PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଗଣପର୍ବ ‘ମଣ୍ଡେଇ’ରେ ଚମକିବ ଆଦିବାସୀ ଅଳଙ୍କାର, ସ୍ୱୟଂ ସହାୟିକା ଗୋଷ୍ଠୀ ଅଳଙ୍କାର ତିଆରି କରି ହୋଇଛନ୍ତି ସ୍ୱାବଲମ୍ବୀ

ନବରଙ୍ଗପୁର,୨୭/୧୧: ନବରଙ୍ଗପୁର ଜିଲ୍ଲାର ଗଣପର୍ବ ମଣ୍ଡେଇ ଉତ୍ସବରେ ଚମକିବ ଆଦିବାସୀଙ୍କ ପାରମ୍ପରିକ ଅଳଙ୍କାର । ତେଣୁ ଭଳିକି ଭଳି ଅଳଙ୍କାର ଗଢ଼ିବାରେ ଲାଗି ପଡ଼ିଛନ୍ତି ନବରଙ୍ଗପୁର ବ୍ଲକ୍‌ ଚୁରାହାଣ୍ଡି ଗାଁର ମା’ ବନଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀ । ପିତ୍ତଳ, ତମ୍ବା ଓ ରସକୁ ନିଆଁରେ ତରଳାଇ ଭଳିକି ଭଳି ପାରମ୍ପରିକ ଆଦିବାସୀ ଅଳଙ୍କାର ତିଆରି କରିବାରେ ଏମାନେ ସିଦ୍ଧହସ୍ତ । ଅଳଙ୍କାରରେ ଚାପସରି, ଲବଙ୍ଗକଢ଼ି, ଜାଈଫୁଲ, ନୋଥ, ମୁଦି, ଚୂଡ଼ି, ବଳା, ସୋରିଷ ମାଳି, ବେଲପତ୍ରୀ ମାଳି, ଅଙ୍କଲେଟ୍‌ ଭଳି ଗହଣା ତିଆରି କରୁଛନ୍ତି । ସେଭଳି ମଙ୍ଗଳସୂତ୍ର ସମେତ ଅତ୍ୟାଧୁନିକ ଭିନ୍ନ ଭିନ୍ନ ରଙ୍ଗର ପଥର ଖୋଦିତ ଅଳଙ୍କାର ମଧ୍ୟ ଗଢ଼ୁଛନ୍ତି କରୁଛନ୍ତି । ଆଦିବାସୀଙ୍କ ଅଳଙ୍କାର କେବଳ ନବରଙ୍ଗପୁର ଜିଲ୍ଲାରେ ନୁହଁ ଦିଲ୍ଲୀ, ଗୋଆ, ହାଇଦ୍ରାବାଦ, ମୁମ୍ବାଇ, ରାଞ୍ଚି, ଟାଟା ଓ ବେଙ୍ଗାଲୁରୁ, ରାଇପୁରରେ ମଧ୍ୟ ଭଳ ଚାହିଦା ରହିଥିବା କହିଛନ୍ତି ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ।

କରୋନା କଟକଣା ଯୋଗୁ ଗତ ଦୁଇବର୍ଷ ମେଳା ଓ ପ୍ରଦର୍ଶନୀ ବନ୍ଦଥିଲା । ତେଣୁ ଭଲ ବ୍ୟବସାୟ ହୋଇ ପାରିନଥିଲା । ନିକଟରେ କଟକ ବାଲିଯାତ୍ରା ଓ ଭୁବନେଶ୍ୱର ଆଦିବାସୀ ମେଳା ୨ଟି ସ୍ଥାନରେ ପ୍ରାୟ ୨ଲକ୍ଷର ଆଦିବାସୀ ଅଳଙ୍କାର ବିକ୍ରି ହୋଇଥିବା ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନେ କହିଛନ୍ତି । ୧୦ଟଙ୍କାରୁ ୧୧ ଶହ ଟଙ୍କା ପର୍ଯ୍ୟନ୍ତ ଅଳଙ୍କାର ଦାମ ରହିଛି । ଏଥର ଜିଲ୍ଲାସ୍ତରୀୟ ମଣ୍ଡେଇ ପାଇଁ ଅଳଙ୍କାର ଗଢ଼ା କାମ ଜାରି ରହିଛି । ଏ ବର୍ଷ ମଣ୍ଡେଇରେ ଦେଢ଼ ଲକ୍ଷ ଟଙ୍କାର ଅଳଙ୍କାର ବିକ୍ରି କରିବାକୁ ଯୋଜନା କରିଥିବା ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟା ନୀଳମଣି ଖାତି, ଡମୁଣୀ ଅମାନାତ୍ୟ, ଦନାଇ ଅମାନାତ୍ୟ, ଗୁରୁବାରି ଅମାନାତ୍ୟ, ଲକ୍ଷ୍ମୀ ଅମାନାତ୍ୟ ପ୍ରମୁଖ କହିଛନ୍ତି ।

ସୂଚନା ଯୋଗ୍ୟ, ୨୦୦୫ରେ ଚୁରାହାଣ୍ଡ ଗାଁର ମହିଳାଙ୍କୁ ନେଇ ଗଠନ ହୋଇଥିଲା ମା’ ବନଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀ । ଏହାର ସଦସ୍ୟମାନେ ପୂର୍ବରୁ ଅଦିବାସୀଙ୍କ ପାରମ୍ପରିକ ଗହଣା ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର ସହଯୋଗରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବା ପରେ ତାଙ୍କୁ ମିଳିଥିଲା ବ୍ୟାଙ୍କ ଋଣ । ଜିଲ୍ଲା ଶିଳ୍ପୀ ସମବାୟ ସିମିତିରେ ମହିଳାମାନେ ଯୋଡ଼ି ହୋଇଥିଲେ । ଜିଲ୍ଲା ଓ ରାଜ୍ୟ ବାହାରେ ବିଭିନ୍ନ ମେଳାରେ ଅଳଙ୍କାର ବିକ୍ରି କରିବାର ସୁଯୋଗ ପାଇଥିଲେ । ସେଭଳି ବିଭିନ୍ନ ରାଜ୍ୟରୁ ଜିଲ୍ଲା ଶିଳ୍ପୀ ସମବାୟ ସମିତିକୁ ଅଳଙ୍କାର ଗୁଡ଼ିକର ଅର୍ଡର ଆସୁଛି । ଚାହିଦା ମୁତାବକ ୧୫ଜଣ ମହିଳା ଗାଁରେ ଏକାଠି ହୋଇ ଅବସର ସମୟରେ ଅଳଙ୍କାର ପ୍ରସ୍ତୁତି କରି ସ୍ୱବଲମ୍ବୀ ହୋଇପାରିଛନ୍ତି ।