ଫୁଲବାଣୀ, ୦୯/୦୬: ଦୀର୍ଘ ବର୍ଷ ଧରି ଶୃଙ୍ଖଳିତ ଭାବେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପଦୋନ୍ନତି ମିଳିପାରୁନାହିଁ । ରାଜ୍ୟ ସରକାର ନିର୍ଦ୍ଦେଶ ଦେବାର ଦେଢ ବର୍ଷ ବିତି ଯାଇଥିଲେ ବି କନ୍ଧମାଳ ଜିଲ୍ଲା ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଏହାକୁ ଟାଳିବାରେ ଲାଗିଛି । ଇତି ମଧ୍ୟରେ ୨୫ଟି ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀମାନେ ପଦୋନ୍ନତି ପାଇ ସାରିଥିବା ବେଳେ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀମାନେ ଏଥିରୁ ବଞ୍ଚିତ ହୋଇଛନ୍ତି । ଏ ବିଷୟରେ ବାରମ୍ବାର ଲିଖିତ ଓ ମୌଖିକ ଭାବେ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ।
ତେଣୁ ସୋମବାର ବାଧ୍ୟ ହୋଇ ପଦୋନ୍ନତି ଅପେକ୍ଷାରେ ଥିବା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣାରେ ବସିଛନ୍ତି। ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ସଙ୍ଘ ଆବାହକ ପ୍ରଦୀପ ବେହେରା, ସଭାପତି ସୁଜାତା ବେହେରା, ସମ୍ପାଦକ ପ୍ରଭାତ ଶତପଥୀ ଓ ଅନ୍ୟ ସଦସ୍ୟମାନେ କହିଛନ୍ତି।