ମୁମ୍ବାଇ ୧୦/୧୧: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍ ସାଇବର ବୁଲିଂର ଶିକାର ହୋଇଛନ୍ତି । ଏନେଇ ସେ ସୋସିଆଲ୍ ମିଡିଆରେ ସେ ପ୍ରକାଶ କରିଛନ୍ତି । ଅନୁପମାଙ୍କ ଅନୁସାରେ, କିଛି ଦିନ ପୂର୍ବରୁ ଏକ ଇନ୍ଷ୍ଟାଗ୍ରାମ ପ୍ରୋଫାଇଲ୍ ତାଙ୍କ ସମେତ ପରିବାର ଲୋକଙ୍କ ସଂପର୍କରେ ମିଥ୍ୟା ଓ ଭ୍ରମାତ୍ମକ ଖବର ପ୍ରସାର କରୁଥିବା ତାଙ୍କ ନଜରକୁ ଆସିଥିଲା । ସେହି ପୋଷ୍ଟରେ ମର୍ଫ ହୋଇଥିବା ତାଙ୍କର ଫଟୋ ସହିତ ଅନେକ ନିରାଧାର ଅଭିଯୋଗ ଥିଲା । ଏହି ଘଟଣା ତାଙ୍କୁ ଚିନ୍ତିତ କରିଦେଲା । ଏହାପରେ ସେ କେରଳର ସାଇବର କ୍ରାଇମ୍ ପୁଲିସରେ ଅଭିଯୋଗ କଲେ । ଏହା ପଛରେ ତାମିଲନାଡୁର ଜଣେ ୨୦ ବର୍ଷୀୟା ଯୁବତୀ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି । ତେବେ ଅଭିଯୁକ୍ତଙ୍କର ବୟସ କମ୍ ଥିବା ଯୋଗୁ ସେ ତାଙ୍କର ପରିଚୟ ପ୍ରକାଶ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସାଇବର ବୁଲିଂ ନେଇ ଅନୁପମା ଆହୁରି କହିଛନ୍ତି ଯେ, କେବଳ ସ୍ମାର୍ଟଫୋନ୍ ରଖିଲେ କିମ୍ବା ସୋସିଆଲ୍ ମିଡିଆର ବ୍ୟବହାର କଲେ କାହାରିକୁ ଅନ୍ୟମାନଙ୍କୁ ଟ୍ରୋଲ୍ କରିବା, ବଦନାମ କରିବା କିମ୍ବା ଘୃଣା ପ୍ରସାର କରିବାର ଅଧିକାର ମିଳେନାହିଁ । ସବୁ ଅନ୍ଲାଇନ୍ ଗତିବିଧିର ରେକର୍ଡ ରହିଥାଏ । ଏହି ମାମଲାରେ ଯୁବତୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ହେବ । ସାଇବର ବୁଲିଂ ଏକ ଅପରାଧ ଏବଂ ଏଥିଲାଗି ଉତ୍ତରଦାୟିତ୍ୱ ସ୍ଥିର କରାଯିବା ଜରୁରି ।
୨୦୧୫ରେ ମାଲାୟଲମ୍ ଫିଲ୍ମ ‘ପ୍ରେମମ୍’ ଜରିଆରେ ଅନୁପମା ଅଭିନୟ ଜଗତରେ ପାଦ ଦେଇଥିଲେ । ଏହାପରେ ସେ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।