ଭୟଙ୍କର ହେଉଛି ଏଡେନୋ ଭାଇରସ: ଦିନକରେ ଆଉ ୩ ଶିଶୁଙ୍କ ମୃତ୍ୟୁ, ଗଲାଣି ୪୮ ଜୀବନ

କୋଲକାତା ୦୯/ ୦୩: ଭୟଙ୍କର ହେବାରେ ଲାଗିଛି ଏଡେନୋ ଭାଇରସ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଶିଶୁଙ୍କ ଜୀବନ ନେଲାଣି ଏହି ଭୂତାଣୁ । ପଶ୍ଚିମବଙ୍ଗରେ ଦିନକୁ ଦିନ ଏହି ଭାଇରସ କାୟା ମେଲାଇ ଚାଲିଥିବା ବେଳେ ପ୍ରତିହତ କରିବାକୁ ଅକ୍ଷମ ଡାକ୍ତରୀ ଟିମ୍ । ଏଡେନୋ ଭାଇରସର ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ପ୍ରତିଦିନ ଦେଉଥିବା ସ୍ବାସ୍ଥ୍ୟ ବୁଲେଟିନ୍ ମଧ୍ୟ ଦେବା ବନ୍ଦ କରିଦେଇଛନ୍ତି ।
ଏଡେନୋ ଭାଇରସରେ ଆକ୍ରାନ୍ତ ହୋଇ ବୁଧବାର ପୁଣି ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୪୮ରେ ପହଞ୍ଚିଲାଣି । ୩ ମୃତକଙ୍କ ମଧ୍ୟରୁ କୋଲକାତା ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବି.ସି. ରୟ ଚିଲଡ୍ରେନ୍ସ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ଗତ ୧୧ ଦିନ ମଧ୍ୟରେ ୪୮ ଜଣ ଶିଶୁଙ୍କ ଜୀବନ ନେଇସାରିଲାଣି ଏହି ଭୟଙ୍କର ଭାଇରସ । ବିଶେଷଜ୍ଞ ଟିମ୍ ମଧ୍ୟ ଭୂତାଣୁକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିରାକରଣ ପାଇଁ କଣ କରିହେବ ସେ ନେଇ ଯାଞ୍ଚ ଜାରି ରହିଛି ।

ଡାକ୍ତରୀ ବିଶେଷଜ୍ଞ ଟିମ୍ଙ୍କ ରିପୋର୍ଟ ଅନୁଯାୟୀ, ଏହି ଭାଇରସ ମୁଖ୍ୟତଃ ଚର୍ମକୁ ଚର୍ମ ସ୍ପର୍ଶ ହେବା ଦ୍ବାରା ବ୍ୟାପିଥାଏ । ଏହା ବ୍ୟତିତ ଖାସିବା ଏବଂ ଛିଙ୍କିବା ଦ୍ବାରା ମଧ୍ୟ ଏଡେନୋ ଭାଇରସ ବ୍ୟାପିଥାଏ । ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଟିମ୍ ଓ ମେଡିକାଲ ଟିମ୍ଙ୍କୁ ଆଡଭାଇଜରୀ ଜାରି କରାଯାଇଛି । ଯେଉଁ ଶିଶୁମାନେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ସେମାନଙ୍କୁ ବିଶେଷ ଦୃଷ୍ଟି ଦେବାକୁ ଡାକ୍ତରୀ ଟିମକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ୨ ବର୍ଷରୁ କମ୍ ବୟସର ଶିଶୁ ହସ୍ପିଟାଲ ଆସୁଥିଲେ ସେମାନଙ୍କ ଚିକିତ୍ସାରେ ଅବହେଳା ଯେପରି ନହୁଏ ସେଥି ପ୍ରତି ଦୃଷ୍ଟି ରଖିଛି ସ୍ବାସ୍ଥ୍ୟ ବିଭାଗ । ପିଲାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବହିର୍ବିଭାଗ ଖୋଲା ଯାଇଛି । ଏଥିପାଇଁ ସ୍ବତନ୍ତ୍ର ପେଡିୟାଟ୍ରିକ୍ ୟୁନିଟ୍ ଗଠନ କରାଯାଇଛି ।