ଭୁବନେଶ୍ୱର, ୪।୨: ଆଉ ରହିବନି ଅପାଠୁଆ ବା ନିରକ୍ଷର । ସମସ୍ତଙ୍କୁ ଶିକ୍ଷିତ ବା ସାକ୍ଷର କରାଯିବ । ଏହି ଲକ୍ଷ୍ୟ ନେଇ ସରକାର ଆରମ୍ଭ କରିଛନ୍ତି ଅଣ୍ଡରଷ୍ଟାଣ୍ଡିଂ ଲାଇଫ୍ଲଙ୍ଗ୍ ଲର୍ଣ୍ଣିଂ ଫର ଅଲ୍ ଇନ୍ ସୋସାଇଟି (ଉଲ୍ଲାସ) କାର୍ଯ୍ୟକ୍ରମ । ଗତ ଆର୍ଥିକ ବର୍ଷରେ ରାଜ୍ୟରେ ୨୨ ଲକ୍ଷ ୬୬ ହଜାର ନିରକ୍ଷରଙ୍କୁ ଚିହ୍ନଟ କରାଗଲା । ଯୋଜନା ଥିଲା ଚଳିତ ଆର୍ଥିକ ବର୍ଷ ସରିବା ପୂର୍ବରୁ ସମସ୍ତ ନିରକ୍ଷରଙ୍କୁ ପାଠପଢ଼ା ପାଇଁ ପଞ୍ଜିକରଣ କରାଯାଇୁ ସାକ୍ଷର କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଟାର୍ଗେଟ୍ ଦିଆଗଲା । ହେଲେ ଟାର୍ଗେଟ୍ ପୂରଣ କରିବାର ବିଫଳ ହୋଇଛନ୍ତି ଅଧିକାରୀ । ମାତ୍ର ୩୧.୭୬ ପ୍ରତିଶତ ଟାର୍ଗେଟ୍ ପୂରଣ କରାଯାଇଛି । ୮୩ ପ୍ରତିଶତ ଜିଲ୍ଲା ଦିଆଯାଇଥିବା ଟାର୍ଗେଟ୍ ପୂରଣ କରିନାହାନ୍ତି । ୧୪ଟି ଜିଲ୍ଲା ୨୫ ପ୍ରତିଶତ ଟାର୍ଗେଟ୍ ପୂରଣ କରିନାହାନ୍ତି । ମାର୍ଚ୍ଚ ମାସ ସୁଦ୍ଧା ଏ ଟାର୍ଗେଟ୍ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଉଲ୍ଲାସ କାର୍ଯ୍ୟକ୍ରମର ଟାର୍ଗେଟ୍ ସଂପର୍କରେ ମନେ ପକାଇ ଦିଆଯାଇଛି ।
ନିର୍ଦ୍ଦେଶାଳୟ କହିଛି,ନିକଟରେ ଗଣଶିକ୍ଷା ବିଭାଗ ସଚିବଙ୍କ ଦ୍ୱାରା ହୋଇଥିବା ସମୀକ୍ଷା ବୈଠକରେ ଜଣାପଡ଼ିଛି, ଅନେକ ଜିଲ୍ଲାର ବିଭିନ୍ନ ବ୍ଲକରେ ଉଲ୍ଲାସ କାର୍ଯ୍ୟକ୍ରମ ଠିକ୍ ଭାବେ ହେଉନି । ଫଳରେ ପଞ୍ଜିକରଣ ସଂଖ୍ୟା କମ୍ ରହିଛି । ୫ଟି (ନବରଙ୍ଗପୁର, ଦେବଗଡ଼, ଗଞ୍ଜାମ, ନୟାଗଡ଼ ଓ ବୌଦ୍ଧ) ଜିଲ୍ଲା ୫୦ ପ୍ରତିଶତ ଉପରେ ପଞ୍ଜିକରଣ କରିଛନ୍ତି । ୧୧ଟି ଜିଲ୍ଲା ୨୫ ପ୍ରତିଶତରୁ ୫୦ ପ୍ରତିଶତ ମଧ୍ୟରେ ଉଲ୍ଲାସ ପଞ୍ଜିକରଣ କରିଛନ୍ତି । ବାକି ୧୪ ଜିଲ୍ଲା ୨୫ ପ୍ରତିଶତ ଟାର୍ଗେଟ୍ ଛୁଇଁବାରେ ବିଫଳ ଅଛନ୍ତି । ଏହାକୁ ବିଭାଗୀୟ ସଚିବ ଖପ୍ପା ହୋଇଛନ୍ତି । କ'ଣ ପାଇଁ ଟାର୍ଗେଟ୍ ପୂରଣ କରିବାରେ ଜିଲ୍ଲାମାନେ ଅସକ୍ଷମ ହେଉଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି କେନ୍ଦ୍ର ସରକାର ଏହି ‘ଉଲ୍ଲାସ’ ଭଳି ପଦକ୍ଷେପ ନେଇଛନ୍ତି । ଯେଉଁ ପ୍ଲାଟଫର୍ମରେ ନିରକ୍ଷର ବୟସ୍କଙ୍କ ପାଇଁ ଏକ ପ୍ରବେଶ ପଥ ପ୍ରସ୍ତୁତ କରାଯାଇଛି । ସେମାନଙ୍କୁ ଏକ ଗୋଷ୍ଠୀ ତଥା ସଂପ୍ରଦାୟ ଓ ସ୍ୱେଚ୍ଛାସେବୀ ଶିକ୍ଷକଙ୍କ ମାଧ୍ୟମରେ ଜୀବନର ଅତ୍ୟାବଶ୍ୟକ କୌଶଳ ଶିକ୍ଷା ପ୍ରଦାନ କରାଯିବ । ଯେଉଁଥିରେ ସେମାନଙ୍କୁ ସାକ୍ଷର କରାଯିବ । ସର୍ବନିମ୍ନ ପାଠପଢ଼ା ଯିବ । ଏଥିପାଇଁ ସେମାନଙ୍କୁ ଉଲ୍ଲାସ ପୋର୍ଟାଲରେ ଶିକ୍ଷକମାନେ ପଞ୍ଜିକରଣ କରାନ୍ତି । ପଞ୍ଜିକୃତ ହୋଇଥିବା ନିରକ୍ଷରଙ୍କୁ ଫାଉଣ୍ଡେସନାଲ୍ ଲିଟେରାସି ଆଣ୍ଡ ନ୍ୟୁମେରାସି ଆସେସ୍ମେଣ୍ଟ ଟେଷ୍ଟ (ଏଫ୍ଏଲ୍ଏନ୍ଏଟି) ମାଧ୍ୟମରେ ପରୀକ୍ଷା ମଧ୍ୟ କରାଯାଏ । ଏଥିସହ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏନ୍ଆଇଓଏସ୍) ଦ୍ୱାରା ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଏ ।
ତେବେ ଚଳିତବର୍ଷ ମାର୍ଚ୍ଚରେ ଦ୍ୱିତୀୟ ଏଫ୍ଏଲ୍ଏନ୍ଟି ହେବ । ତେଣୁ ସମସ୍ତ ଜିଲ୍ଲା ଓ ବ୍ଲକ୍କୁ ଦିଆଯାଇଥିବା ଟାର୍ଗେଟ୍ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ବିଭାଗ ତଥ୍ୟ ଅନୁଯାୟୀ, ଗତ ଜାନୁଆରୀ ୧୬ ତାରିଖ ଯାଏ ନବରଙ୍ଗପୁର ଜିଲ୍ଲାରେ ୬୪.୭୭%, ଦେବଗଡ଼ରେ ୬୦.୮୧%, ଗଞ୍ଜାମରେ ୬୦.୩୪%, ନୟାଗଡ଼ରେ ୫୯.୪୩% ଓ ବୌଦ୍ଧରେ ୫୮.୬୬% ଟାର୍ଗେଟ୍ ପୂରଣ କରାଯାଇଛି । ସେହିପରି ବଲାଙ୍ଗିରରେ ୪୯.୫୪%, ରାୟଗଡ଼ାରେ ୪୮.୫୭%, ଢେଙ୍କାନାଳରେ ୪୭.୭୮%, କଳାହାଣ୍ଡିରେ ୪୬.୯୯%, ଗଜପତିରେ ୩୮.୧୧%, ସୁନ୍ଦରଗଡ଼ରେ ୩୬.୨୩%, କୋରାପୁଟରେ ୨୬.୭୫%, ଭଦ୍ରକରେ ୨୬.୭୩%, କଟକରେ ୨୬.୬୮%, ଅନୁଗୁଳରେ ୨୬.୩୭% ମୟୂରଭଞ୍ଜରେ ୨୫.୯୭% ଟାର୍ଗେଟ୍ ପୂରଣ କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଖୋର୍ଦ୍ଧା, ପୁରୀ ଭଳି ସହରରେ ଉଲ୍ଲାସର ଟାର୍ଗେଟ୍ ୨୫ ପ୍ରତିଶତ ପୂରଣ ହୋଇନି । ଖୋର୍ଦ୍ଧା ଜିଲ୍ଲାକୁ ୧ଲକ୍ଷ ଟାର୍ଗେଟ୍ ଦିଆଯାଇଥିଲା ଏଥିରୁ ମାତ୍ର ୨୩ ହଜାର ୬୪୫ଜଣଙ୍କୁ ପଞ୍ଜିକରଣ କରାଇବାରେ ସଫଳ ହୋଇଛି ଜିଲ୍ଲା ଶିକ୍ଷା ପ୍ରଶାସନ । ସେହିପରି ପୁରୀକୁ ୧ଲକ୍ଷ ୧୦ ହଜାର ଟାର୍ଗେଟ୍ ଦିଆଯାଇଥିଲା । ମାତ୍ର ଜିଲ୍ଲା ଶିକ୍ଷା ଅଧିକାରୀ ୨୧ ହଜାର ୨୭୦ ଜଣଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସକ୍ଷମ ହୋଇଛନ୍ତି । ଅର୍ଥାତ୍ ମାତ୍ର ୧୯.୩୪% ଟାର୍ଗେଟ୍ ପୂରଣ କରିଛନ୍ତି । ସବୁଠୁ ପଛରେ ପଡ଼ିଛି ନୂଆପଡ଼ା ଜିଲ୍ଲା । ନୂଆପଡ଼ା ଜିଲ୍ଲାକୁ ମାତ୍ର ୧୫ ହଜାର ଟାର୍ଗେଟ୍ ଦିଆଯାଇଥିଲା । ଏଥିରୁ ମାତ୍ର ୨୪୬୭ଜଣଙ୍କୁ ପଢ଼ାଇବାରେ ସକ୍ଷମ ହୋଇନ୍ତି । ଟାର୍ଗେଟ୍ର ୧୬.୪୫% ପୂରଣ କରିଛନ୍ତି ।
ସେହିପରି ବାଲେଶ୍ୱର ଜିଲ୍ଲାକୁ ୧ଲକ୍ଷ ୨୦ ହଜାର ନିରକ୍ଷରଙ୍କୁ ପଞ୍ଜିକରଣ କରିବାକୁ କୁହାଯାଇଥିଲା । ହେଲେ ଏଥିରୁ ମାତ୍ର ୨୨ ହଜାର ୧୭୫ଜଣଙ୍କୁ ସାମିଲ କରାଯାଇଛି । ଅର୍ଥାତ୍ ୧୮.୪୮% ଟାର୍ଗେଟ୍ ପୂରଣ ହୋଇଛି । ସେହିପରି ମାଲକାନାଗିରି ୨୪.୬୯%, ବରଗଡ଼ ୨୪.୫୫%, ସମ୍ବଲପୁର ୨୪.୫୩%, ସୋନପୁର ୨୪.୪୭%, ଯାଜପୁର ୨୩.୨୭%, ଝାରସୁଗୁଡ଼ା ୨୨.୭୫%, କେନ୍ଦ୍ରାପଡ଼ା ୨୧.୯୬%, କନ୍ଧମାଳ ୨୧.୫୩%, କେନ୍ଦୁଝର ୨୧.୯୬%, ଜଗତ୍ସିଂହପୁର ୧୯.୯୭% ଟାର୍ଗେଟ୍ ପୂରଣ କରାଯାଇଛି । ତେଣୁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହି ଟାର୍ଗେଟ୍ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଆଯାଇଥିବା ଲର୍ଣ୍ଣର ଓ ସ୍ୱେଚ୍ଛାସେବୀ ଶିକ୍ଷକ ପଞ୍ଜିକରଣ କରିବାକୁ ଦିଆଯାଇଥିବା ଟାର୍ଗେଟ୍ ପୂରଣ କରିବାକୁ କୁହାଯାଇଛି । ଏହାକୁ ଗୁରୁତ୍ୱର ସହ ନେବାକୁ କୁହାଯାଇଛି ।
ଆହୁରି ପଢ଼ନ୍ତୁ... ଓସେପାର କଡ଼ା ନିର୍ଦ୍ଦେଶ : ଫେବ୍ରୁଆରୀ ୧୫ ସୁଦ୍ଧା ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏ ଦିଅ ୟୁନିଫର୍ମ