ନୂଆଦିଲ୍ଲୀ,୧୫/୦୨: ପୃଥିବୀ ପୃଷ୍ଠରେ ନର୍କର ଦ୍ବାର । ଖବର ଶୁଣି କରି ଆପଣଙ୍କୁ ଖଟକା ଲାଗୁଥିବ । ଆପଣ ଭାବୁଥିବେ ଏମିତି କ’ଣ ପାଗଳ ଭଳି ଲେଖୁଛନ୍ତି । ଭୂ-ପୃଷ୍ଠରେ ସତରେ କ’ଣ ଏମିତି ସ୍ଥାନ ରହିଛି । ଏହା କ’ଣ ସମ୍ଭବ ? ହଁ ଏହା କିଛି ବି ଅସମ୍ଭବ ନୁହେଁ । ସବୁଜ ଗ୍ରହ ପୃଥିବୀରେ ଏମିତି ଗୋଟିଏ ସ୍ଥାନ ରହିଛି, ଯେଉଁଠି ପହଞ୍ଚିଲେ ଲାଗିବ ଅନ୍ୟ କୌଣସି ଗ୍ରହରେ ପହଞ୍ଚିଗଲେ । ଏଇଠୁ ବୋଧେ ନର୍କକୁ ରାସ୍ତା ରହିଛି । ପାଣିରେ ଜୀବନ ନେବା ଭଳି ଏସିଡ୍ । ଚତୁଃପାର୍ଶ୍ବରେ ବିଷାକ୍ତ ବାୟୁ । ଆକାଶରୁ ଅମ୍ଳୀୟ ବର୍ଷା । ମାଟି ଖୋଳିଲେ ଖାଲି କେମିକାଲ୍ ଗ୍ୟାସ୍ । ଏହି ଜୀବନ ତିଷ୍ଠିବା ମୁସ୍କିଲ୍ । ତେବେ ଏଭଳି ସ୍ଥାନ କେଉଁଠି ରହିଛି । । ହଁ ଆଜ୍ଞା ଆଫ୍ରିକା ମହାଦେଶ ଇଥୋପିଆର ଡାଲୋଲ ଅଞ୍ଚଳରେ ଏହି ସ୍ଥାନ ରହିଛି । ଯାହା ‘ଏସିଡ୍ ସିଟି’ ଭାବେ ପରିଚିଚ । ଏହା ବୈଜ୍ଞାନିକ ମାନେ ପୃଥିବୀର ନର୍କର ଦ୍ବାର ବୋଲି ବର୍ଣ୍ଣନା କରିଛନ୍ତି ।
ଜୀବନ ଜିଇବା ଅସମ୍ଭବ:
ଡାଲୋଲ ସମୁଦ୍ର ପତନରୁ ପ୍ରାୟ ୧୩୦ ମିଟର ତଳେ ଅବସ୍ଥିତ। ଏଠାରେ ଭୂଗର୍ଭରେ ଥିବା ଲାଭାର ଉତ୍ତାପ, ଭୂ-ପୃଷ୍ଠର ଉପର ଅଂଶରେ ଥିବା ଲୁଣ ଓ ପୋଟାସିୟମ ଭଣ୍ଡାର ସହିତ ମିଶି ରାସାୟନିକ ପ୍ରକ୍ରିୟା ସୃଷ୍ଟି କରେ । ଏହାଦ୍ବାରା ଜଳର PH ଭାଲ୍ୟୁ ଶୂନ୍ୟ ହୋଇଯାଏ । ଯାହାଫଳରେ ବ୍ୟାଟେରୀର ଆମ୍ଲ ଠାରୁ ଅଧିକ ଘାତକ ହୋଇଯାଇଥାଏ । ‘ନେଚର କମ୍ୟୁନିକେସନ୍’ର ଏକ ଅଧ୍ୟୟନ ଅନୁସାରେ, ଇଥୋପିଆର ଡାଲୋଲ ଅଞ୍ଚଳରେ ଥିବା ଅମ୍ଲ ଭରା ପୋଖରୀରେ ଏକକୋଶୀ ଜୀବମାନେ ମଧ୍ୟ ବଞ୍ଚି ପାରୁନାହାନ୍ତି। ଅର୍ଥାତ୍, ପୃଥିବୀରେ ଜୀବନର ସମ୍ଭାବନା ପ୍ରାୟ ଶୂନ୍ୟ ଥିବା ଦୁର୍ଲଭ ଜାଗାମାନଙ୍କ ମଧ୍ୟରୁ ଏହା ଗୋଟିଏ ସ୍ଥାନ ।
ଡାଲୋଲ ଅଞ୍ଚଳରେ ପାଣି ରଙ୍ଗ ହଳଦିଆ, କମଳା, ଲାଲ ଓ ସବୁଜ ରଙ୍ଗରେ ଚମକି ଥାଏ । ପାଣି ଏଭଳି ରଙ୍ଗ ହେବାର କାରଣ ହେଉଛି, ସଲଫର, ଲୁହା ଜଙ୍ଗ୍ ଓ ତମ୍ବାର ଲବଣ। ବର୍ଷା ହେଲେ ଏହି ପାଣି ଅମ୍ଲରେ ପରିଣତ ହୋଇ ଚାରିଆଡ଼େ ଖେଳିଯାଇଥାଏ । ମାଟି କେବେ କେବେ ଫାଟି ସେଥିରୁ ଗରମ ଗ୍ୟାସ୍ ଓ ରାସାୟନିକ ପଦାର୍ଥ ବାହିରିଥାଏ ।
ବିଷାକ୍ତ ବାୟୁ ଓ ଜୀବନ ମୁସ୍କିଲ୍:
ଡାଲୋଲ ଅଞ୍ଚଳରେ ତାପମାତ୍ରା ୪୮ ଡିଗ୍ରୀ ସେଲସିୟସ୍ ଠାରୁ ଅଧିକ । ଏଠାରେ ସବୁଠାରୁ ବଡ଼ ବିପଦ ହେଉଛି ବିଷାକ୍ତ ବାୟୁ । ଯେଉଁଥିରେ କ୍ଲୋରିନ୍, ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ଅଦୃଶ୍ୟ ମେଘ ଭଳି ଭାସୁଥାଏ । ପବନ ଦିଗ ବଦଳାଇଲେ ଏହି ବିଷାକ୍ତ ଗ୍ୟାସ୍ କିଛି ମିନିଟ୍ ମଣିଷର ଫୁସଫୁସ୍ ପର୍ଯ୍ୟନ୍ତ ପହଞ୍ଚିଯାଏ । ଏହା କିଛି କ୍ଷଣକ ମଧ୍ୟରେ କାମ କରିବା ବନ୍ଦ କରିଦେଇଥାଏ ଏବଂ ତରୁନ୍ତ ମନୁଷ୍ୟର ମୃତ୍ୟୁ ହୋଇଥାଏ । ସ୍ଥାନୀୟ ‘ଅଫାର’ ସଂପ୍ରଦାୟର ଲୋକେ ଏହାକୁ ‘ଭୂତମାନଙ୍କ ସହର’ ବୋଲି କୁହନ୍ତି
ମଙ୍ଗଳ ଗ୍ରହ ସହ ତୁଳନା:
ବୈଜ୍ଞାନିକଙ୍କ ମତରେ ଡାଲୋଲର ସ୍ଥିତି ମଙ୍ଗଳ ଗ୍ରହ ସହିତ ପ୍ରାୟ ସମାନ । ଯଦି କେବେ ମଙ୍ଗଳରେ ଜୀବନ ମିଳେ । ତେବେ ସେହି ଜୀବନ ଡାଲୋଲର ଭଳି କଠୋର ଏବଂ ରାସାୟନିକ ପରିବେଶରେ ହେବା ସମ୍ଭାବନା ରହିଛି । ଶେଷ କିଛି ବର୍ଷ ହେଲା ଏଠାରେ ଗଠିତ ହୋଇଥିବା ବିଶାଳ ‘ସଲ୍ଟ ଚିମନି, ଭୂଗର୍ଭରେ ଥିବା ମାଗ୍ମାର ଉପରକୁ ଉଠୁଥିବାର ସଙ୍କେତ ଦେଉଛି । ଏହା ପୃଥିବୀର ଉପର ପରଦକୁ ଫଟାଇ ବାହାରକୁ ବାହାରିଲେ ଆଗ୍ନେୟଗିରି ଉଦଗୀରଣ ହେବ । ଆଉ ସେଥିରୁ ବାହାରୁ ଥିବାରୁ ଗ୍ୟାସ୍ ସ୍ଥାନୀୟ ବାୟୁମଣ୍ଡଳକୁ ଆହୁରି ଖରାପ କରିଦେବ ।
ପର୍ଯ୍ୟଟନସ୍ଥଳି ନୁହେଁ ମୃତ୍ୟୁର ଆମନ୍ତ୍ରଣ:
ଡାଲୋଲକୁ ପହଞ୍ଚିବା ସହଜ ନୁହେଁ । ପୃଥିବୀର ଏହି ସ୍ଥାନରେ ପହଞ୍ଚିବାକୁ ଯାତାୟାତର କୌଣସି ସୁବିଧା ନାହିଁ । କେବଳ ପଥୁରିଆ ରାସ୍ତା ଦେଇ ଯିବାକୁ ପଡ଼ିଯାଏ । ରହିବା ପାଇଁ ହୋଟେଲ ନାହିଁ; ରହିବାକୁ ହେଲେ ପ୍ଲାଷ୍ଟିକ୍ ଟେଣ୍ଟ ଭରସା । ସୁରକ୍ଷା ବ୍ୟବସ୍ଥା ସହିତ ଯିବା ଆବଶ୍ୟକ। ଭୁଲ୍ ପଦକ୍ଷେପ ନେଲେ ଅମ୍ଲ ପୋଖରୀ ପଡ଼ିଯିବାର ଆଶଂକା ବହୁତ । ଡାଲୋଲ ପ୍ରମାଣ କରେ ଯେ ପୃଥିବୀର କିଛି କୋଣ ଆଜି ମଧ୍ୟ ମନୁଷ୍ୟ ପାଇଁ ଅଜଣା ଓ ଅପରିଚିତ। ଚମକୁଥିବା ହଳଦିଆ ଓ ସବୁଜ ରଙ୍ଗ ଯେତେ ସୁନ୍ଦର ଦେଖାଯାଏ, ସେତେ ଘାତକ।
ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ୧୦ ବର୍ଷିୟ ପିଲା ୩୦୦ଟଙ୍କାରେ କିଣି ଥିଲେ ୱେବସାଇଟ୍ ; ୬୦୦ କୋଟିରେ ବିକ୍ରି କରି କୋଟିପତି