ସରିଲା ଆଦିବାସୀ ମେଳା, ବ୍ୟବସାୟ ୮ କୋଟି ଟପିଲା

ଭୁବନେଶ୍ୱର, ୯ ।୨(ବ୍ୟୁରୋ): ଶନିବାର ଶେଷ ହୋଇଛି ଆଦିବାସୀ ମେଳା । ଏଥିପାଇଁ ଆଜି ଦିନ ତମାମ୍ ମେଳା ପରିସରରେ ଭିଡ଼ ଜମିଥିଲା । ଦିନ ୨ଟାରୁ ରାତି ୧୦ଟା ଯାଏ,ଁ ବେଶ୍ ଭଲ କିଣାବିକା ହୋଇଥିଲା । ସନ୍ଧ୍ୟା ବେଳଠୁ ମେଳା ପଡ଼ିଆ ଲୋକାରଣ୍ୟ ହୋଇଥିଲା । ଏପରିକି ବାହାରେ ଗାଡ଼ି ପାର୍କ କରିବାକୁ ଜାଗା ନଥିଲା । ଜନରାଜ୍ୟ ଦିବସରୁ ଆରମ୍ଭ ହୋଇଥିବା ଏହି ମେଳାରେ ଚଳିତ ବର୍ଷ ପ୍ରାୟ ୮ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି ।
ଉଦ୍ଯାପନୀ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ସାଂସଦ ଝୀନ ହିକ୍କା, ବିଭାଗୀୟ ସଚିବ ରଘୁ ପ୍ରସାଦ ଓ ନୋଡାଲ ଅଧିକାରୀ ଡକ୍ଟର ଅଖିଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପ୍ରଦର୍ଶନ କରିଥିବା ବିଭିନ୍ନ ଷ୍ଟଲ୍ ଓ ସଂସ୍ଥାମାନଙ୍କୁ ପୁରସ୍କୃତ କରାଯାଇଥିଲା । ସୁନ୍ଦର କଳାକୃତିରେ ଆଦିବାସୀ ଘରକୁ ସଜାଇବା ସହ ପିଭିଟିଜି ଗୃହ (ବିଲୁପ୍ତପ୍ରାୟ ଆଦିବାସୀ ଘର ଢାଞ୍ଚା) ପାଇଁ ଆଇଟିଡିଏ କେନ୍ଦୁଝର ଦ୍ୱାରା ପ୍ରସ୍ତୁତ ଜୁଆଙ୍ଗ ଜନଜାତିର ‘ମୁଣ୍ଡା ଘର’କୁ ପ୍ରଥମ ପୁରସ୍କାର ଦିଆଯାଇଥିଲା । ଆଇଟିଡିଏ ରାୟଗଡ଼ା ଦ୍ୱାରା ପ୍ରସ୍ତୁତ ଡଙ୍ଗରିଆ କନ୍ଧ ଘରକୁ ଦ୍ୱିତୀୟ ପୁରସ୍କାର ମିଳିଥିବା ବେଳେ, ମୁଦୁଲିପଡ଼ା ବିଡିଏ ଦ୍ୱାରା ପ୍ରସ୍ତୁତ ‘ବଣ୍ଡା ଘର’ ଓ କରଞ୍ଜିଆ ଆଇଟିଡିଏ ଦ୍ୱାରା ପ୍ରସ୍ତୁତ ‘ପାହାଡ଼ି ଖରିଆ’ ଘରକୁ ମିଳିତ ଭାବେ ତୃତୀୟ ପୁରସ୍କାର ମିଳିଛି ।
ସେହିପରି ଆଦିବାସୀ ଘର ଢାଞ୍ଚା ପ୍ରସ୍ତୁତ କରିବା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ସମ୍ପାଦନ କରି ରାଇରଙ୍ଗପୁର ଆଇଟିଡିଏ ଦ୍ୱାରା ପ୍ରସ୍ତୁତ ‘ସାନ୍ତାଳି ଘର’କୁ ପ୍ରଥମ ପୁରସ୍କାର, ଆଇଟିଡିଏ କୋରାପୁଟ ଦ୍ୱାରା ପ୍ରସ୍ତୁତ ‘ଗଡ଼ବା ଘର’କୁ ଦ୍ୱିତୀୟ ପୁରସ୍କାର ମିଳିଥିଲା । ଆଇଟିଡିଏ ବଣାଇ ଦ୍ୱାରା ପ୍ରସ୍ତୁତ ‘ଓରାଓନ୍ ଘର’ ଓ ଆଇଟିଡିଏ କୁଚିଣ୍ଡା ଦ୍ୱାରା ପ୍ରସ୍ତୁତ ‘କିଷାନ୍ ଘର’କୁ ମିଳିତ ଭାବେ ତୃତୀୟ ପୁରସ୍କାର ମିଳିଛି ।
ସେହିପରି ସରକାରୀ ଷ୍ଟଲ୍ ‘ଓପେଲିପ୍’କୁ ପ୍ରଥମ, ହର୍ଟିକଲଚର ଡାଇରେକ୍ଟରକୁ ଦ୍ୱିତୀୟ ଓ ସେରିଫେଡ୍କୁ ତୃତୀୟ ପୁରସ୍କାର ମିଳିଛି । ଶେଷ ସନ୍ଧ୍ୟାର ସାଂସ୍କୃତିକ ଉତ୍ସବରେ ନୀଳଗିରିର ଆଦିବାସୀ କଳାକାରମାନେ ‘ଭୂମିଜ’, ନବରଙ୍ଗପୁର କଳାକାରମାନଙ୍କ ଦ୍ୱାରା ‘ଗୋଣ୍ଡ’, ଚମ୍ପୁଆ କଳାକାରମାନଙ୍କ ଦ୍ୱାରା ହୋ’ ନୃତ୍ୟ ପରିବେଷଣ କରାଯାଇଥିଲା ।