ପୁରୀ, ୨୫/୦୭: ଶ୍ରୀଗୁଣ୍ଡିଚାରେ ମରିଚିକୋଟ ଛକରେ ଦଳାଚକଟାରେ ୨ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ରାଜ୍ୟବାସୀଙ୍କ ମନରୁ ନ ଲିଭିଣୁ ପୁଣି ବାହୁଡ଼ାରେ ଅଘଟଣ । ବଡ଼ଦାଣ୍ଡସ୍ଥିତ ବଗଲା ଧର୍ମଶାଳା ସମ୍ମୁଖରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରଦ୍ଧାଳୁ ହେଲେ କଟକ ଜିଲ୍ଲାର ଅଭିରାମ ଦାସ (୫୭) । ୧୩୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟମାନେ ଚିକିତ୍ସା ପରେ ଚିକିତ୍ସାଳୟରୁ ଫେରିଯାଇଥିବା ଜଣାପଡ଼ିଛି ।

ଶୁକ୍ରବାର ସନ୍ଧ୍ୟାରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଆଗେ ଆଗେ ଯାଉଥିଲା । ପଛରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୁଲିସ ଓ ଶ୍ରଦ୍ଧାଳୁ ଟାଣି ନେଇଥିଲେ । ବଗଲା ଧର୍ମଶାଳା ସମ୍ମୁଖରେ ଦର୍ପଦଳନ ରଥ ପହଞ୍ଚିଲା ବେଳକୁ ବଡ଼ଦାଣ୍ଡରେ ଅଇଁଠା ଖଲି ପଡ଼ିଥିଲା । ଶ୍ରଦ୍ଧାଳୁମାନେ ଅଇଁଠା ଖଲିକୁ ପାଦରେ ମାଡ଼ିବାକୁ ଚାହିଁନଥିଲେ । ସେମାନେ ଅଇଁଠା ଜାଗାକୁ ନଯାଇ ବଡ଼ଦାଣ୍ଡ ମଝିଆଡ଼କୁ ଆସିବା ଲାଗି ଉଦ୍ୟମ କରିଥିଲେ । ପଛରୁ ଦର୍ପଦଳନ ରଥ ମାଡ଼ି ଆସିଥିଲା । ଏହି ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଅଭିରାମ ତଳେ ପଡ଼ିଯାଇଥିଲେ । ତାଙ୍କ ଉପରେ ଶତାଧିକ ଶ୍ରଦ୍ଧାଳୁ ଲଦି ହୋଇଯାଇଥିଲେ । ଅଭିରାମଙ୍କୁ ତଳୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ଶବ ସଂରକ୍ଷଣ ଗୃହରେ ରଖିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ତ୍ରୁଟିଶୂନ୍ୟ ରଥଯାତ୍ରା ଲାଗି ରାଜ୍ୟଠୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ତାଗିଦ୍ କରିଥିଲେ । ବରିଷ୍ଠ ପୁଲିସ ଅଧିକାରୀଙ୍କଠୁ ଆରମ୍ଭ କରି ବରିଷ୍ଠ ପ୍ରାଶାସନିକ ଅଧିକାରୀମାନଙ୍କୁ ବାହାର ଜିଲ୍ଲାରୁ ଆଣି ପୁରୀରେ ନିୟୋଜିତ କରିଥିଲେ । ରଥଯାତ୍ରା ଅଘଟଣ ପରେ ବାହୁଡ଼ାରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ଲାଗି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଗିଦ୍ କରିଥିଲେ । ହେଲେ ବରିଷ୍ଠ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଅଘଟଣ ଘଟିଥିବା ସହରରେ ଚର୍ଚ୍ଚା ଜୋର୍ ଧରିଛି ।

ଅଧିକ ପଢ଼ନ୍ତୁ :- Suna Besha: ଆଜି ରଥାରୂଢ଼ ଦାରୁବ୍ରହ୍ମଙ୍କ ଦୁର୍ଲଭ ସୁନାବେଶ, ଅପରାହ୍ନ ୫ଟାରେ ମହଣ ମହଣ ସୁନାରେ ବିଭୂଷିତ ହେବେ ମହାବାହୁ

ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ମରିଚିକୋଟ ଛକଠାରେ ଦଳାଚକଟାରେ କଟକର ଅନିଲ ଦାସ ଓ ମହାରାଷ୍ଟ୍ରର ଅଶୋକ ରାୟକରଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମେ ଦଳାଚକଟାକୁ ପ୍ରଶାସନ ଗ୍ରହଣ କରୁନଥିବା ବେଳେ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ଉଭୟ ମୃତକଙ୍କ ପରିବାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା ।