ଭୁବନେଶ୍ୱର,୧୬/୦୧: ଶୁକ୍ରବାର ସରିବ ମେଳା, ଉତ୍ସବ । ଦୀର୍ଘ ୧୨ଦିନ ଧରି ସ୍ମାର୍ଟ ନଗରୀ ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ବିଭିନ୍ନ ମେଳା, ଉତ୍ସବ ଗୁରୁବାର ଉଦ୍ଯାପିତ ହେବାକୁ ଯାଉଛି । ଫଳରେ ସହରରେ ଚାଲିଥିବା ଘୋ...ଘା... ଏବଂ କୋଳାହଳରୁ ମିଳିବ ମୁକ୍ତି । ଶାନ୍ତ ପଡ଼ିବ ଭବନେଶ୍ୱର ।

ଶୁକ୍ରବାର ୟୁନିଟ୍-୩ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ଉଦ୍ଯାପିତ ହେବ । ତା’ ସହିତ ଏକାମ୍ର ହାଟ ଏବଂ ସେହି ପଡ଼ିଆର ଅନ୍ୟ ଏକ ପାଶ୍ୱର୍ରେ ଚାଲିଥିବା ଏକାମ୍ର ଉତ୍ସବ ବି ଶେଷ ହେବ । ଏଥିରେ ଫୁଡ୍ ଫେଷ୍ଟିଭାଲ୍ଠୁ ନେଇ ପାର୍କ ଉତ୍ସବ, ନାଇଟ୍ ଫ୍ଲି ମାର୍କେଟ୍ ବନ୍ଦ ହେବ । ଏହି ସବୁ ଉତ୍ସବ ଗୁଡ଼ିକ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଅବଧି ଥିବାବେଳେ ପାର୍କ ଉତ୍ସବର ୫ରୁ ୧୨ ପର୍ଯ୍ୟନ୍ତ ଥିଲା । ପରେ ଏହାକୁ ୧୬ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ଏହା ପୂର୍ବରୁ ଫୁଲ ପ୍ରଦର୍ଶନୀ, ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, ବୟନିକା ନାଇଟ୍ ବଜାର ଆଦି କାର୍ଯ୍ୟକ୍ରମ ଶେଷ ହୋଇସାରିଛି । କେବଳ ଏହି ଉତ୍ସବଗୁଡ଼ିକ ବାକି ଥିଲା ।

ଯେହେତୁ ପ୍ରଥମ ଥର ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଓଡ଼ିଶାର ଭୁବନେଶ୍ୱରରେ ହେଉଥିଲା ତେଣୁ ଅତିଥିଙ୍କୁ ଏକକାଳୀନ ଏତେଗୁଡ଼ିକ କାର୍ଯ୍ୟକ୍ରମରେ ବାନ୍ଧି ରଖିବା ଏବଂ ଓଡ଼ିଶାର ପରିଚୟକୁ ବିଶ୍ୱ ଆଗରେ ଉପସ୍ଥାପନ ପାଇଁ ଏସବୁର ଆୟୋଜନ ହୋଇଥିଲା । ଯେଉଁଥିପାଇଁ ଟ୍ରାଫିକ୍ ପରିଚାଳନାଠୁ ନେଇ ବିଭିନ୍ନ ସମସ୍ୟା ଉପୁଜୁଥିଲା । ପାଖାପାଖି ଏହି ୧୨ଦିନ ଯାକ ହାଉସିଂବୋର୍ଡ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ମେଳା ଛାଇ ଯାଇଥିଲା । ଆଖପାଖ ଲୋକ ବି କିଛି କହିନପାରୁଥିଲେ ବି ଭିଡ଼ ଓ ଶବ୍ଦ ପ୍ରଦୂଷଣ ଭିତରେ ତ୍ରାହିତ୍ରାହି ଡାକୁଥିଲେ । ଏ ଉତ୍ସବ ସହରବାସୀଙ୍କ ପାଇଁ ଯେତିକି ମଜା ଥିଲା ସେତିକି ସଜା ବି ଥିଲା ।