ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ଜଣେ ସାଥିଙ୍କ ବିରୋଧରେ , ପଞ୍ଜାବ ସରକାର ନେଇଛନ୍ତି କାର୍ଯ୍ୟାନୁଷ୍ଠାନ। ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଜିନ୍ଦର ଗୁପ୍ତାଙ୍କ ଟ୍ରାଇଡେଣ୍ଟ ଗ୍ରୁପ୍ର ଫ୍ୟାକ୍ଟ୍ରି ଉପରେ ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କରିଛି ଚଢାଉ। ଟ୍ରାଇଡେଣ୍ଟ ଗ୍ରୁପର ଧୌଲା ସ୍ଥିତ ପରିସରରେ,ଆଜି ଅପରାହ୍ନଣରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍ ନଅଟି ଗାଡ଼ିରେ ସେଠାରେ ପହଞ୍ଚି ଥିଲା। ପ୍ରାୟ ୧୦ ଜଣ ଅଧିକାରୀଙ୍କୁ ନେଇ ଗଠିତ ଏହି ଦଳ କାରଖାନା ଭିତରକୁ ଯାଇ ପ୍ଲାଣ୍ଟ ଏବଂ ଆବଶ୍ୟକୀୟ କାଗଜପତ୍ରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଥିଲେ। ବିନା କୌଣସି ପୂର୍ବ ସୂଚନାରେ ଏହି କାର୍ଯ୍ୟାନୁଷ୍ଠାନ କାରଖାନା ପରିସରେ ହଇଚଇ ସୃଷ୍ଟି କରିଥିଲା। ଏହି ଚଢାଉକୁ ରାଜନୀତି ସହ ଯୋଡ଼ି ମଧ୍ୟ ଦେଖାଯାଉଛି। ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବରେ ଏହା କୁହାଯାଇ ନାହିଁ ଯେ, ଏହା ଏକ ରୁଟିନ ଚେକିଂ କି କୌଣସି ବିଶେଷ ଅଭିଯୋଗ ଆଧାରରେ କରାଯାଇ ଥିବା କାର୍ଯ୍ୟାନୁଷ୍ଠାନ।
ରାଜ୍ୟସଭା ସଦସ୍ୟ ରାଜିନ୍ଦର ଗୁପ୍ତା ବିଜେପିରେ ଯୋଗ ଦେବା ପରେ, ଆମ ଆଦମୀ ପାର୍ଟିର କର୍ମୀମାନେ ତାଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ତାଙ୍କ ଚଣ୍ଡିଗଡ଼ ସ୍ଥିତ ବାସଭବନର କାନ୍ଥରେ ଦେଶଦ୍ରୋହୀ ଶବ୍ଦ ଲେଖା ଯାଇ ଥିଲା। ଚଣ୍ଡିଗଡ଼ ପୁଲିସ ସେକ୍ଟର-୩ ଥାନାରେ ଏକ ଫୌଜଦାରୀ ମାମଲା ରୁଜୁ କରି ତାଙ୍କ ବାସଭବନ ବାହାରେ ସୁରକ୍ଷା ବୃଦ୍ଧି କରିଛି।
ଉଲ୍ଲେଖନୀୟ ଯେ, ରାଜିନ୍ଦର ଗୁପ୍ତା ପଞ୍ଜାବର ସବୁଠାରୁ ଧନୀ ଶିଳ୍ପପତିଙ୍କ ମଧ୍ୟରୁ ଜଣେ । ଟ୍ରାଇଡେଣ୍ଟ ଗ୍ରୁପର ପ୍ରତିଷ୍ଠାତା ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ରାଜିନ୍ଦର ଗୁପ୍ତା ସମ୍ପ୍ରତି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ତାଙ୍କର ନୂତନ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଆପ୍ର ସଞ୍ଜୀବ ଆରୋରାଙ୍କ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଖାଲି ହୋଇଥିବା ଆସନ ପାଇଁ ଆମ୍ ଆଦମୀ ପାର୍ଟି, ରାଜିନ୍ଦର ଗୁପ୍ତାକୁ ନିଜର ପ୍ରାର୍ଥୀ ଭାବରେ ମନୋନୀତ କରିଥିଲା। ଅକ୍ଟୋବର ୨୦୨୫ରେ ରାଜ୍ୟସଭା ନିର୍ବାଚନରେ, ରାଜିନ୍ଦର ଗୁପ୍ତା ପଞ୍ଜାବରୁ ରାଜ୍ୟସଭା ପାଇଁ ବିନା ବିରୋଧରେ ନିର୍ବାଚିତ ହୋଇଥିଲେ, ଏବଂ ପଞ୍ଜାବରୁ ସପ୍ତମ ରାଜ୍ୟସଭା ସାଂସଦ ହୋଇ ଥିଲେ।