ମୁମ୍ବାାଇ:  ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ  ୯୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । କିନ୍ତୁ ଏହା ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ଅଭିନେତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଥିଲେ ।  

ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏବେ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଅଭିନେତାଙ୍କ ଟିମ୍‌ ସୂଚନା ଦେଇଛି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିବା ପରେ, ତାଙ୍କର ଫ୍ୟାନ୍ସ ଆଶ୍ବସ୍ତ ହୋଇଛନ୍ତି । 

ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ ଭାବରେ କରାଯାଉଛି । ଏହା ପୂର୍ବରୁ ମଧ୍ୟ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧର୍ମେନ୍ଦ୍ରଙ୍କୁ ୮୯ ବର୍ଷ ହେଲାଣି ଏବଂ ସେ ନିଜ ସ୍ବାସ୍ଥ୍ୟ ପ୍ରତି ବେଶ ଯତ୍ନବାନ ଅଛନ୍ତି । ବୟସ ସମ୍ପର୍କିତ ଜଟିଳତା ଯୋଗୁଁ ସେ ଚିକିତ୍ସା ପାଇଁ ଆମେରିକା ମଧ୍ୟ ଯାଇଥିଲେ। ଧର୍ମେନ୍ଦ୍ର ହିନ୍ଦୀ ସିନେମାର ଜଣେ ଲୋକପ୍ରିୟ ଅଭିନେତା ଏବଂ ପ୍ରଶଂସକମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ଚିନ୍ତିତ।

ବଲିଉଡର ହି-ମ୍ୟାନ୍, ଧର୍ମେନ୍ଦ୍ରଙ୍କୁ ବର୍ତ୍ତମାନ ୮୯ ବର୍ଷ ବୟସ। ଏହି ଅଭିନେତା ଡିସେମ୍ବର ୮ ତାରିଖରେ ତାଙ୍କର ୯୦ ତମ ଜନ୍ମଦିନ ପାଳନ କରିବେ। କେବଳ ତାଙ୍କ ପରିବାର ନୁହେଁ ବରଂ ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ଜନ୍ମଦିନକୁ ନେଇ ବହୁତ ଉତ୍ସାହିତ। ପ୍ରତିବର୍ଷ ହଜାର ହଜାର ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ମୁମ୍ବାଇ ଘର ବାହାରେ ଏକାଠି ହୁଅନ୍ତି। ଧର୍ମେନ୍ଦ୍ରଙ୍କୁ ଶେଷ ଥର ପାଇଁ ଶାହିଦ କପୁର ଏବଂ କୃତି ସାନନଙ୍କ ଅଭିନୀତ ‘ତେରି ବାତେଁ ମେ ଐସା ଉଲଝା ଜିୟା’ ଫିଲ୍ମରେ ଦେଖିବାକୁ ମିଳିଥିଲା।