଅନୁମୋଦନ
ପୁରୀରୁ🔴LIVE| ବାହୁଡ଼ା ଯାତ୍ରାରେ ତିନି ଠାକୁର, ଭକ୍ତଙ୍କ ଅସମ୍ଭାଳ ଭିଡ଼