ସବୁ ବିଭାଗକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ; ୧୭ ସୁଦ୍ଧା ବାର୍ଷିକ ଯୋଜନା ଦାଖଲ କର

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଜୁନ୍ ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଆଗତ ହେବ । ଏଣୁ ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ବିଭାଗର ବାର୍ଷିକ କାର୍ଯ୍ୟ ଯୋଜନା (ଆକ୍ସନ ପ୍ଲାନ୍) ପ୍ରସ୍ତୁତ କର । ଆଗାମୀ ୧୭ ତାରିଖ ସୁଦ୍ଧା ଏହି ଯୋଜନାକୁ ଅର୍ଥ ବିଭାଗ ନିକଟରେ ଦାଖଲ କର । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ବୁଧବାର ସମସ୍ତ ବିଭାଗକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ସଚିବ ଆଜି ବିଭିନ୍ନ ବିଭାଗର ରାଜସ୍ୱ ପରିଚାଳନା କାର୍ଯ୍ୟର ସମୀକ୍ଷା କରି କହିଛନ୍ତି, ଭୋଟ୍ ପାଇଁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା କାରଣରୁ ମେ’ ମାସରେ ଯୋଜନା ଓ କାର୍ଯ୍ୟକ୍ରମ ବ୍ୟୟ ପୂର୍ବ ବର୍ଷ ତୁଳନାରେ ୧୯% କମିଛି । ମେ’ ସୁଦ୍ଧା ୮,୭୪୬ କୋଟି ଟଙ୍କା ଯୋଜନା ବଜେଟ୍ ବିନିଯୋଗ ହୋଇଛି । ଏହା ୨୦୧୭-୧୮ର ଏହି ଅବଧି ତୁଳନାରେ ୧୯% କମ୍ । ଏଣୁ ଜୁନ୍ ଓ ଜୁଲାଇ ମାସରେ ବଜେଟ୍ ବିନିଯୋଗ ସହ କ୍ଷେତ୍ରସ୍ତରୀୟ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ସଚିବ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।
ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଆରୋପ କରି ଉନ୍ନୟନ କମିଶନର ଅସୀତ କୁମାର ତ୍ରିପାଠୀ କହିଛନ୍ତି, ଏଥିପାଇଁ ଜାତୀୟ ସ୍ତରରେ ୩୦୬ଟି ମାନକ ଚିହ୍ନଟ କରାଯାଇଛି । ରାଜ୍ୟରେ ୧୮ଟି ବିଭାଗର କାର୍ଯ୍ୟରେ ଏହି ମାନକ ଅନ୍ତର୍ଭୁକ୍ତ । ସେଥିମଧ୍ୟରୁ ଓଡ଼ିଶା ନିମନ୍ତେ ପ୍ରଯୁଜ୍ୟ ଲକ୍ଷ୍ୟ ହାସଲ କରିବାକୁ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ ପାଇଁ ସେ ପରାମର୍ଶ ଦେଇଛନ୍ତି । ଏ ସମୀକ୍ଷା ବୈଠକରେ ଅର୍ଥ ସଚିବ ଅଶୋକ କେ ମୀନା ଚଳିତ ଆର୍ଥିକ ବର୍ଷ ଏପ୍ରିଲ ଓ ମେ’ ମାସର ରାଜସ୍ୱ ସ୍ଥିତିର ଉପସ୍ଥାପନା କରିଥିଲେ । ସେ କହିଛନ୍ତି, ଏହି ୨ ମାସରେ ଓଡ଼ିଶାର ମୋଟ୍ ରାଜସ୍ୱ ସଂଗ୍ରହ ୧୯% ବଢ଼ି ୬,୫୦୫ କୋଟି ଟଙ୍କା ହୋଇଛି । ୨୦୧୮-୧୯ ଏପ୍ରିଲ-ମେ’ରେ ଏହା ୫,୫୬୬ କୋଟି ଟଙ୍କା ଥିଲା । ଚଳିତ ଆର୍ଥିକ ବର୍ଷ ମେ’ ସୁଦ୍ଧା ସଂଗୃହିତ ମୋଟ୍ ରାଜସ୍ୱରେ ୪,୨୫୭ କୋଟି ଟଙ୍କାର ନିଜସ୍ୱ ଟିକସ ଆୟ ରହିଛି, ଯାହାକି ପୂର୍ବ ବର୍ଷ ଏ ଅବଧି ତୁଳନାରେ ୯.୨୫% ଅଧିକ ।
ସେହିପରି ଏହି ୨ ମାସରେ ଅଣ-ଟିକସ ରାଜସ୍ୱ ୪୩.୨୧% ବଢ଼ି ୨,୨୪୭ କୋଟି ଟଙ୍କା ହୋଇଛି । ଅଣ-ଟିକସ ରାଜସ୍ୱରେ ଇସ୍ପାତ ଓ ଖଣି ରୟାଲ୍ଟି ସର୍ବାଧିକ ୫୧.୧୮% ଓ ଜଳ ଦେୟ ୧୬.୨୨% ବଢ଼ିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେୂ କଷି ସଚିବ ଗଗନ କୁମାର ଧଳ, ଅତିରିକ୍ତ ମୁଖ୍ୟ ସଚିବ ଆର୍ କେ ଶର୍ମା, ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।