ଧାମରା,୦୯/୦୮: ଆଦାନୀ ଧାମରା ପୋର୍ଟ ଷ୍ଟିଲ ସ୍ଲାବ୍ ପରିବହନ ଯୋଗାଣ କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ ହାସଲ କରିପାରିଛି । ଧାମରା ପୋର୍ଟ ପକ୍ଷରୁ ପ୍ରଥମଥର ପାଇଁ ଷ୍ଟିଲ ସ୍ଲାବ୍ ଟ୍ରେନ୍ ମାଧ୍ୟମରେ ଲୋଡିଂର ଶୁଭାରମ୍ଭ କରାଯାଇଛି । ପ୍ରଥମ ଥର ପାଇଁ ଅଗଷ୍ଟ ୩ ତାରିଖରେ ଏମ୍ଭି ଏଚ୍ଟିକେ ନେପ୍ଚୁୟନ୍ ଜାହାଜରେ ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ ଲିମିଟେଡ୍ର ଆମଦାନୀ କରାଯାଇଥିବା ୩୫,୦୦୦ ଏମ୍ଟି ଉଚ୍ଚମାନର ଷ୍ଟିଲ ସ୍ଲାବ୍ ଧାମରା ପୋର୍ଟରେ ସଫଳତାର ଅନଲୋଡିଂ କରାଯାଇଥିଲା । ପୋର୍ଟ ଦ୍ୱାରା ଏହି ପଣ୍ୟ ଦ୍ରବ୍ୟରୁ ପ୍ରାୟ ୨୯୦୦ ମେଟି୍ରକ ଟନ୍ (୧୩୩ ସ୍ଲାବ) କାର୍ଗୋ ୪୫ ଟି ବିଏଫ୍ଏନ୍ଏସ୍ ୱାଗନ୍ରେ ସଫଳତାର ସହ ଲୋଡିଂ କରାଯାଇଛି । ଜିନ୍ଦଲ ଷ୍ଟିଲର ଏହି ସ୍ଲାବ୍ ଏହାର କଳିଙ୍ଗନଗର ସ୍ଥିତ ପ୍ଲାଣ୍ଟକୁ ପରିବହନ କରାଯାଇଛି ।
ଆଦାନୀ ଧାମରା ପୋର୍ଟ ମାନବ ସମ୍ବଳ ବିଭାଗ ମୁଖ୍ୟ ବାସୁକୀ ନାଥ ଏହି ଷ୍ଟିଲ ଲୋଡିଂ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ଓ ରେଳ ପରିଚାଳନା ମୁଖ୍ୟ ଚିନ୍ମୟ ଦାଶ, କାର୍ଗୋ ପରିଚାଳନା ମୁଖ୍ୟ ବିଭୂଦତ୍ତ ରାୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏହି ମାଇଲଖୁଣ୍ଟ କେବଳ ଧାମରା ପୋର୍ଟ ପାଇଁ ନୁହେଁ ବରଂ ଶିଳ୍ପ ଏବଂ ପରିବହନ ତଥା କାର୍ଗୋ ପରିଚାଳନା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ପରିଗଣିତ ହେବ । ଏହି ସଫଳତା ପୋର୍ଟର ସମସ୍ତ କର୍ମଚାରୀ ଏବଂ ଅଂଶୀଦାରଙ୍କ ପରିଶ୍ରମର ଫଳସ୍ୱରୂପ ପାରଦର୍ଶିତା ହାସଲ କରିପାରିଛି ।